ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ସମରେ ରାଜ୍ୟର ପ୍ରଥମ ଲିଭର ପ୍ରତିରୋପଣ


ସମ୍‍ ହସ୍ପିଟାଲରେ ହୋଇଛି ରାଜ୍ୟର ପ୍ରଥମ ଲିଭର 
ପ୍ରତିରୋପଣ । ନୀଳଗିରି ଅଞ୍ଚଳର ୫୫ବର୍ଷ ବୟସ୍କ ଜୟନ୍ତ ବିଶ୍ୱାଳଙ୍କ ଶରୀରରେ ତାଙ୍କ ପୁଅ ସୌମ୍ୟ ରଞ୍ଜନ ଦାନ କରିଥିବା ଲିଭରର କିଛି ଅଂଶକୁ ଡାକ୍ତରମାନେ ସଫଳତାର ସହ ପ୍ରତ୍ୟାରୋପଣ କରିଛନ୍ତି । ଦଶ ଘଣ୍ଟାର ଦୀର୍ଘ ଅପରେସନ ପରେ ଉଭୟ ପିତା ପୁତ୍ର ଆଇସିୟୁରେ ଥିଲେ ମଧ୍ୟ ନିରାପଦ ରହିଥିବା ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ରାଜ୍ୟ ଏହି ପ୍ରଥମ ଲିଭର ପ୍ରତିରୋପଣ ଅସ୍ତ୍ରୋପଚାର ସମ୍‍ ହସ୍ପିଟାଲ ପକ୍ଷରୁ ସମ୍ପୂର୍ଣ୍ଣ ମାଗଣାରେ ହୋଇଥିବାବେଳେ ଏଥିପାଇଁ ପ୍ରାୟ ବର୍ଷକ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା । ଏଥିପାଇଁ ସମ୍‍ ହସ୍ପିଟାଲ ଓ ହାଇଦ୍ରାବାଦର ଯଶୋଦା ହସ୍ପିଟାଲ ମଧ୍ୟରେ ରାଜିନାମା ହୋଇଛି । ଅପରାହ୍ନ ୩ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଜଟିଳ ଅପରେସନରେ ୪୦ଜଣିଆ ଡାକ୍ତରୀଦଳ ସାମିଲ ଥିବାବେଳେ ଯଶୋଦା ହସ୍ପିଟାଲର ୧୩ଜଣ ଡାକ୍ତର ଉପସ୍ଥିତ ରହିଥିବା କହିଛନ୍ତି ସମ୍‍ ଗ୍ୟାଷ୍ଟ୍ରୋଏଣ୍ଟରୋଲୋଜି ବଭାଗର ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ କୁମାର ସାହୁ ।

ଡାକ୍ତର ସାହୁ କହିଥିଲେ ଲିଭର ପ୍ରତିରୋପଣ ଲାଗି ବର୍ଷକ ତଳୁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଏଥିପାଇଁ ନିଶ୍ଚେତକ ଠାରୁ ଆରମ୍ଭକରି କାର୍ଡିଓଲୋଜି, ନେଫ୍ରୋଲୋଜି, ୟରୋଲୋଜି, କାର୍ଡିଓ ଥୋରାସିସ ଆଣ୍ଡ ଭାସ୍କୁଲାର ସର୍ଜରୀ, ହେମାଟୋଲୋଜି ଓ ବ୍ଲକବ୍ୟାଙ୍କ୍‍ ପର୍ଯ୍ୟନ୍ତ ବିଭିନ୍ନ ବିଭାଗକୁ ପ୍ରସ୍ତୁତ କରାଯାଇଥିଲା । ଯଶୋହା ହସ୍ପିଟାଲର ଗୋଟିଏ ଟିମ୍‍ ସମ୍‍ ହସ୍ପିଟାଲ ଆସି ଅଙ୍ଗ ପ୍ରତ୍ୟାରୋପଣ ପ୍ରସ୍ତୁତି ସଂକ୍ରାନ୍ତରେ ବୁଲି ଦେଖିଥିଲେ । ସମ୍‍ର ନର୍ସ ଓ ପାରାମେଡିକ କର୍ମଚାରୀମାନେ ଯଶୋଦା ହସ୍ପିଟାଲ ଯାଇ ସେଠାରେ ତାଲିମ ନେଇ ଆସିଛନ୍ତି ।

