
ରାଜ୍ୟ ସରକାରମାନେ କାମ୍ପା ଅର୍ଥକୁ ଅନ୍ୟଆଡ଼େ ବିନିଯୋଗ କରୁଥିବାରୁ କେନ୍ଦ୍ର ସରକାର ଏଭଳି ନ କରିବା ପାଇଁ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କମ୍ପେନସେଟୋରୀ ଆଫରୋଷ୍ଟେସନ ଫଣ୍ଡ ମ୍ୟାନେଜମେଣ୍ଟ ଆଣ୍ଡ ପ୍ଲାନିଂ ଅଥରିଟି (କାମ୍ପା) ପାଣ୍ଠିରୁ ୪୭,୪୩୬ କୋଟି ଟଙ୍କା ଯୋଗାଇ ଦେଇଥିବା ବେଳେ ଅନେକ ରାଜ୍ୟ ଏହି ଅର୍ଥକୁ ଅଣଜଙ୍ଗଲ କାର୍ଯ୍ୟକ୍ରମରେ ବ୍ୟୟ କରିଦେଉଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଓଡିଶା ସବୁଠାରୁ ଅଧିକ ଅର୍ଥ କାମ୍ପା ପାଣ୍ଠିରୁ ପାଉଛି ।
ଓଡ଼ିଶା ସରକାର ୨୦୧୯ ସୁଦ୍ଧା କେନ୍ଦ୍ରରୁ ୫୯୩୩ କୋଟି ୯୮ ଲକ୍ଷ ଟଙ୍କା ପାଇଥିବା ବେଳେ ଏହି ସମସ୍ତ ଅର୍ଥ ଅଣ ଜଙ୍ଗଲ କାର୍ଯ୍ୟ ପାଇଁ ବ୍ୟବହାର ହେଉଥିବା ଜଙ୍ଗଲ ଜମି ବାବଦୀୟ କ୍ଷତି ଭରଣା ପାଇଁ ଖର୍ଚ୍ଚ ହେବା କଥା । ଓଡ଼ିଶା ସରକାର ନିୟମିତ ଭାବେ କାମ୍ପାରୁ ସିଂହଭାଗ ଅର୍ଥ ପାଉଥିବା ବେଳେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ କର୍ତ୍ତୃପକ୍ଷ ଏ ସଂକ୍ରାନ୍ତୀୟ ଅର୍ଥ ବ୍ୟବହାର ଉପରେ ନଜର ରଖିଛନ୍ତି ।
କେନ୍ଦ୍ର ସରକାର କାମ୍ପା ପାଣ୍ଠି ବାବଦରେ ପ୍ରତିବର୍ଷ ୩ରୁ ୫ ହଜାର କୋଟି ଟଙ୍କା ପାଉଥିବା ବେଳେ ରାଜ୍ୟ ସରକାରମାନଙ୍କୁ ପ୍ରତିବର୍ଷ ୧୫୦୦ରୁ ୩୦୦୦ କୋଟି ଟଙ୍କା କରି ଯୋଗାଇ ଦେଉଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷରେ ଓଡ଼ିଶା ସରକାର ୫୯୨ କୋଟି ୫୨ ଲକ୍ଷ ଟଙ୍କାର ବାର୍ଷିକ ଆକ୍ସନ ପ୍ଲାନ ଦେଇଥିବା ବେଳେ ଏହା ମଞ୍ଜୁର ହୋଇଛି । ଅନ୍ୟ ସମସ୍ତ ରାଜ୍ୟମାନଙ୍କର ବାର୍ଷିକ ଆକ୍ସନ ପ୍ଲାନର ଅର୍ଥ ପରିମାଣ ମିଶି ୫୨୨୪ କୋଟି ୮୬ ଲକ୍ଷ ଟଙ୍କା ହୋଇଥିବା ଜଣାଯାଇଛି ।
