ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଜିଏସଟି ବୃଦ୍ଧି ହାର ୨୮ ପ୍ରତିଶତ


୨୦୨୦ ମସିହା ଫେବୃଆରୀ ମାସ ପର୍ଯ୍ୟନ୍ତ ରାଜ୍ୟ ଜିଏସଟି ଆଦାୟରେ ଓଡ଼ିଶା ସୁସ୍ଥ ଅଭିବୃଦ୍ଧି ଧାରା ବଜାୟ ରଖିବାର ସଫଳ ହୋଇଛି । ପୂର୍ବ ମାସଗୁଡ଼ିକ ଭଳି ୨୦୨୦ ମସିହା ଫେବୃଆରୀ ମାସରେ ୮୦୪.୮୫ କୋଟି ଟଙ୍କା ସଂଗୃହିତ ହୋଇଥିବାବେଳେ ୨୦୧୯ ମସିହା ଏହି ସମୟରେ ୬୭୨.୯୯ କୋଟି ଟଙ୍କା ରାଜ୍ୟ ଜିଏସଟି ଆଦାୟ ହୋଇଥିଲା । ୮୦୪.୮୫ କୋଟି ଟଙ୍କାର ରାଜ୍ୟ ଜିଏସଟି ଆଦାୟ ପରିମାଣ ହେଉଛି ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ସର୍ବାଧିକ । କେନ୍ଦ୍ରୀୟ ଜିଏସିଟି ଆଦାୟରେ ମଧ୍ୟ ଅନୁରୂପ ସୁସ୍ଥ ଧାରା ପରିଲକ୍ଷିତ ହୋଇଛି ।

୨୦୧୯ ମସିହା ଏପ୍ରିଲରୁ ୨୦୨୦ ମସିହା ଫେବୃଆରୀ ମଧ୍ୟରେ ମୋଟ ଜିଏସଟି ସଂଗ୍ରହ କ୍ଷେତ୍ରରେ ୧୧.୧୮ ପ୍ରତିଶତ ବୃଦ୍ଧିହାର ହେବା ସହ ୨୭୦୪୪.୩୭ କୋଟି ଟଙ୍କା ଆଦାୟ ହୋଇଥିବାବେଳେ ୨୦୧୮-୧୯ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ୨୪୩୨୫.୭୯ କୋଟି ଟଙ୍କା ସଂଗୃହିତ ହୋଇଥିଲା । ୨୦୨୦ ମସିହା ଫେବୃଆରୀ ମାସରେ ଆଦାୟ କରାଯାଇଥିବା ୨୭୯୦ କୋଟି ଟଙ୍କାର ମୋଟ ଜିଏସଟି ପରିମାଣ ମଧ୍ୟ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ସର୍ବାଧିକ ମାସିକ ଆଦାୟ ।

କୋଇଲା ଓ ଇସ୍ପାତ ବିକ୍ରୟ କ୍ଷେତ୍ରରେ ମାନ୍ଦାବସ୍ଥା ଯୋଗୁଁ ସମନ୍ୱିତ ଜିଏସଟି (ଆଇଜିଏସଟି) ଓ ଅତିରିକ୍ତ ଟିକସ ବୃଦ୍ଧି କ୍ଷେତ୍ରରେ ପୂର୍ବ ମାସଗୁଡ଼ିକରେ ବିଯୁକ୍ତାତ୍ମକ ଧାରା ଦେଇଥିବାବେଳେ ୨୦୨୦ ମସିହା ଫେବୃଆରୀ ମାସରେ ଏ କ୍ଷେତ୍ରରେ ଯଥାକ୍ରମେ ୯.୨୯ ପ୍ରତିଶତ ଓ ୨୭.୬୫ ପ୍ରତିଶତ ଅଭିବୃଦ୍ଧି ଦେଖାଯାଇଛି । ୨୦୨୦ ମସିହା ଫେବୃଆରୀ ମାସ ପର୍ଯ୍ୟନ୍ତ ଅତିରିକ୍ତ ଟିକସ କ୍ଷେତ୍ରରେ କ୍ରମ ବୃଦ୍ଧି ହାର ୨୦୧୯ ମସିହା ଏହି ମାସ ତୁଳନାରେ ପ୍ରଥମ ଥର ପାଇଁ ଯୁକ୍ତାତ୍ମକ (୦.୨୦ ପ୍ରତିଶତ) ଧାରା ପରିଲକ୍ଷିତ ହୋଇଛି । ତଥାପି ଆଇଜିଏସଟି କ୍ଷେତ୍ରରେ କ୍ରମ ବୃଦ୍ଧିହାର ବିଯୁକ୍ତାତ୍ମକ (-୩.୨୦ ପ୍ରତିଶତ) ରହିଛି । କିନ୍ତୁ ରାଜ୍ୟ ଦୃଷ୍ଟି କୋଣରୁ ଦେଖିବାକୁ ଗଲେ ରାଜ୍ୟ ଜିଏସଟି ଓ କେନ୍ଦ୍ରୀୟ ଜିଏସଟି ଆକାରରେ ଟିକସ କ୍ଷେତ୍ରରେ ଏକ ସୁସ୍ଥ ଅଭିବୃଦ୍ଧି (୨୭ ପ୍ରତିଶତ) ଦେଖିବାକୁ ମିଳିଛି ।

