ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଭିକାରୀ ମୁକ୍ତ ହେବ ପୁରୀ


ଶ୍ରୀକ୍ଷେତ୍ର ପୁରୀ ହେବ ଭିକାରୀ ମୁକ୍ତ ସହର । ଏଠାରେ ଭିକ ମାଗୁଥିବା ବ୍ୟକ୍ତିଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ବଲୱନ୍ତ ସିଂହ ।

ଜିଲ୍ଲାପାଳ ଶ୍ରୀ ସିଂହ କହିଛନ୍ତି ଯେ ନୀଳାଦ୍ରୀ ନୀଳୟ ନାମକ ଯୋଜନା ମାଧ୍ୟମରେ ଏହି ଆର୍ନ୍ତଜାତୀୟ ତୀର୍ଥକ୍ଷେତ୍ରକୁ ଭିକାରୀ ମୁକ୍ତ କରାଯିବ । ଏଥିପାଇଁ ସହରରେ ୮ଟି ରହଣିସ୍ଥାନ ପ୍ରତିଷ୍ଠା ହେବ । ପ୍ରତ୍ୟେକ ସ୍ଥାନରେ ୫୦ଜଣ ଭିକାରୀ ରହିବାର ବ୍ୟବସ୍ଥା କରାଯିବ ।

ଏହି କେନ୍ଦ୍ରକୁ ଭିକାରୀମାନଙ୍କୁ ସ୍ଥାନାନ୍ତର ପରେ ସେଠାରେ ସେମାନଙ୍କୁ ମାଗଣା ଖାଦ୍ୟ, ଚିକିତ୍ସା ସୁବିଧା ଯୋଗାଯିବା ସହିତ ବିଭିନ୍ନ ପ୍ରକାର ତାଲିମ ଓ କାଉନସେଲିଂ କରାଯିବ । ଏମାନେ ଯେଭଳି ତାଲିମ ପାଇଲା ପରେ ଭିକ ନମାଗି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ସେ ଦିଗରେ ପଦକ୍ଷେପ ଆରମ୍ଭ ହୋଇଛି ।

ଉଲ୍ଲେଖନୀୟ ଯେ ପୁରୀ ଶ୍ରୀମନ୍ଦିରକୁ ଦୈନିକ ହଜାର ହଜାର ଶ୍ରଦ୍ଧାଳୁ ଆସୁଥିବାବେଳେ ରୋଜଗାର ଆଶାରେ ଓଡିଶାର ବିଭିନ୍ନ ଅଞ୍ଚଳ ସମେତ ରାଜ୍ୟ ବାହାରୁ ମଧ୍ୟ ଭିକାରୀମାନେ ଆସି ଏଠାରେ ଭିଡ ଜମାଇଥାନ୍ତି । ଅନେକ ମାନସିକ ବିକାରଗ୍ରସ୍ତ ମଧ୍ୟ ଏଠାରେ ଭିକମାଗି ପେଟ ପୋଷିଥାନ୍ତି । ନିକଟରେ ଏଭଳି ଜଣେ ମାନସିକ ବିକୃତ ଭିକାରୀଙ୍କୁ ଚିହ୍ନଟ କରାଯିବା ପରେ ସେ ଜଣେ ଉଚ୍ଚ ଶିକ୍ଷିତ ଓ ରାଜ୍ୟର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହିତ ରେଭେନ୍ସାରେ ପଢୁଥିବା ଖବର ପଦାକୁ ଆସିଥିଲା ।

ଏଭଳି ଘଟଣା ଗଣମାଧ୍ୟମରେ ପ୍ରସାରିତ ହେବାପରେ ପୁରୀରେ ଭିକ ମାଗୁଥିବା ଶହ ଶହ ଭିକାରୀଙ୍କ ସଂକ୍ରାନ୍ତରେ ଖବର ଜଣା ପଡିଥିଲା । ରାଜ୍ୟ ସରକାର ପୁରୀର ସୌନ୍ଦର୍ଯ୍ୟକରଣ ପାଇଁ ପଦକ୍ଷେପ ଗ୍ରହଣ କରିଥିବାବେଳେ ଏବେ ଏହି ଭିକାରୀମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ସହିତ ସହରକୁ ଭିକାରୀମୁକ୍ତ କରିବା ପାଇଁ ଅଣ୍ଟା ଭିଡିଛନ୍ତି । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023