ଯେଉଁ ରାଜ୍ୟ ସରକାରମାନେ ଅଧିକରୁ ଅଧିକ ପ୍ରକଳ୍ପ ଯୋଜନା ଦେଉଛନ୍ତି ସେମାନେ ଅଧିକ ପରିମାଣରେ କାମ୍ପାରୁ ଅର୍ଥ ପାଉଛନ୍ତି । ଛତିଶଗଡ଼ ସରକାରକୁ ୨୦୧୯-୨୦ ବର୍ଷରେ କାମ୍ପା ପାଣ୍ଠିରୁ ୮୪୮ କୋଟି ୫୧ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । କେନ୍ଦ୍ରୀୟ କର୍ତ୍ତୃପକ୍ଷ ଦର୍ଶାଇଛନ୍ତି ଯେ କାମ୍ପା ପାଣ୍ଠିରୁ ଯୋଗାଯାଉଥିବା ଏହି ଅର୍ଥ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ବଜେଟ୍ ଛଡା ଅତିରିକ୍ତ ଭାବରେ ଏହା ବ୍ୟୟ ହେବାପଥା । ଯାହା ଫଳରେ କି କେନ୍ଦ୍ରୀୟ କ୍ଷତିପୂରକ ବନୀକରଣ ଆଇନ୍ର ଏହା ଅନ୍ତରାୟ ହେଉଛି ।
କାମ୍ପାରୁ ମିଳୁଥିବା ସମସ୍ତ ଅର୍ଥ ଜଙ୍ଗଲ ଜମିରେ ଅଣଜଙ୍ଗଲ କାର୍ଯ୍ୟଜନିତ କ୍ଷତିର ଭରଣା ପାଇଁ ବ୍ୟବହାର ହେବା କଥା । କ୍ଷତିଗ୍ରସ୍ତ ହେଉଥିବା ଅଞ୍ଚଳରେ ହେଉଥିବା କ୍ଷତିପୂରକ ବନୀକରଣ ଯୋଜନା ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟକ୍ରମ ଏହି ପାଣ୍ଠିରୁ ବିନିଯୋଗ କରାଯିବ । ସେଥିପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । କିନ୍ତୁ ଯାହା ଲକ୍ଷ୍ୟ କରାଯାଉଛି ଏହି ନିର୍ଦ୍ଦେଶାବଳୀକୁ କେତେକ ରାଜ୍ୟ ଉଲ୍ଲଙ୍ଘନ କରୁଛନ୍ତି । ସେଥିପାଇଁ କେନ୍ଦ୍ରୀୟ କର୍ତ୍ତୃପକ୍ଷ ଏଭଳି ନକରିବାକୁ ପରାମର୍ଶ ଦେଇଥିବା ଜଣାଯାଏ ।
କାମ୍ପା ଅର୍ଥରେ କ୍ଷତିପୂରକ ବନୀକରଣ, ବନ ସଂରକ୍ଷଣ, ଔଷଧିୟ ବୃକ୍ଷ ରୋପଣ ତଥା ଆନୁଷଙ୍ଗିକ କାର୍ଯ୍ୟ ଯୋଜନା ପାଇଁ ପଦକ୍ଷେପ ନିଆଯାଏ । ଆଇନ୍ରେ ଥିବା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି କାମ୍ପା ଅର୍ଥକୁ ସଦୁପଯୋଗ କରିବାପାଇଁ କେନ୍ଦ୍ରୀୟ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି । ଏଥି ସଂଗେ ସଂଗେ ଅଧିକରୁ ଅଧିକ ପ୍ରକଳ୍ପମାନ ବାର୍ଷିକ କାର୍ଯ୍ୟ ଯୋଜନାରେ ଅର୍ନ୍ତଭୁକ୍ତ କରି ଜାତୀୟ ପ୍ରାଧିକରଣ ନିକଟରେ ଉପସ୍ଥାପନ କରିବାପାଇଁ କହିଛନ୍ତି । ଯାହା ଫଳରେ ରାଜ୍ୟମାନେ ଅଧିକ ଅର୍ଥ ପାଇପାରିବେ । (ତଥ୍ୟ)