୨୦୨୦ ମସିହା ଫେବୃଆରୀ ମାସରେ ପେଟ୍ରୋଲିୟମ ଓ ମଦରୁ ଭାଟ୍ ସଂଗ୍ରହ ୬୯୫.୮୧ କୋଟି ଟଙ୍କା ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷର ଏହା ହେଉଛି ସର୍ବାଧିକ ମାସିକ ଆଦାୟ । ଏଥି ମଧ୍ୟରୁ ୨୦୧୯ ଡ଼ିସେମ୍ବର ମାସ ପର୍ଯ୍ୟନ୍ତ ପେଟ୍ରୋଲଜାତ ସାମଗ୍ରୀରୁ ଭାଟ୍ ଆଦାୟ ବିଯୁକ୍ତାତ୍ମକ ଧାରାରେ ବୃଦ୍ଧି ପାଉଥିବାବେଳେ ୨୦୨୦ ମସିହା ଫେବୃଆରୀ ମାସରେ ଏଥିରେ ଅଗ୍ରଗତି ଘଟି ୫୪୧.୪୪ କୋଟି ଟଙ୍କା ଆଦାୟ ହୋଇଛି । ୨୦୧୯ ମସିହା ଫେବୃଆରୀ ମାସରେ ଏହି ପରିମାଣ ୪୭୦.୭୨ କୋଟି ଟଙ୍କା ଥିଲା । ଫଳରେ ପୂର୍ବ ବର୍ଷ ଫେବୃଆରୀ ମାସ ତୁଳନାରେ ୧୫.୦୨ ପ୍ରତିଶତ ଅଭିବୃଦ୍ଧି ହାର ହାସଲ ହୋଇଛି ।

ରିଟର୍ଣ୍ଣ (ଜିଏସଟି ଆର-୩ ବି) ଦାଖଲ କ୍ଷେତ୍ରରେ ମଧ୍ୟ ସୁସ୍ଥ ଅଗ୍ରଗତି ପରିଲକ୍ଷିତ ହେବା ସହ ୨୦୨୦ ମସିହା ଜାନୁଆରୀ ମାସରେ ରାଜ୍ୟ ଅଧିନସ୍ଥ ଟିକସ ଦାତାଙ୍କ ମଧ୍ୟରେ ୯୧ ପ୍ରତିଶତ ଟିକସଦାତା ଧାର୍ଯ୍ୟ ସମୟ ମଧ୍ୟରେ ଦାଖଲ କରିଛନ୍ତି, ଯାହାକି ସର୍ବାଧିକ । ୨୦୧୯ ମସିହା ଏହି ସମୟରେ ଏହା ୬୭ ପ୍ରତିଶତ ଥିଲା । ଟିକସ ପରିସର ବୃଦ୍ଧି ନିମନ୍ତେ ଜିଏସଟି ଅଧିନରେ ପଞ୍ଜିକୃତ ହୋଇନଥିବା ଯୋଗ୍ୟ ବ୍ୟବସାୟୀଙ୍କ ସର୍ଭେ କରାଯିବାକୁ କ୍ଷେତ୍ରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଫଳରେ ଚଳିତ ଆର୍ଥିକ ବର୍ଷରେ ୪୫୬୩୯ ସଂଖ୍ୟକ ନୂଆ ଟିକସଦାତା ଟିକସ ପରିସରଭୁକ୍ତ ହୋଇଛନ୍ତି ।

