ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ରାଜଧାନୀରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ


ନାମ ହେଉଛି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ । କିନ୍ତୁ ଏହାର ମୁଖ୍ୟ ଦପ୍ତର ୨୨ ବର୍ଷ ଧରି ଚାଲୁଛି ରାଜଧାନୀ ଭୁବନେଶ୍ୱରରେ । ପଶ୍ଚିମାଞ୍ଚଳର ୧୧ଟି ପଛୁଆ ଜିଲ୍ଲାକୁ ନେଇ ଏହି ପରିଷଦ ଗଠନ କରାଯାଇଥିଲେ ବି ଏହାର ମୁଖ୍ୟ ଦପ୍ତର ଏଯାବତ୍‍ ଭୁବନେଶ୍ୱରରେ ରହିଛି । ଯେଉଁମାନେ ଏହି ପରିଷଦର ଦାୟିତ୍ୱରେ ରହୁଛନ୍ତି ସେମାନେ ବି ପଶ୍ଚିମାଞ୍ଚଳକୁ ଆଣିବା ପରିବର୍ତ୍ତେ ରାଜଧାନୀରେ ମନ୍ତ୍ରୀମାନଙ୍କ ଉଦ୍ଦିଷ୍ଟ ବଡ଼ ବଙ୍ଗଳାରେ ରହି ଥାଟ୍‍ବାଟ୍‍ରେ ଚଳୁଛନ୍ତି ।

ସୁନ୍ଦରଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର, ନୂଆପଡ଼ା, କଳାହାଣ୍ଡି, ଝାରସୁଗୁଡ଼ା, ଦେବଗଡ଼, ବୌଦ୍ଧ, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲା ଏବଂ ଅନୁଗୁଳର ଆଠମଲ୍ଲିକ ଓ କିଶୋରନଗର ଅଞ୍ଚଳକୁ ନେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଚାଲିିଛି । ୧୯୯୮ ମସିହାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ କରାଯାଇ ଏହାର ମୁଖ୍ୟ କାର୍ଯର୍୍ୟାଳୟ ଭୁବନେଶ୍ୱରରେ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ବିକାଶ ପରିଷଦ ଆଇନର ୩(୪) ଧାରା ଅନୁଯାୟୀ ପରିଷଦର ମୁଖ୍ୟ କାର୍ଯ୍ୟାଳୟ ପଶ୍ଚିମ ଓଡ଼ିଶାର କେଉଁ ସ୍ଥାନରେ ହେବ ସେଥିଘେନି ୨୦୦୦ ମସିହାରେ ମତାମତ ଲୋଡ଼ାଯାଇଥିଲା । କିନ୍ତୁ ଇତିମଧ୍ୟରେ ୨୦ ବର୍ଷ ବିତି ଯାଇଥିଲେ ବି ପଶ୍ଚିମ ଓଡ଼ିଶାର କେଉଁ ସ୍ଥାନରେ ବିକାଶ ପରିଷଦର ମୁଖ୍ୟ ଦପ୍ତର ରହିବ ସେଥିଘେନି ନିଷ୍ପତ୍ତି ନିଆଯାଇପାରିନାହିଁ ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦବୀରେ ସମ୍ପୃକ୍ତ ଅଞ୍ଚଳର ବହୁ ପ୍ରଭାବଶାଳୀ ନେତା ଓ ବିଶେଷଜ୍ଞ ନିଯୁକ୍ତି ପାଇଆସିଛନ୍ତି । ଏହାଛଡ଼ା ପରିଷଦର କାର୍ଯ୍ୟନିର୍ବାହୀ ପଦବୀରେ ବିଭିନ୍ନ ଦଳର ବହୁ ମନ୍ତ୍ରୀ, ବିଧାୟକ ଓ ସାଂସଦ ମଧ୍ୟ ରହିଆସୁଛନ୍ତି । ଏହି ପରିଷଦ ପାଇଁ ଇତିମଧ୍ୟରେ ରାଜ୍ୟ ସରକାର ଦେଢ଼ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ବରାଦ କରିସାରିଲେଣି । ଅଥଚ ଏହାର ଦାୟିତ୍ୱରେ ରହୁଥିବା ନେତାମାନେ ବିକାଶ ପରିଷଦର ମୁଖ୍ୟ ଦପ୍ତର ଭୁବନେଶ୍ୱରରୁ ସମ୍ପୃକ୍ତ ଅଞ୍ଚଳକୁ ଆଣିବା ପାଇଁ ସହମତି ପ୍ରକାଶ କରିପାରୁନାହାନ୍ତି । ଫଳରେ ଏହି ଦପ୍ତର ୨୨ ବର୍ଷ ଧରି ଭୁବନେଶ୍ୱରରେ ଚାଲୁଛି ।

ପରିଷଦ ଅନ୍ତର୍ଭୁକ୍ତ ଜିଲ୍ଲାଗୁଡ଼ିକରେ ଥିବା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟର ସଂଯୋଜନାରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଉନ୍ନୟନମୂଳକ କାମ କରାଯାଉଛି । ଯୋଜନା ଓ ସମନ୍ୱୟ ବିଭାଗ ଏହି ପରିଷଦର ପ୍ରଶାସନିକ ବିଭାଗ ଭାବେ ରହିଛି । ତେବେ ସରକାର ଚାହୁଁଥିଲେ ମଧ୍ୟ ପରିଷଦର ଦାୟିତ୍ୱରେ ରହୁଥିବା ନେତାମାନେ ଭୁବନେଶ୍ୱରରେ ରହିବା ପାଇଁ ଅଧିକ ଆଗ୍ରହ ପ୍ରକାଶ କରୁଥିବା ପରିପ୍ରେକ୍ଷୀରେ ଏହି ଦପ୍ତର ପଶ୍ଚିମାଞ୍ଚଳକୁ ଯାଇପାରୁନାହିଁ ।

ଦପ୍ତର କେଉଁ ଜିଲ୍ଲାର କେଉଁ ସ୍ଥାନରେ ହେବ ସେଥିପାଇଁ ପରିଷଦ ନିଷ୍ପତ୍ତି ନେଇ ବିଧିବଦ୍ଧ ପ୍ରସ୍ତାବ ପଠାଇବା ପରେ ସରକାର ଏଥିଲାଗି ସ୍ୱତନ୍ତ୍ର ଆର୍ଥିକ ବ୍ୟବସ୍ଥା କରିବାକୁ ମଧ୍ୟ ପ୍ରସ୍ତୁତ । ତେବେ ପରିଷଦର ସଦସ୍ୟ ରହୁଥିବା ବିଭିନ୍ନ ଜିଲ୍ଲାର ରାଜନେତାମାନେ ନିଜ ନିଜ ଅଞ୍ଚଳରେ ଏହି ଦପ୍ତର ପ୍ରତିଷ୍ଠା ପାଇଁ ଚାହୁଁଥିବାରୁ ସହମତି ପ୍ରକାଶ ପାଇପାରୁନାହିଁ । ବିଶେଷ କରି ଏହି ଦପ୍ତର ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଭବାନୀପାଟଣା, ସୋନପୁର, ସୁନ୍ଦରଗଡ଼ ଆଦି ସ୍ଥାନରେ କରିବା ପାଇଁ ଦାବି ଉଠୁଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ସ୍ଥାନ ଲାଗି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରୁନଥିବାରୁ ଏହା ଭୁବନେଶ୍ୱରରୁ ଘୁଞ୍ଚୁନାହିଁ । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023