ଅଙ୍ଗ ପ୍ରତିରୋପଣ ଲାଗି ସରକାରୀ ଅନୁମତି ମିଳିବା ପରେ ଏହି ଅପରେସନ ହୋଇପାରିଛି । ପ୍ରଫେସର ସାହୁ କହିଛନ୍ତି ଯେ ରାଜ୍ୟ ବାହାରେ ଲିଭର ପ୍ରତ୍ୟାରୋପଣ ପାଇଁ ୨୫ରୁ ୩୦ଲକ୍ଷ ଟଙ୍କା ବ୍ୟୟ ହେଉଥିବାବେଳେ ସମ୍‍ରେ ଏଥିପାଇଁ ୧୦ଲକ୍ଷ ଟଙ୍କା ବ୍ୟୟ ହେବବୋଲି ଆକଳନ ହୋଇଛି । ଏହାଠାରୁ ବି କମ୍‍ ବ୍ୟୟ ହୋଇପାରେ ।

ଲିଭର ପ୍ରତିରୋପଣ ହୋଇଥିବା ଶ୍ରୀ ବିଶ୍ୱାଳ ଗୁଜୁରାଟରେ ଚାକିରି କରିଥିବାବେଳେ ତାଙ୍କର ଲିଭରଟି ଅକାମୀ ଅବସ୍ଥାକୁ ଆସିଯାଇଥିଲା । ଲିଭର ପ୍ରତ୍ୟାରୋପଣ ଥିଲା ଶେଷ ଭରସା । ମୃତ୍ୟୁ ସହ ସଂଗ୍ରାମ କରୁଥିବା ଶ୍ରୀ ବିଶ୍ୱାଳ ରାଜ୍ୟ ବାହାରେ ଲିଭର ପ୍ରତିରୋପଣ ନେଇ ଯୋଗାଯୋଗ କରିଥିଲେ । ହେଲେ ବିପୁଳ ପରିମାଣର ଖର୍ଚ୍ଚ ଦେଖି ପଛଘୁଞ୍ଚା ଦେଇଥିଲେ । ତାଙ୍କର ୧୯ବର୍ଷିୟ ପୁଅ ଲିଭର ଦେବାପାଇଁ ପ୍ରସ୍ତୁତ ହେବାପରେ ସମ୍‍ ହସ୍ପିଟାଲ ପକ୍ଷରୁ ପ୍ରତିରୋପଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମ ପ୍ରତ୍ୟାରୋପଣକୁ ସମ୍‍ ହସ୍ପିଟାଲ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦେଇଛନ୍ତି ।

ଅପରୋସନର ୪/୫ ଦିନ ମଧ୍ୟରେ ପିତା ପୁତ୍ର ଆଇସିୟୁରୁ ପଦାକୁ ଆସିବେ ଏବଂ ଖୁବ୍‍ଶୀଘ୍ର ଆରୋଗ୍ୟ ହୋଇ ଘରକୁ ଯିବେ । ଡାକ୍ତର ସାହୁ କହିଛନ୍ତି ଯେ ଲିଭର ପ୍ରତିରୋପଣ ଏକ ଜଟିଳ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଦାନ କରୁଥିବା ବ୍ୟକ୍ତିଙ୍କର କୌଣସି ସମସ୍ୟା ହୁଏନାହିଁ । କାରଣ ଚର୍ମ ଭଳି କିଛିଦିନ ମଧ୍ୟରେ ଲିଭର ମଧ୍ୟ ପୂର୍ବାବସ୍ଥାକୁ ଫେରିଆସେ । ସେଭଳି ଯାହାଙ୍କ ଠାରେ ଲିଭର ପ୍ରତିରୋପଣ ହୁଏ ସିଏ ମଧ୍ୟ ଦୀର୍ଘଦିନ ପର୍ଯ୍ୟନ୍ତ ସୁସ୍ଥ ଜୀବନ ଯାପନ କରିଥାନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଯଶୋଦା ହସ୍ପିଟାଲର ଡାକ୍ତର ସନ୍ତୋଷ ସାହୁ କହିଛନ୍ତି ଯେ ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଯଶୋଦା ହସ୍ପିଟାଲ ଦେଶ ଭିତରେ ସମ୍‍ ହସ୍ପିଟାଲ ସମେତ ୭ଟି କେନ୍ଦ୍ରରେ ସହାୟତା କରୁଥିବାବେଳେ ଦେଶ ବାହାରେ ମିଆଁମାର, ବଙ୍ଗଳାଦେଶ, ଉଜ୍‍ବେକିସ୍ଥାନ, ବ୍ରୁନେଇ ଓ ଜର୍ଜିଆ ଭଳି ଦେଶରେ ମଧ୍ୟ ସହାୟତା ଯୋଗାଇ ଦେଉଛି । ଅଙ୍ଗ ପ୍ରତ୍ୟାରୋପଣ କ୍ଷେତ୍ରରେ ସମ୍‍ ହସ୍ପିଟାଲ ସମ୍ପୂର୍ଣ୍ଣ ଭାବେ ପାରଙ୍ଗମ ହେବା ପର୍ଯ୍ୟନ୍ତ ଯଶୋଦା ହସ୍ପିଟାଲ ସହାୟତା ଯୋଗାଇଦେବ ବୋଲି ସେ କହିଛନ୍ତି ।

