
ଗାଡିମୋଟର ପାଇଁ ଆବଶ୍ୟକ ପାର୍କିଂ ସ୍ଥଳ ଚିହ୍ନଟ ନକରି ରାସ୍ତାଘାଟରୁ ଯେଭଳି ଜୋର ଜବରଦସ୍ତ ଗାଡି ଗୁଡିକୁ ଉଠାଇ ଫାଇନ୍ ଆଦାୟ ହେଉଛି ତାହା ସମ୍ପୂର୍ଣ୍ଣ ବେଆଇନ୍ ଓ ଏହା ବନ୍ଦ ନହେଲେ ଖୁବ୍ଶୀଘ୍ର କମିଶନରେଟ ପୁଲିସ୍ ଦପ୍ତର ଘେରାଉ କରାଯିବ ବୋଲି କଳିଙ୍ଗସେନା ଚେତାବନୀ ଦେଇଛି ।
ସେନାର ସାଧାରର ସମ୍ପାଦକ ସ୍ୱାତୀଶ ରଞ୍ଜନ ସାହୁ କହିଛନ୍ତି ଯେ ଯେଉଁ ୬ଟି ରୁଟରେ ରାସ୍ତା ଉପରେ ଗାଡିମୋଟର ନରଖିବାପାଇଁ ପୁଲିସ୍ କଟକଣା ଲଗାଇଛି ସେହି ଅଞ୍ଚଳ ସଂକ୍ରାନ୍ତରେ ପ୍ରଥମେ ସର୍ଭେ କରାଯିବା ଆବଶ୍ୟକ । ଏହି ରୁଟରେ ଚଳାଚଳ କରୁଥିବା ଗାଡି ଗୁଡିକୁ ରଖିବାପାଇଁ ସ୍ଥାନ ଚିହ୍ନଟ କରିବାପରେ ସେଠାରେ ଗାଡି ନରଖି ରାସ୍ତାରେ ରଖୁଥିବା ଲୋକଙ୍କ ଉପରେ ଜୋରିମାନା ଲଗାଯିବା ଆବଶ୍ୟକ ।
ହେଲେ ତାହା ନକରି ରାତିଅଧିଆ ଯେଭଳି ଡାକ୍ତରଖାନାକୁ ଆସୁଥିବା ରୋଗୀ ଓ କୌଣସି ଜରୁରୀ କାମରେ ରାସ୍ତା ଉପରେ ଗାଡିରଖି ଯାଉଥିବା ଲୋକଙ୍କ ଉପରେ ପୁଲିସ୍ ଜୋରିମାନା ଲଗାଉଛି ତାହା ଅତ୍ୟନ୍ତ ନିନ୍ଦନୀୟ । ଏହାକୁ ରାଜଧାନୀରେ କୌଣସି ପ୍ରକାରେ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ଶ୍ରୀ ସାହୁ କହିଛନ୍ତି ।
ଏଥି ସହିତ କଟକଣା ହୋଇଥିବା ୬ଟି ରୁଟରେ ଗାଡି ଚଳାଚଳ ସଂକ୍ରାନ୍ତରେ କୌଣସି ସର୍ଭେ ହୋଇଛି କି ଏବଂ ଏହି ରୁଟରେ ଗାଡି ନେଇ ଯାଉଥିବା ଲୋକେ ଆବଶ୍ୟକସ୍ଥଳେ କେଉଁଠି ଗାଡି ରଖିବେ ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି । ସେହିଭଳି ଡାକ୍ତରଖାନା ପରିସରରେ ଗାଡି ଭର୍ତ୍ତି ହୋଇଗଲେ ସେଠକୁ ଆସୁଥିବା ରୋଗୀଙ୍କ ଗାଡି କେଉଁଠାରେ ରହିବ ବୋଲି ମଧ୍ୟ ପ୍ରଶ୍ନ କରାଯାଇଛି ।