
ଓଡ଼ିଶା ସରକାରଙ୍କ କଥା ଲୋକସେବା ଆୟୋଗ ଶୁଣୁନଥିବାରୁ ଜଣେ ଯୋଗ୍ୟ ଭିନ୍ନକ୍ଷମ ପ୍ରାର୍ଥୀ ନିଯୁକ୍ତି ସୁଯୋଗରୁ ବଞ୍ଚିତ ହୋଇଛନ୍ତି । ଏହି ବଞ୍ଚିତ ପ୍ରାର୍ଥୀଙ୍କ ନାମ ଆଇନାନୁଯାୟୀ ଯୋଗ୍ୟତା ତାଲିକାରେ ଅନ୍ତର୍ଭୁକ୍ତ କରି ପଠାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର ଆୟୋଗଙ୍କୁ ପତ୍ର ଲେଖି ଚାଲିଛନ୍ତି ।
୨୦୧୭ ବର୍ଷ ପାଇଁ ହୋଇଥିବା ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାର ଜଣେ କୃତି, ଭିନ୍ନକ୍ଷମ ପ୍ରାର୍ଥୀ ବ୍ୟବସ୍ଥାଗତ ତ୍ରୁଟି ଯୋଗୁ ଓଏଏସ୍ ଚାକିରି ନ ପାଇ ପ୍ରାୟ ୮ ମାସ ଧରି ବାରଦୁଆର ସୁଣ୍ଢିପିଣ୍ଡା ହେଉଛନ୍ତି । ମାତ୍ର ୨୩ ବର୍ଷ ବୟସ୍କ ଏହି ପ୍ରାର୍ଥୀ ଜଣକ ସଂରକ୍ଷଣର କୌଣସି ଫାଇଦା ନ ଉଠାଇ ନିଜ ଯୋଗ୍ୟତା ବଳରେ ପ୍ରବେଶିକା ପରୀକ୍ଷାରେ ୧୩୬୫ ନମ୍ବର ରଖିଛନ୍ତି ।
ଅଣସଂରକ୍ଷିତ ବର୍ଗର ଶେଷ ପ୍ରାର୍ଥୀ ୧୩୦୨ ନମ୍ବର ରଖିଥିବା ବେଳେ ଦୃଷ୍ଟି ବାଧିତ ବର୍ଗର ଯେଉଁ ପ୍ରାର୍ଥୀଙ୍କୁ ଚୟନ କରାଯାଇଥିଲା ସେ ୧୦୬୫ ନମ୍ବର ରଖିଥିଲେ । ଉକ୍ତ ପ୍ରାର୍ଥୀ ଇତିମଧ୍ୟରେ ଓଏଏସ୍ ଚାକିରି ଛାଡ଼ି ଅନ୍ୟତ୍ର ଚାଲି ଯାଇଛନ୍ତି । ତେଣୁ ଖାଲି ସ୍ଥାନ ଥିବା ପରିପ୍ରେକ୍ଷୀରେ ତ୍ରୁଟି ସୁଧାରିବା ପାଇଁ ଆୟୋଗ ଯଦି ବଞ୍ଚିତ ଯୋଗ୍ୟ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ନାମ ଯୋଗ୍ୟତା ତାଲିକାରେ ସାମିଲ କରି ପଠାଏ ତେବେ ତାଙ୍କୁ ନିଯୁକ୍ତି ଦେବାରେ କିଛି ଅସୁବିଧା ନାହିଁ ବୋଲି ବରିଷ୍ଠ ସରକାରୀ ଅଧିକାରୀମାନେ କହୁଛନ୍ତି ।
ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁ ଏହି ପ୍ରାର୍ଥୀ ଜଣକ ୪୦ ପ୍ରତିଶତ ଦୃଷ୍ଟିଶକ୍ତି ହରାଇବା ସଙ୍ଗେ ସଙ୍ଗେ ସ୍ନାୟବିକ ଦୁର୍ବଳତା ମଧ୍ୟ ଭୋଗୁଛନ୍ତି । ଏହାସତ୍ତେ୍ୱ ସେ ସ୍କୁଲରୁ ଆରମ୍ଭ କରି ରାଉରକେଲାର ନିଟ୍ ପର୍ଯ୍ୟନ୍ତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏବଂ ଆୟୋଗଙ୍କ ଦ୍ୱାରା ଆୟୋଜିତ ପ୍ରବେଶିକା ପରୀକ୍ଷାରେ ବେଶ୍ ଭଲ ପ୍ରଦର୍ଶନ କରିଆସୁଛନ୍ତି ।
କେନ୍ଦ୍ର ସରକାର ଜାତିସଂଘରେ ଦେଇଥିବା କଥା ଅନୁଯାୟୀ ୨୦୧୬ ମସିହାରେ ଭିନ୍ନକ୍ଷମ ଅଧିକାର ଆଇନ୍ ପ୍ରଣୟନ କରିଛନ୍ତି । ଏହା ସମଗ୍ର ଦେଶ ପାଇଁ ପ୍ରଯୁଜ୍ୟ । ଏହି ଆଇନ୍କୁ କେବଳ କେନ୍ଦ୍ର ସରକାର ହିଁ ସଂଶୋଧନ କରିପାରିବେ । ଆଇନ୍ର ୨ ଧାରାରେ ଥିବା ବ୍ୟବସ୍ଥା ଅନୁଯାୟୀ ୪୦ ପ୍ରତିଶତ କିମ୍ବା ତଦୁର୍ଦ୍ଧ ଶାରିରୀକ ଅକ୍ଷମତା ଥିବା ବ୍ୟକ୍ତିଙ୍କୁ ସଂରକ୍ଷଣ ସୁବିଧା ମିଳିବା କଥା ।
ତେବେ ଉକ୍ତ ପ୍ରାର୍ଥୀଙ୍କର ୪୦ ପ୍ରତିଶତ ଶାରୀରିକ ଅକ୍ଷମତା ଥିବାରୁ ଆୟୋଗ ତାଙ୍କ ପ୍ରାର୍ଥୀପତ୍ର ପ୍ରିଲିମ୍ନାରୀ, ଲିଖିତ ଓ ମୌଖିକ ପରୀକ୍ଷା ପରେ ନାକଚ କରିଦେଇଛନ୍ତି । ଏଥିଯୋଗୁ ତାଙ୍କ ନାମ ଯୋଗ୍ୟତା ତାଲିକାରେ ସ୍ଥାନ ପାଇନାହିଁ । ତେବେ ଜଣେ ଭିନ୍ନକ୍ଷମ ପ୍ରାର୍ଥୀ ଯଦି ଅଣସଂରକ୍ଷିତ ପ୍ରାର୍ଥୀଙ୍କ ଅପେକ୍ଷା ଭଲ ପ୍ରଦର୍ଶନ କରିଥାନ୍ତି ତେବେ ତାଙ୍କୁ ଅଣସଂରକ୍ଷିତ ପ୍ରାର୍ଥୀ ହିସାବରେ ନିଯୁକ୍ତି ଦେବା ପାଇଁ ଆଇନ୍ଗତ ବ୍ୟବସ୍ଥା ରହିଛି । କେନ୍ଦ୍ରୀୟ ଆଇନ୍ ଥିବା ସ୍ଥଳେ ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏକ ତ୍ରୁଟିପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ କରି ୪୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ବ୍ୟକ୍ତିଙ୍କୁ ସଂରକ୍ଷଣ ସୁବିଧା ମିଳିବ ବୋଲି ପ୍ରଥମେ ଦର୍ଶାଇ ପରେ ଏହି ତ୍ରୁଟିର ସଂଶୋଧନ କରି ଅନ୍ୟ ଏକ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ତେବେ ଆୟୋଗ ସଂଶୋଧିତ ବିଜ୍ଞପ୍ତି ଗ୍ରହଣ କରିବାକୁ ନାରାଜ୍ ।
ଏ ସଂକ୍ରାନ୍ତରେ ବଞ୍ଚିତ ଯୋଗ୍ୟ ପ୍ରାର୍ଥୀ ଜଣକ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ସାଧାରଣ ପ୍ରଶାସନ ବିଭାଗ, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଭିନ୍ନକ୍ଷମ କମିଶନ ଆଦି ନିକଟରେ ବାରମ୍ବାର ଗୁହାରି କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପୂର୍ବରୁ ଉକ୍ତ ପ୍ରାର୍ଥୀଙ୍କ ଯୋଗ୍ୟତାକୁ ବିଚାର କରି ଆୟୋଗ ନ୍ୟାୟ ଦେବାକୁ ଲେଖିଥିବା ବେଳେ ଗତ ୨୫ ତାରିଖରେ ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅନ୍ୟ ଏକ ଚିଠି ଲେଖି ଏହି ବଞ୍ଚିତ ପ୍ରାର୍ଥୀଙ୍କୁ ନ୍ୟାୟ ଦେବା ପାଇଁ ପୁଣିଥରେ ଆୟୋଗଙ୍କୁ ଅନୁରୋଧ କରିଛନ୍ତି ।
ସରକାର ଓ ଆୟୋଗଙ୍କ ଏହି ପତ୍ର ବିନିମୟ ମଧ୍ୟରେ ବଞ୍ଚିତ ଯୋଗ୍ୟ ପ୍ରାର୍ଥୀ ଓ ତାଙ୍କ ପରିବାର ଗଭୀର ମନସ୍ତାପ ମଧ୍ୟରେ ଅଛନ୍ତି । ଏ ପ୍ରସଙ୍ଗରେ ଆଇନ ଅଦାଲତର ଆଶ୍ରୟ ନିଆଯାଇଥିଲେ ବି ଯଦି ତ୍ରୁଟି ସଂଶୋଧନ କରି ତାଙ୍କୁ କର୍ତ୍ତୃପକ୍ଷ ନ୍ୟାୟ ଦିଅନ୍ତି ତା’ ହେଲେ ସେ ମାମଲା ପ୍ରତ୍ୟାହାର କରିନେବେ ବୋଲି ମଧ୍ୟ ସମ୍ପୃକ୍ତ ପ୍ରାର୍ଥୀ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି । ଏ ଘଟଣା ଏବେ ସଚିବାଳୟରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ୨୦୧୮ ବ୍ୟାଚ୍ ପାଇଁ ଆୟୋଗ ଯୋଗ୍ୟତା ତାଲିକା ପଠାଇଥିବାରୁ ଏହି ବ୍ୟାଚ୍ର ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦେବା ପୂର୍ବରୁ ୨୦୧୭ ବ୍ୟାଚ୍ର ଏହି ବଞ୍ଚିତ ପ୍ରାର୍ଥୀଙ୍କୁ ନ୍ୟାୟ ଦେବା ପାଇଁ ବିଭିନ୍ନ ଭିନ୍ନକ୍ଷମ ସଙ୍ଗଠନ ପକ୍ଷରୁ ଦାବି ଉଠିଛି ।