ସମ୍‍ର ପ୍ରଫେସର ଡାକ୍ତର ମନୋଜ ସାହୁ କହିଛନ୍ତି ଯେ ରାଜ୍ୟରେ ଲିଭର ଜନିତ ରୋଗ ଗୁରୁତର ସ୍ଥିତିରେ ରହିଛି । ଉପକୂଳ ଓଡିଶାରେ ୮ ପ୍ରତିଶତ ଲୋକ ଲିଭର ରୋଗରେ ପୀଡିତ ଥିବାବେଳେ ଆଦିବାସୀ ଅଞ୍ଚଳରେ ଏହା ପ୍ରାୟ ୧୩ ପ୍ରତିଶତ ରହିଛି । ମଦ୍ୟପାନ ସହିତ ବିଭିନ୍ନ ପ୍ରକାର ଯନ୍ତ୍ରଣା ନିବାରକ ଔଷଧ ସେବନ ଯୋଗୁଁ ଲିଭର କ୍ଷତିଗ୍ରସ୍ତ ହେଉଥିବାବେଳେ ବଂଶଗତ ଭାବେ ମଧ୍ୟ କେତେକଙ୍କୁ ଏହି ରୋଗ ହେଉଛି । ସେହିଭଳି ହେପାଟାଇଟସ-ବି ରେ ଆକ୍ରାନ୍ତ ଲୋକେ ମଧ୍ୟ ଲିଭର ରୋଗରେ ପୀଡିତ ହୋଇଥାନ୍ତି । ରାଜ୍ୟର ବହୁ ରୋଗୀ ରାଜ୍ୟ ବାହାରେ ଯାଇ ଲିଭର ପ୍ରତ୍ୟାରୋପଣ କରୁଥିବାବେଳେ ଏଥିପାଇଁ ବ୍ୟାପକ ଖର୍ଚ୍ଚାନ୍ତ ହେଉଛନ୍ତି ।

ସମ୍‍ ହସ୍ପିଟାଲରେ ଲିଭର ପ୍ରତିରୋପଣ ଆରମ୍ଭ ହୋଇଥିବାରୁ ଯେଉଁ ରୋଗୀମାନେ ଲିଭର ଏହା ଆବଶ୍ୟକ କରୁଛନ୍ତି ସେମାନେ ତୁରନ୍ତ ସମରେ ନାମ ପଞ୍ଜିକରଣ କରିବାପାଇଁ ଯଶୋଦା ହସ୍ପିଟାଲର ଡାକ୍ତର ସାହୁ ପରାମର୍ଶ ଦେଇଥିଲେ । ଏହା ଫଳରେ ଯଦି କୌଣସି ସମୟରେ ଲିଭର ଦାନ ଆକାରରେ ମିଳିବ ତେବେ ଅପେକ୍ଷାରେ ଥିବା ରୋଗୀଙ୍କୁ ଡାକି ତୁରନ୍ତ ତାଙ୍କ ଠାରେ ଏହା ରୋପଣ ହୋଇପାରିବ ।

ସମ୍‍ ହସ୍ପିଟାଲର ଏଭଳି ସଫଳତା ପାଇଁ ଏହା ପ୍ରତିଷ୍ଠାତା ଡକ୍ଟର ମନୋଜ ରଞ୍ଜନ ନାୟକଙ୍କୁ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ବିଶେଷଜ୍ଞମାନେ ଧନ୍ୟବାଦ ଦେଇଥିଲେ । ଲିଭର ପ୍ରତିରୋପଣ ଭଳି ଜୀବନ ରକ୍ଷାକାରୀ ଅସ୍ତ୍ରୋପଚାର ପାଇଁ ଡକ୍ଟର ନାୟକ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଆଜି ସଫଳ ହୋଇଛି ବୋଲି ସେମାନେ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ସମ୍‍ର ଡାକ୍ତର ସାମନ୍ତସିଂହାର, ଡାକ୍ତର ପ୍ରେମାନନ୍ଦ ପଟ୍ଟନାୟକ, ଯଶୋଦା ହସ୍ପିଟାଲର ଡାକ୍ତର କ୍ରିଷ୍ଣାଚୈତନ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023