ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ସମସ୍ୟାରେ ସିଲେଇ ଶିଳ୍ପ

ବଜାରରେ ରେଡିମେଟ ପୋଷାକର ଚାହିଦା ବଢ଼ି ଚାଲିଥିବାରୁ ଏବେ ସିଲେଇ ଶିଳ୍ପ ଗୁରୁତର ସମସ୍ୟା ଦେଇ ଗତିକରୁଛି । ଦରଜି ବୃତ୍ତକୁ ଆଦରି ନେଇ ଯେଉଁମାନେ ସିଲେଇ ମେସିନରେ କାମ କରି ଲୋକଙ୍କ ମାପର ପୋଷାକ ତିଆରି କରିବା ସହ ଏଥିରୁ ହେଉଥିବା ଆୟରେ ପରିବାର ପ୍ରତିପୋଷଣ କରୁଥିଲେ ସେମାନଙ୍କ ଭିତରୁ ଅନେକ ଏବେ ହାତବାନ୍ଧି ବସିଛନ୍ତି ।

ସାମାଜିକ ଚଳଣି ବଦଳିବା ସହ ମହିଳାମାନଙ୍କ ମଧ୍ୟରୁ ଅନେକ ଶାଢ଼ୀ ଅପେକ୍ଷା ବିଭିନ୍ନ ଡିଜାଇନର ପୋଷାକ ପିନ୍ଧିବାକୁ ପସନ୍ଦ କରୁଛନ୍ତି । ଏଥିରେ ପ୍ରଥମେ ଦରଜିମାନେ ବେଶ ଲାଭବାନ ହେଉଥିଲେ । କିନ୍ତୁ କିଛିବର୍ଷ ମଧ୍ୟରେ ବଡ଼ ବଡ଼ ସପିଂମଲମାନ ଖୋଲିବା ସହିତ ନାମୀଦାମୀ କମ୍ପାନୀ ଚିହ୍ନରେ ବଜାରରେ ବିଭିନ୍ନ ଡିଜାଇନ୍‍ର ଆକର୍ଷଣୀୟ ପୋଷାକମାନ ଉପଲବ୍ଧ ହେଉଥିବାରୁ ମହିଳାମାନଙ୍କ ପୋଷାକ ପ୍ରସ୍ତୁତ କରୁଥିବା ଦରଜିମାନଙ୍କ ମଧ୍ୟରୁ ଅନେକ ଏବେ ବିଶେଷ କାମ ପାଉନାହାନ୍ତି ।

ସେହିପରି ବିଦ୍ୟାଳୟ ଓ ଅଙ୍ଗନବାଡ଼ିରେ ସରକାର ମାଗଣା ପୋଷାକ ବଣ୍ଟନ କରୁଛନ୍ତି । ସ୍ଥାନୀୟ ଅଞ୍ଚଳରେ ବିଶେଷକରି ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ଦକ୍ଷତା ବିକାଶ ତାଲିମ ମାଧ୍ୟମରେ ପୋଷାକ ତିଆରି ଶିଖି ଆତ୍ମନିର୍ଭରଶୀଳ ହେବାକୁ ସଂଘର୍ଷ କରୁଥିବା ବ୍ୟକ୍ତି ଓ ସଂସ୍ଥାମାନଙ୍କୁ ହାତ ତିଆରି ପୋଷାକ ଯୋଗାଇଦେଇ ଏମାନଙ୍କ ଆର୍ଥିକ ସମୃଦ୍ଧି କଥା ମଧ୍ୟ ମୂଳ ଯୋଜନାରେ ଥିଲା । ତେବେ ପରବର୍ତ୍ତୀ ସମୟରେ ସୂତା କିମ୍ବା ଖଦିର ପୋଷାକ ନ ଦେଇ ଓଡ଼ିଶା ବାହାରର ବହୁ ସଂସ୍ଥା ଆମ ବିଦ୍ୟାଳୟ ଓ ଅଙ୍ଗନବାଡ଼ିଗୁଡ଼ିକୁ ପୋଷାକ ଯୋଗାଇବା ଫଳରେ ରାଜ୍ୟର ଦରଜି ଶିଳ୍ପ ଉପରେ ଢେର ପ୍ରତିକୂଳ ପ୍ରଭାବ ପଡ଼ିଛି ।