ରିଟର୍ଣ୍ଣ ଦାଖଲ ଖିଲାପକାରୀ ଓ ଭୁଲ୍ ରିଟର୍ଣ୍ଣ ଦାଖଲକାରୀଙ୍କ ବିରୁଦ୍ଧରେ ସ୍ୱତନ୍ତ୍ର ଅଭିଯାନ ଗ୍ରହଣ କରିବା ପାଇଁ ରାଜ୍ୟ ଜିଏସଟି କମିଶନରେଟ ତରଫରୁ କ୍ଷେତ୍ରୀୟ କାର୍ଯ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଫଳରେ ରିଟର୍ଣ୍ଣ ଦାଖଲ କରୁନଥିବା ବ୍ୟବସାୟୀଙ୍କ ବିରୁଦ୍ଧରେ ୪୯୦୮୧ ଗୋଟି ନୋଟିସ୍ ଓ ଭୁଲ୍ ରିଟର୍ଣ୍ଣ ଦାଖଲ କରିଥିବା ବ୍ୟବସାୟୀଙ୍କ ବିରୁଦ୍ଧରେ ୧୧୧୨୧ ଗୋଟି ନୋଟିସ୍ ଜାରି କରାଯାଇଛି । ଗତ ଦୁଇଟି ଟିକସ ଅବଧି ମଧ୍ୟରେ ରିଟର୍ଣ୍ଣ ଦାଖଲ କରିନଥିବା କାରଣରୁ ୨୧୭୬ ଜଣଙ୍କ ଇ-ୱେବିଲ୍ ବାହାର କରିବା ବ୍ୟବସ୍ଥାକୁ ବନ୍ଦ କରାଯାଇଛି । ସେହିପରି ରାଜ୍ୟ ଅଧିନସ୍ଥ ୩୦୨ ଜଣ ଟିକସ ଦାତାଙ୍କର ୬୧.୯୬ କୋଟି ଟଙ୍କାର ପ୍ରାପ୍ୟ (କ୍ରେଡିଟ୍) ଉପଲବ୍ଧ କ୍ରେଡିଟ୍ ପରିମାଣଠାରୁ ଅଧିକ ଦାବି କରାଯିବା କାରଣରୁ ବନ୍ଦ କରାଯାଇଛି ।

ଜିଏସଟି ଆଇନ ଅଧିନସ୍ଥ ଟିକସ ବ୍ୟବସ୍ଥାକୁ ଅଧିକ ସୁସଂଗଠିତ କରିବା ଉଦ୍ଦେଶ୍ୟରେ ସମସ୍ତ ଜାଲ ଓ ଖାମଖିଆଲି ବ୍ୟବସାୟୀଙ୍କ ପଞ୍ଜିକରଣକୁ କ୍ଷେତ୍ରୀୟ ଅନୁସନ୍ଧାନ କରାଯାଇ ରଦ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ଅଧିନରେ ଥିବା ଏହିପରି ୧୨୩୦୦ ଟିକସ ଦାତାଙ୍କ ପଞ୍ଜିକରଣକୁ ଘୋଷିତ ବ୍ୟବସାୟ ସ୍ଥଳରେ ବ୍ୟବସାୟ କରୁନଥିବା ଯୋଗୁଁ ଓ ୬ ମାସରୁ ଊଦ୍ଧ୍ୱର୍କାଳ ରିଟର୍ଣ୍ଣ ଦାଖଲ କରୁନଥିବା କିମ୍ବା ଜାଲ୍ କାରବାରରେ ଲିପ୍ତ ରହିଥିବା କାରଣରୁ ରଦ୍ଦ କରାଯାଇଛି ।

