ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

କେନ୍ଦ୍ରମନ୍ତ୍ରୀଙ୍କୁ ବିଦେଶ ମନା


ନୋଭେଲ କରୋନା ଭୂତାଣୁ (କୋଭିଡ-୧୯)କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆନୁଷ୍ଠାନିକ ଭାବେ ବିଶ୍ୱ ମହାମାରୀ ଘୋଷଣା କରିବାପରେ ଭାରତ ସରକାର ଆହୁରି କଠୋର ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀମାନଙ୍କ ବିଦେଶ ଗସ୍ତ ଉପରେ କଟକଣା ଲଗାଯାଇଥିବାବେଳେ ଏହାକୁ ନେଇ ଭୟଭୀତ ନହେବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ।

୧୧୪ଟି ଦେଶରେ ୧୧୮,୦୦୦ ଲୋକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବାବେଳେ ବର୍ତମାନ ସୁଦ୍ଧା ୭୩ ଜଣ ଭାରତୀୟ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କେରଳର ତିନୋଟି ମାମଲାରେ ସଂକ୍ରମିତ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯାଇଛି । ଏହି ଗୋଷ୍ଠୀ ଦେଶରେ କୋଭିଡ-୧୯ ମୁକାବିଲାର ସ୍ଥିତି ଅନୁଧ୍ୟାନ କରିବା ସହିତ ଏହାର ମୁକାବିଲା ଦିଗରେ ପଦକ୍ଷେପକୁ ତ୍ୱରାନ୍ୱିତ କରୁଛି । ବର୍ତମାନସୁଦ୍ଧାର ସ୍ଥିତି ଅନୁଧ୍ୟାନ, ସମୀକ୍ଷା ଓ ମାର୍ଗଦର୍ଶନ ଲାଗି ମନ୍ତ୍ରୀଗୋଷ୍ଠୀର ୬ଟି ବୈଠକୁ ଅନୁଷ୍ଠିତ ହୋଇସାରିଲାଣି ।

ସ୍ଥିତିରେ ଦ୍ରୁତ ପରିବର୍ତନ ହେଉଥିବାର ଲକ୍ଷ୍ୟ ରଖି ଗତକାଲି ମନ୍ତ୍ରୀଗୋଷ୍ଠୀର ଦୁଇଟି ବୈଠକ ଅନୁଷ୍ଠିତ ହୋଇଥିଲା । ଭାରତୀୟ ନାଗରିକଙ୍କ ହିତ ଲାଗି ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଉପରେ ମନ୍ତ୍ରୀଗୋଷ୍ଠୀ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଥିଲା । କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ସଚିବମାନଙ୍କୁ ନେଇ ଗଠିତ ସମିତିର ସୁପାରିସକ୍ରମେ ମନ୍ତ୍ରୀଗୋଷ୍ଠୀ ଗତ ସନ୍ଧ୍ୟାରେ ନିମ୍ନୋକ୍ତ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ଗ୍ରହଣ କରିଛି:

ସମସ୍ତ ଭିସା (କୂଟନୈତିକ, ସରକାରୀ, ମିଳିତ ଜାତିସଂଘ/ଅନ୍ତର୍ଜାତୀୟ ସଂଗଠନ, ନିଯୁକ୍ତି, ପ୍ରକଳ୍ପ ଭିସାକୁ ଛାଡ଼ି) ୧୫ ଏପ୍ରିଲ, ୨୦୨୦ ପର୍ଯ୍ୟନ୍ତ ରଦ୍ଦ କରାଯାଇଛି । ଏହା ୧୩ ମାର୍ଚ୍ଚ, ୨୦୨୦ ଗୁରୁବାର ଅପରାହ୍ଣ ୫ଟା ୩୦ମିନିଟ ଠାରୁ ସମସ୍ତ ପ୍ରସ୍ଥାନ ସ୍ଥଳୀ (ବିମାନ ବନ୍ଦର, ସାମୁଦ୍ରିକ ବନ୍ଦର ଓ ଅନ୍ତର୍ଜାତୀୟ ସ୍ଥଳ ସୀମା)ରେ ଲାଗୁ ହେବ ।

ଓସିଆଇ କାର୍ଡଧାରୀମାନଙ୍କୁ ମିଳୁଥିବା ଭିସାମୁକ୍ତ ଯାତ୍ରା ସୁବିଧାକୁ ୧୫ ଏପ୍ରିଲ, ୨୦୨୦ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଏହା ମଧ୍ୟ ପ୍ରସ୍ଥାନ ସ୍ଥଳୀରେ ୧୩ ମାର୍ଚ୍ଚ, ୨୦୨୦ ଅପରାହ୍ଣ ସାଢ଼େ ୫ଟାରୁ ଲାଗୁ ହେବ । ଭାରତରେ ପୂର୍ବରୁ ଥିବା ଓସିଆଇ କାର୍ଡଧାରୀ ନିଜ ଇଚ୍ଛାମୁତାବକ ଦେଶର ଯେକୌଣସି ସ୍ଥାନରେ ରହିପାରିବେ ।

ଭାରତରେ ପୂର୍ବରୁ ଥିବା ସମସ୍ତ ବିଦେଶୀ ନାଗରିକଙ୍କ ଭିସା ସମ୍ପୂର୍ଣ୍ଣ ରୂପେ ବୈଧ ରହିବ । ଏହାର ଅବଧି ବୃଦ୍ଧି, ପରିବର୍ତନ ଆଦି ନିମନ୍ତେ ସେମାନେ ଚାହିଁଲେ ଇ-ଏଫଆରଆରଓ ମଡ୍ୟୁଲ ଜରିଆରେ ନିକଟତମ ଏଫଆରଆରତ୍ତ୍ୱ/ଏଫଆରଓ ସହିତ ଯୋଗାଯୋଗ କରିପାରିବେ । ଜରୁରି କାରଣରୁ ଭାରତ ଆସିବା ଲାଗି ଚାହୁଁଥିବା ବିଦେଶୀ ନାଗରିକ, ନିକଟତମ ଭାରତୀୟ ମିଶନ ସହିତ ଯୋଗାଯୋଗ କରିପାରିବେ ।

ଭିସା କଟକଣା ବ୍ୟତୀତ ଇଟାଲୀ ଓ କୋରିଆ ଗସ୍ତ କରିଥିବା ଯାତ୍ରୀ ଭାରତରେ ପ୍ରବେଶ କରିବା ଲାଗି ଚାହୁଁଥିଲେ ସେହି ଦେଶର ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା କ୍ଷମତାପ୍ରାପ୍ତ ପରୀକ୍ଷାଗାରରେ ପରୀକ୍ଷଣ ପରେ କରୋନା ଭୂତାଣରୁ ମୁକ୍ତ ବୋଲି ପ୍ରମାଣପତ୍ର ଆଣିବାକୁ ହେବ । ଏହା ୧୦ ମାର୍ଚ୍ଚ, ୨୦୨୦ ରାତି ୧୨ଟାଠାରୁ ଲାଗୁ ହୋଇଛି ଏବଂ କରୋନା ଭୂତାଣୁ ନିୟନ୍ତ୍ରଣ ଲାଗି ଏହା ଏକ ଅସ୍ଥାୟୀ ଉପାୟ ।

୧୫ ଫେବୃଆରୀ, ୨୦୨୦ ପରେ ଚୀନ, ଇଟାଲୀ, ଇରାନ, କୋରିଆ ଗଣରାଜ୍ୟ, ଫ୍ରାନ୍ସ, ସ୍ପେନ ଓ ଜର୍ମାନୀଗସ୍ତ କରି ଫେରିଥିବା ଭାରତୀୟ ନାଗରିକଙ୍କ ସମେତ ସମସ୍ତ ଯାତ୍ରୀମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଂଟିନ (ପୃଥକ ଶିବିର)ରେ ରଖାଯିବ । ଏହା ମଧ୍ୟ ପ୍ରସ୍ଥାନ ପଥଠାରେ ୧୩ ମାର୍ଚ୍ଚ, ୨୦୨୦ ଅପରାହ୍ଣ ସାଢ଼େ ୫ଟାଠାରୁ ଲାଗୁ ହୋଇଛି ।

ଭାରତୀୟ ନାଗରିକଙ୍କ ସମେତ ଏଠାକୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ଅନାବଶ୍ୟକ ଯାତ୍ରା ଏଡ଼ାଇବା ଲାଗି ପରାମର୍ଶ ଦିଆଯାଉଛି ଏବଂ ସୂଚିତ କରାଯାଉଛି ଯେ ଭାରତକୁ ଆସିଲେ ସେମାନଙ୍କୁ ଅତିକମରେ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଂଟିନରେ ରଖାଯିବ । ଚୀନ, ଇଟାଲୀ, ଇରାନ, କୋରିଆ ଗଣରାଜ୍ୟ, ଫ୍ରାନ୍ସ, ସ୍ପେନ ଓ ଜର୍ମାନୀ ନଯିବା ଲାଗି ଭାରତୀୟ ନାଗରିକମାନଙ୍କୁ ସ୍ପଷ୍ଟ ଭାବେ ପରାମର୍ଶ ଦିଆଯାଉଛି ।

ଭାରତରେ ପ୍ରବେଶ କରୁଥିବା ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀ ପାଇଁ ସ୍ୱାସ୍ଥ୍ୟ ଅଧିକାରୀ ଓ ଇମିଗ୍ରେସନ ଅଧିକାରୀଙ୍କ ନିକଟରେ ସତ୍ୟପାଠ (ବ୍ୟକ୍ତିଗତ ବିବରଣୀ ସହିତ ଫୋନ ନମ୍ବର ଏବଂ ଭାରତରେ ଠିକଣା ସମେତ) ଦାଖଲକରିବା ଏବଂ ସମସ୍ତ ଦିଗରେ ନିର୍ଦ୍ଧାରିତ ସ୍ୱାସ୍ଥ୍ୟ କାଉଂଟରରେ ବ୍ୟାପକ ସ୍ୱାସ୍ଥ୍ୟ ପରୀକ୍ଷଣର ସମ୍ମୁଖୀନ ହେବାର ଆବଶ୍ୟକତା ରହିଛି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023