ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ବିନା ଅଧ୍ୟକ୍ଷରେ କଲେଜ ଚାଲିଛି


ଓଡ଼ିଶାରେ ଉଚ୍ଚଶିକ୍ଷାକୁ ବିଶ୍ୱସ୍ତରୀୟ କରିବା ପାଇଁ ବାରମ୍ବାର ଆହ୍ୱାନ ଦିଆଯାଉଥିବା ଏବଂ ଶିକ୍ଷାର ବିକାଶ ପାଇଁ ଅର୍ଥାଭାବ ରହିବ ନାହିଁ ବୋଲି ତୁହାକୁ ତୁହା ଘୋଷଣା କରାଯାଉଥିବା ବେଳେ ବାସ୍ତବରେ କିନ୍ତୁ ରାଜ୍ୟ ସରକାରଙ୍କ ନିୟନ୍ତ୍ରିତ କୌଣସି କଲେଜଗୁଡ଼ିକରେ ନିୟମିତ ଅଧ୍ୟକ୍ଷ ନାହାନ୍ତି । ଏହା କଲେଜଗୁଡ଼ିକର ପ୍ରଶାସନିକ ଓ ଶିକ୍ଷାଦାନ କ୍ଷେତ୍ରରେ ପ୍ରମୁଖ ସମସ୍ୟା ସୃଷ୍ଟି କରୁଛି ।

ସରକାରୀ ତଥ୍ୟ ମୁତାବକ ଉଚ୍ଚଶିକ୍ଷା ବିଭାଗ ଅଧିନରେ ୫୨ଟି ସରକାରୀ ଡିଗ୍ରୀ କଲେଜ ରହିଛି । ଏଗୁଡ଼ିକ ମଧ୍ୟରୁ ୫୦ଟିରେ ନିୟମିତ ଅଧ୍ୟକ୍ଷ ନାହାନ୍ତି । ଫଳରେ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ଦ୍ୱାରା ଏହି କଲେଜଗୁଡ଼ିକର କାମ ଚାଲୁଛି । ସବୁଠାରୁ ଉଦ୍‍ବେଗଜନକ ଘଟଣା ହେଉଛି ରାଜ୍ୟରେ ଥିବା କୌଣସି ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ କଲେଜ ପାଇଁ ସ୍ଥାୟୀ ଅଧ୍ୟକ୍ଷ ପଦବୀ ଏଯାବତ୍‍ ମଞ୍ଜୁର କରାଯାଇନାହିଁ ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଯୁକ୍ତ ୨ କଲେଜଗୁଡ଼ିକ ଲାଗି ମଧ୍ୟ ସରକାର ନିୟମିତ ଅଧ୍ୟକ୍ଷ ପଦବୀ ସୃଷ୍ଟି କରିନାହାନ୍ତି । ଫଳରେ ଉଭୟ ସରକାରୀ ଓ ଅନୁଦାନପ୍ରାପ୍ତ ରାଜ୍ୟର ଯୁକ୍ତ ୨ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ଦ୍ୱାରା ଚାଲିଛି ।

ଉଚ୍ଚଶିକ୍ଷା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟବସ୍ଥା କରୁଛନ୍ତି । ଅଥଚ କଲେଜଗୁଡ଼ିକର ଶୃଙ୍ଖଳା ରକ୍ଷା, ପ୍ରଶାସନ, ପାଠପଢ଼ା ଓ ଗବେଷଣା ଆଦିର ଦେଖାଶୁଣା କରିବା ଲାଗି ବର୍ଷ ବର୍ଷ ଧରି ନିୟମିତ ଅଧ୍ୟକ୍ଷ ନିଯୁକ୍ତ ହେଉନାହାନ୍ତି ।

ରାଜ୍ୟରେ ୩୫ଟି ସ୍ୱୟଂଶାସିତ କଲେଜ ରହିଛି । ସେଥିରୁ ୧୮ଟି ସରକାରୀ ଓ ୧୨ଟି ବେସରକାରୀ । ଏହି ସରକାରୀ ସ୍ୱୟଂଶାସିତ କଲେଜଗୁଡ଼ିକ ମଧ୍ୟରୁ କେତେକକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦିଆଯାଇଥିଲେ ବି ସେଠାରେ କଲେଜ ଚାଲିଛି ।

ରାଜ୍ୟରେ ଯେଭଳି ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ଉଚ୍ଚ ଗ୍ରେଡ୍‍ର ନ୍ୟାକ୍‍ ମାନ୍ୟତା ପାଆନ୍ତି ତାହା ଉପରେ ବିଭାଗୀୟ କର୍ତ୍ତୃପକ୍ଷ ଗୁରୁତ୍ୱାରୋପ କରୁଛନ୍ତି । ଏଥିଲାଗି ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟ ସେମାନଙ୍କ ଅନୁବନ୍ଧିତ କଲେଜ କର୍ତ୍ତୃପକ୍ଷଙ୍କୁ ଡାକି ବୈଠକ କରୁଛନ୍ତି । ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ପରିଷଦ ବି ଏହା ଉପରେ ଧ୍ୟାନ ଦେଉଛି । କିନ୍ତୁ ନିୟମିତ ଅଧ୍ୟକ୍ଷ ନ ଥିବା ପର୍ଯ୍ୟାପ୍ତ ସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷକ ପଦବୀ କଲେଜଗୁଡ଼ିକରେ ବର୍ଷ ବର୍ଷ ଧରି ଖାଲି ପଡ଼ିବା ଏବଂ ବହୁ କ୍ଷେତ୍ରରେ ଭିତ୍ତିଭୂମିର ଅଭାବ କାରଣରୁ କେତେକ କଲେଜର ସ୍ୱୟଂଶାସିତ ମର୍ଯ୍ୟାଦା ମଧ୍ୟ କ୍ଷୂର୍ଣ୍ଣ ହୋଇଛି ।

ଅନ୍ୟପକ୍ଷରେ ବରିଷ୍ଠ ଅଧିକାରୀମାନେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଅଧ୍ୟକ୍ଷ ଏବଂ ଅନ୍ୟାନ୍ୟ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ବ୍ୟାପକ ସଂଖ୍ୟାରେ ଖାଲିପଡ଼ୁଥିବା କଥା ସ୍ୱୀକାର କରୁଛନ୍ତି । ଏଥିପାଇଁ ପ୍ରଚଳିତ ସରକାରୀ ନିୟମ ଅନୁଯାୟୀ ଯୋଗ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ଲାଗି ସରକାରଙ୍କ ପକ୍ଷରୁ ଲୋକସେବା ଆୟୋଗ ଓ ସିଲେକ୍ସନ୍‍ ବୋର୍ଡକୁ ଅନୁରୋଧ କରାଯାଇଛି । ସେଠାରୁ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ମିଳିବା ପରେ ଏହି ପଦବୀ ସବୁ ପୂରଣ ହେବ ବୋଲି କୁହାଯାଉଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023