
ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀ ନିର୍ବାଚିତ ହେବା ସ୍ପଷ୍ଟ ହୋଇଯାଇଛି । ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଦେବାକୁ ମନା କରିଦେଇଥିବା ବେଳେ ଆଜି ବିଜେପି ଅନୁରୂପ ସଙ୍କେତ ଦେଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ୪ ଜଣ ପ୍ରାର୍ଥୀ ସର୍ବଶ୍ରୀ ସୁବାଷ ସିଂ, ସୁଜିତ କୁମାର, ମୁନ୍ନା ଖାଁ ଓ ମମତା ମହାନ୍ତଙ୍କ ନାମ ଘୋଷଣା କରିବା ପରେ ବିଧାନସଭାରେ ସଂଖ୍ୟା ନ ଥିବାରୁ କଂଗ୍ରେସ ପ୍ରାର୍ଥୀ ଦେବ ନାହିଁ ବୋଲି ସ୍ପଷ୍ଟ କରିଥିଲା ।
ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ରାଜ୍ୟସଭା ଲାଗି ମନୋନୟନ ଦାଖଲ ଲାଗି ୧୦ ଜଣ ବିଧାୟକ ପ୍ରସ୍ତାବକ ହେବା ଆବଶ୍ୟକ ପଡ଼ୁଥିବା ବେଳେ କଂଗ୍ରେସର ୯ ଜଣ ବିଧାୟକ ଥିବାରୁ ଦଳ ପ୍ରାର୍ଥୀ ଦେଉନି ।
ତେବେ ସମସ୍ତଙ୍କ ନଜର ବିଜେପି ଉପରେ ରହିଥିଲା । କିନ୍ତୁ ଆଜି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ଯେ ଜଣେ ରାଜ୍ୟସଭା ପ୍ରାର୍ଥୀଙ୍କୁ ଜିଣାଇବା ଲାଗି ତାଙ୍କ ଦଳ ନିକଟରେ ଆବଶ୍ୟକ ସଂଖ୍ୟକ ବିଧାୟକ ନ ଥିବାରୁ ବିଜେପି ରାଜ୍ୟସଭା ପାଇଁ ପ୍ରାର୍ଥୀ ଦେଉନାହିଁ ।
ଉଲ୍ଲେଖନୀୟ ଯେ ଜଣେ ରାଜ୍ୟସଭା ପ୍ରାର୍ଥୀଙ୍କୁ ଜିଣାଇବା ପାଇଁ ଅତିକମ୍ରେ ୨୯ ଜଣ ବିଧାୟକଙ୍କ ଭୋଟ୍ ଆବଶ୍ୟକ ଥିବା ବେଳେ ବିଧାନସଭାରେ ବିଜେପିର ୨୩ ଜଣ ବିଧାୟକ ରହିଛନ୍ତି ।
ଆଜି ବିଜେଡିର ୪ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଜେପି ଓ କଂଗ୍ରେସ ନିର୍ବାଚନରୁ ଦୂରେଇ ରହିଥିବାରୁ ବିଜେଡି ପ୍ରାର୍ଥୀମାନଙ୍କର ଜିତିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି ।