
ବାଡାମବାଡି ବସଷ୍ଟାଣ୍ଡର ରୂପରେଖ ବଦଳିବ । ଖାନନଗର ସ୍ଥିତ ମଧୁସୂଦନ ପାଠାଗାର ନିକଟରେ ଥିବା ଅଞ୍ଚଳକୁ ବସ୍ଷ୍ଟାଣ୍ଡ ଉଠିବା ସହିତ ସେଠାରେ ଏହାକୁ ନୂଆରୂପ ଦିଆଯିବ । ଆଜି ସକାଳୁ ସକାଳୁ ରାଜ୍ୟ ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ ଓ ପୂର୍ତ୍ତ ସଚିବ ଡକ୍ଟର କ୍ରିଷନ କୁମାର ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ କଟକ ବାଦାମବାଡି ବସଷ୍ଟାଣ୍ଡ ଅଞ୍ଚଳ ପରିଦର୍ଶନ କରିବାପରେ ଏହି ସୂଚନା ମିଳିଛି ।
ଆଜି ବଡି ଭୋରରୁ ଶ୍ରୀ ପାଣ୍ଡିଆନ ବାଦାମବାଡି ଅଞ୍ଚଳରେ ପହଞ୍ଚିଥିବାବେଳେ ତାଙ୍କ ସହିତ ଆରଡିସି ଅନୀଲ ସାମଲ, ପୁଲିସ୍ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ, ରାଜ୍ୟ ସଡକ ପରିବହନ ନିଗମର ଅଧ୍ୟକ୍ଷ ଅରୁଣ ବୋଥ୍ରା ପ୍ରମୁଖ ଉପସ୍ଥିତ ଥିଲେ । ବସ୍ଷ୍ଟାଣ୍ଡର ସ୍ଥିତି ପରିଖିବା ସହିତ ଏହାକୁ ଖାନନଗର ଅଞ୍ଚଳକୁ ସ୍ଥାନାନ୍ତର ଉପରେ ଗୁରୁତ୍ୱ ପ୍ରକାଶ ପାଇଥିଲା । ଏଥି ସହିତ ପୁରୀ-ଅନୁଗୁଳ ବସ୍ଷ୍ଟାଣ୍ଡର ଉନ୍ନତିକରଣ କରିବାପାଇଁ ମଧ୍ୟ ସ୍ଥିର ହୋଇଛି ।
ଉଲ୍ଲେଖନୀୟ ଯେ ବାଦାମବାଡି ସରକାରୀ ବସ୍ଷ୍ଟାଣ୍ଡ ପରିସରରେ ଉଭୟ ସରକାରୀ ଓ ବେସରକାରୀ ଗାଡିସଂଖ୍ୟା ବୃଦ୍ଧି ପାଉଥିବାବେଳେ ଆବଶ୍ୟକ ସ୍ଥାନର ଅଭାବ ଘଟୁଛି । ଏହା ଫଳରେ ଯାତ୍ରୀଙ୍କ ଠାରୁ ଆରମ୍ଭକରି ଗାଡି ଗୁଡିକ ମଧ୍ୟ ହଇରାଣ ହରକତ ହେଉଛନ୍ତି । ବସ୍ଷ୍ଟାଣ୍ଡ ଭିତରେ ଯାତ୍ରୀଙ୍କ ପାଇଁ ବସିବାପାଇଁ ସ୍ଥାନଟିକେ ମିଳିପାରୁନାହିଁ । ପରିବେଶ ଅତ୍ୟନ୍ତ ପୂର୍ତ୍ତିଗନ୍ଧମୟ ହୋଇପଡୁଛି । ତେଣୁ ଏହି ବସ୍ଷ୍ଟାଣ୍ଡକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦୀର୍ଘଦିନରୁ ଯୋଜନା ହେଉଛି । ଏପରିକି ବସ୍ଷ୍ଟାଣ୍ଡର ଉନ୍ନତିକରଣ ଲାଗି ଥରେ ଦୁଇଥର ଶୁଭ ବି ଦିଆଯାଇଛି ।
ତେବେ ଆଜି ୫-ଟି ସଚିବ ବସ୍ଷ୍ଟାଣ୍ଡ ଅନୁଧ୍ୟାନ କରିବାପରେ ଏହାର ଚେହେରା ବଦଳିବା ଆଶା କରାଯାଉଛି । ମଧୁସୂଦନ ପାଠାଗାର ନିକଟରେ ଥିବା ପ୍ରାୟ ୩୦ଏକର ଜମି ଉପରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ହେବ । ପାଠାଗାରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ଗୋପାଳପୁର ନିକଟରେ ବସ୍ ଗୁଡିକର ପାର୍କିଂ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି ।
ସେହିଭଳି କଟକ ଏସ୍ସିବି ମେଡିକାଲ କଜେଲ ଓ ହସ୍ପିଟାଲର ସମ୍ପ୍ରସାରଣ କାର୍ଯ୍ୟ ମଧ୍ୟ ସମୀକ୍ଷା କରିଛନ୍ତି ୫-ଟି ସଚିବ ଓ ପୂର୍ତ୍ତ ସଚିବ । ମହାନଦୀ ବ୍ରିଜ ମୁଣ୍ଡରୁ ହାଡିଆପଠା ପର୍ଯ୍ୟନ୍ତ କାର୍ଯ୍ୟର ଅଗ୍ରଗତି ନେଇ ଅଧିକାରୀଙ୍କ ଠାରୁ ପଚାରି ବୁଝିଛନ୍ତି । ସେହିଭଳି ଜୋବ୍ରା ସ୍ଥିତ ନୌବାଣିଜ୍ୟ ସଂଗ୍ରହାଳୟକୁ ଯାଇ ସେଠାରେ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି ।