
ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଗରିବ ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ସୁଯୋଗ ଦେଇଛି ବୋଲି ନୂଆଦିଲ୍ଲୀ ଠାରେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଉପଲକ୍ଷେ ମାଇକ୍ରୋସେଭ୍, ଗେଟ୍ସ ଫାଉଣ୍ଡଡେସନ ଏବଂ କ୍ଲିଣ୍ଟନ୍ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା: ମହିଳାଙ୍କୁ ମିଳିଲା ସମ୍ମାନ ସମ୍ମିଳନୀରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୮ କୋଟିରୁ ଉର୍ଧ ମହିଳା ଲାଭାର୍ଥୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ମହିଳାଙ୍କ ସମ୍ମାନ ଓ ସ୍ୱାଭିମାନ ରକ୍ଷା କରିବା ସହ ସେମାନଙ୍କ ସଶକ୍ତିକରଣ ଆତ୍ମନିର୍ଭରଶୀଳ ଦିଗରେ ଅଗ୍ରସର କରିବା ପାଇଁ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ମୋଦି ସରକାରଙ୍କ ମହତ୍ୱପୂର୍ଣ୍ଣ ଏବଂ ମହତ୍ୱକାଂକ୍ଷୀ ପଦକ୍ଷେପ । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା କାରଣରୁ ଗରିବ ମହିଳାଙ୍କ ମଧ୍ୟରେ ଏଲପିଜି ଭଳି ସ୍ୱଚ୍ଛ ଇନ୍ଧନର ନିରନ୍ତର ବ୍ୟବହାର କରିବା ପାଇଁ ଉତ୍ସାହ ବଢିଛି ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ୨୦୧୪ ପର୍ଯ୍ୟନ୍ତ ଦେଶରେ ଏଲପିଜି ଉପଭୋକ୍ତାଙ୍କ ସଂଖ୍ୟା ମାତ୍ର ୧୩ କୋଟି ଥିଲା । ମାତ୍ର ମୋଦି ସରକାର ଦାୟିତ୍ୱ ନେବା ପରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ସାହାଯ୍ୟରେ ଆଜି ଏଲପିଜି ଉପଭୋକ୍ତାଙ୍କ ସଂଖ୍ୟା ୨୭.୭ କୋଟିକୁ ବୃଦ୍ଧି ପାଇଛି । ଗତ ୫ ବର୍ଷରେ ମୋଦି ସରକାର ଦେଶରେ ପ୍ରାୟ ୯୭ ପ୍ରତିଶତ ଘରେ ଏଲପିଜି ପହଁଚାଇବାର ସଫଳତା ହାସଲ କରିଛନ୍ତି ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଳୁଏଚଓ) ରିପୋର୍ଟ ଅନୁସାରେ ପ୍ରତିବର୍ଷ ଦେଶରେ ପ୍ରାୟ ୫ ଲକ୍ଷ ମହିଳା ଘରୋଇ ଧୂଆଁ କାରଣରୁ ମୃତ୍ୟୁବରଣ କରୁଥିଲେ । ଏହି ବିଷାକ୍ତ ଧୂଆଁକୁ ସମାପ୍ତ କରିବା ମୋଦି ସରକାରଙ୍କ ଲକ୍ଷ୍ୟ ଥିଲା ଏବଂ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଏ ଦିଗରେ ବଡ ସକରାତ୍ମକ ପଦକ୍ଷେପ ଭାବେ ପ୍ରମାଣିତ ହୋଇଛି ।
ସେହିପରି ସଂପ୍ରତି କେନ୍ଦ୍ର ସରକାର ଗରିବଙ୍କ ପାଖରେ ଏଲପିଜିର ବ୍ୟବହାରକୁ ବଢାଇବା ଦିଗରେ ଯୋର ଦେଉଛନ୍ତି । ବର୍ତ୍ତମାନ ଦେଶର ସାଧାରଣ ଲୋକମାନେ ବାର୍ଷିକ ହାରାହାରି ପ୍ରାୟ ୭ ଥର ଏଲପିଜି ରିଫିଲ କରୁଥିବା ଅପେକ୍ଷା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ୮୦ ପ୍ରତିଶତ ଲାଭାର୍ଥୀ ପ୍ରଥମ ବର୍ଷରେ ୪ରୁ ଅଧିକ ରିଫିଲ କରିଛନ୍ତି ଯାହା ଉତ୍ସାହଜନକ ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତରେ ଏଲପିଜିର ବ୍ୟବହାରକୁ ବଢାଇବା ଏବଂ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବାରେ ଉଜ୍ଜଳା ଯୋଜନା ଏକ ମଜବୁତ ଆଧାର ସଦୃଶ ହୋଇଛି । ଉର୍ଜାକୁ ଦେଶର ସବୁ ବର୍ଗର ଲୋକଙ୍କ ପାଖରେ ନିରନ୍ତର ଭାବରେ ସ୍ୱଚ୍ଛ ଓ ଶସ୍ତା ଦାମରେ ଓ ବ୍ୟବସ୍ଥିତ ପଦ୍ଧତିରେ ପହଞ୍ଚାଇବା ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ରହିଛି । ଏଲପିଜି ସାମାଜିକ ପରିବର୍ତ୍ତନର ଏକ ବଡ ଉତ୍ପେରକ । ଏଥିପାଇଁ ସବୁ ଲୋକଙ୍କ ପାଖରେ ଏଲପିଜିର ଲାଭ ଓ ଏଲପିଜିକୁ ସଠିକ୍ ଭାବରେ ବ୍ୟବହାର କରିବାର ସୂଚନା ପହଞ୍ଚାଇବା ଜରୁରୀ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ ଗରିବ ଲୋକଙ୍କର ଆବଶ୍ୟକତା ଏବଂ ପକେଟକୁ ସୁହାଇବା ଭଳି କମ ମାତ୍ରାରେ ଏଲପିଜି ରିଫିଲ ବିକ୍ରି କରିବାର ପ୍ରଣାଳୀ ଉପରେ ବିଚାର ବିମର୍ଷ କରିବା ପାଇଁ ତୈଳ ବିପଣନ କମ୍ପାନୀଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । ଉଲ୍ଲେଖନୀୟ ଯେ, ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଦ୍ୱାରା ମହିଳାମାନେ ସଶକ୍ତିକରଣ ହେବା ଏବଂ ସ୍ୱଚ୍ଛ ଇନ୍ଧନର ବ୍ୟବହାର ଦ୍ୱାରା ସେମାନଙ୍କ ଜୀବନଶୈଳୀରେ ଆସିଥିବା ସକରାତ୍ମକ ପରିବର୍ତ୍ତନ ଉପରେ ଆଲୋଚନା ହୋଇଥିଲା ।