ସେହିପରି ଯୁବପିଢ଼ିର ଫେସନକୁ ଆଖି ଆଗରେ ରଖି ପୁଞ୍ଜିପତିମାନଙ୍କ ଦ୍ୱାରା ପରିଚାଳିତ ବଡ଼ ବଡ଼ ଶିଳ୍ପାନୁଷ୍ଠାନ ଏବେ ପୋଷାକ ତିଆରି ଓ ବିପଣନରେ ବ୍ୟସ୍ତ । ଏମିତିକି ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ଏମାନଙ୍କ ବ୍ରାଣ୍ଡର ଗୋଟିଏ ପୋଷାକ କିଣିଲେ ଆଉ ଗୋଟିଏ ମାଗଣାରେ ମିଳିବ ବୋଲି ବ୍ୟାପକ ପ୍ରଚାର ଚାଲିଛି । ଫଳରେ ଜାମା, ପ୍ୟାଣ୍ଟ ଠାରୁ ଆରମ୍ଭ କରି କୁର୍ତ୍ତା, ପାଇଜାମା ଏମିତିକି ସୁଟ, କୋଟ ପର୍ଯ୍ୟନ୍ତ ବିଭିନ୍ନ ମାପର କମ୍ପାନୀ ତିଆରି ପୋଷାକ ବଜାରରେ ମିଳୁଛି । ବରକନ୍ୟାଙ୍କ ପାଇଁ ମଧ୍ୟ ବଜାରରେ ପୋଷାକ ମିଳିଯାଉଛି । ଫଳରେ ଦରଜି ବୃତ୍ତିକୁ ଆପଣେଇ ନେଇଥିବା ଲୋକମାନଙ୍କ ଦାନାପାଣି ଦିନକୁ ଦିନ ଡୁବିବାରେ ଲାଗିଛି ।

ବେସରକାରୀ ଆକଳନ ଅନୁଯାୟୀ ଓଡ଼ିଶାରେ ଦେଢ଼ଲକ୍ଷରୁ ଅଧିକ ଦରଜି ଅଛନ୍ତି ଯେଉଁମାନେ ସିଲେଇ ମେସିନରେ ପୋଷାକ ତିଆରି କରିବା କ୍ଷେତ୍ରରେ ସିଦ୍ଧହସ୍ତ । ତେବେ କନା କିଣି ପୋଷାକ ଦରଜିଙ୍କ ପାଖରେ ପୋଷାକ ତିଆରି କରିବା ଅପେକ୍ଷା ବଜାରରୁ ରେଡିମେଡ ପୋଷାକ କିଣିବା ଲାଗି ଖାଉଟିମାନଙ୍କ ମଧ୍ୟରୁ ଅଧିକାଂଶ ଗୁରୁତ୍ୱ ଦେବା ଫଳରେ ଏବେ ସାଙ୍ଘାତିକ ସମସ୍ୟା ସୃଷ୍ଟି ହୋଇଛି । ଗତ କିଛିବର୍ଷ ମଧ୍ୟରେ ଅନେକ ସିଲେଇ ମିସ୍ତ୍ରୀ ମଧ୍ୟ ସେମାନଙ୍କ ବୃତ୍ତି ଛାଡ଼ି ସାରିଲେଣି ।

ଗୋଟିଏ ପଟେ ହସ୍ତତନ୍ତ, ବୟନ ଶିଳ୍ପ ଏବଂ ସୂତାକଳ ଆଦି ଜୀବନ ମରଣର ସନ୍ଧିକ୍ଷଣରେ ଗତି କରୁଥିବା ବେଳେ ବହୁ ବୁଣାକାର ଓ ସୂତା କଟାଳି ଅନ୍ୟ ରାଜ୍ୟକୁ ଯାଇ ସେଠାରେ କାମ କରୁଛନ୍ତି । ଏଣେ ରାଜ୍ୟ ପାଇଁ ବାର୍ଷିକ ପ୍ରାୟ ୨୦ ହଜାର କୋଟି ଟଙ୍କାର କପଡ଼ା ଦରକାର ପଡ଼ୁଥିବା କୁହାଯାଉଥିବା ବେଳେ ଏହି ବଜାରର ମୁଖ୍ୟାଂଶ ଓଡ଼ିଶା ବାହାର ସଂସ୍ଥା ଓ ବ୍ୟକ୍ତି ବିଶେଷମାନେ ଦଖଲ କରି ନେଉଛନ୍ତି । (ତଥ୍ୟ) 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023