ଏହା ସହିତ ତଥ୍ୟ ବିଶ୍ଲେଷଣ ବ୍ୟବସ୍ଥା ମାଧ୍ୟମରେ ରାଜ୍ୟ ଜିଏସଟି କମିଶନରେଟ୍ ଦ୍ୱାରା ଦୁଷ୍ଟାନ୍ତମୂଳକ ଏନଫୋର୍ସମେଣ୍ଟ କାର୍ଯ୍ୟାନୁଷ୍ଠାନ କରି ଜାଲ୍ ବିଲ ପ୍ରଦାନକାରୀଙ୍କୁ ଚିହ୍ନଟ କରାଯାଉଛି । ଜାଲ୍ ବ୍ୟବସାୟୀ ନେଟୱାର୍କ ଚଳାଇଥିବା ଓ ଜାଲିଆତି କରି ଇନପୁଟ୍ ଟ୍ୟାକ୍ସ କ୍ରେଡ଼ିଟ୍ ହସ୍ତାନ୍ତର କରିଥିବା ଅଭିଯୋଗରେ ଏ ପର୍ଯ୍ୟନ୍ତ ୭ ଜଣ ମାଷ୍ଟର ମାଇଣ୍ଡିଙ୍କୁ ଗିରଫ କରାଯାଇଛି ।

ଏହି ଜାଲ୍ ଆଇଟିସି ହାସଲ କରିଥିବା ଅନ୍ୟ ରାଜ୍ୟର ବ୍ୟବସାୟୀଙ୍କ କ୍ଷେତ୍ରରେ ସଂପୃକ୍ତ ୧୫ ଗୋଟି ରାଜ୍ୟର କମିଶନରମାନଙ୍କୁ ଉପରୋକ୍ତ ଆଇଟିସି ରାଶି ସୁଧ ଓ ଜୋରି ମାନା ସହ ଆଦାୟ କରାଯିବା ଦିଗରେ ପଦକ୍ଷେପ ନେବା ସହ ଜିଏସଟି ଆଇନ୍ ଅଧିନରେ ଅନ୍ୟାନ୍ୟ ବୈଧାନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଅନୁରୋଧ କରାଯାଇଛି । ଓଡ଼ିଶାର ଯେଉଁମାନେ ଜାଲ୍ ଆଇଟିସି ଗ୍ରହଣ କରିଛନ୍ତି ସେମାନଙ୍କ ଠାରୁ ଏହି ଆଇଟିସି ପରିମାଣ ସୁଧ ଓ ଜୋରିମାନା ସହ ଆଦାୟ କରିବା ପାଇଁ ରାଜ୍ୟ ଜିଏସଟି କମିଶନରେଟ ତରଫରୁ ପଦକ୍ଷେପ ନିଆଯାଉଛି । ପଞ୍ଜିକୃତ ହୋଇଥିବା ଉକ୍ତ ବ୍ୟବସାୟୀଙ୍କ ଠାରୁ ୭୭.୬୦ କୋଟି ଟଙ୍କାର ଜାଲ୍ ଇନପୁଟ୍ ଟ୍ୟାକ୍ସ କ୍ରେଡ଼ିଟ୍ ହାସଲ କରିଥିବା ୧୮୧ ଜଣ ପଞ୍ଜିକୃତ ଟିକସଦାତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।

ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ଆୟୁକ୍ତ ଏସ୍.କେ ଲୋହାନି, ଆଇଏଏସ ସମସ୍ତ କ୍ଷେତ୍ରୀୟ କାର୍ଯ୍ୟାଳୟଗୁଡ଼ିକୁ ଟିକସଦାତାମାନଙ୍କୁ ସେମାନଙ୍କର ଟିକସ ସମ୍ପର୍କିତ ପ୍ରତିବଦ୍ଧତାକୁ ପୂରଣ କରିବା ଦିଗରେ ଏବଂ ନିୟମିତ ଓ ଉପଯୁକ୍ତ ରିଟର୍ଣ୍ଣ ଦାଖଲ ଦିଗରେ ସମସ୍ତ ସହଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉପଯୁକ୍ତ ଟିକସ ଦାତା ନିଜର କର୍ତ୍ତବ୍ୟ ସମ୍ପାଦନା କରୁଥିବା ବେଳେ ସେମାନେ ଯେପରି ଉତ୍ପୀଡନର ଶୀକାର ନହୁଅନ୍ତି ତାହା ନିଶ୍ଚିତ କରିବା ପାଇଁ ମଧ୍ୟ ସେ କ୍ଷେତ୍ରୀୟ ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023