
କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ବିଶ୍ୱସ୍ତରୀୟ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଚ୍ଚସ୍ତରୀୟ ଡାକ୍ତର କମିଟି ଗଠନ କରିଛନ୍ତି । ଏହି ୧୦ଜଣିଆ ଡାକ୍ତରୀ ଦଳରେ ୭ଜଣ ପଦ୍ମ ପୁରସ୍କାରପ୍ରାପ୍ତ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ବିଶେଷଜ୍ଞ ରହିଛନ୍ତି । ଆଉ ୪ଜଣ ହେଉଛନ୍ତି ଏସସିବିର ପୁରାତନ ଛାତ୍ର । ଏସସିବିକୁ ବିଶ୍ୱସ୍ତରୀୟ ମେଡ଼ିକାଲରେ ପରିଣତ କରିବାରେ ଏହି ୧୦ ଜଣିଆ ଡାକ୍ତରୀ ଦଳର ବିଶେଷ ସହଯୋଗ ରହିବ ।
ଏହି ଟିମ୍ର ପରାମର୍ଶରେ ଏସସିବିକୁ ବିଶ୍ୱସ୍ତରୀୟ ମେଡ଼ିକାଲରେ ପରିଣତ କରିବା ପାଇଁ ଯୋଜନା ହୋଇଛି । ୧୦ ଜଣିଆ ଡାକ୍ତରୀ ଦଳରେ ସଦସ୍ୟ ଅଛନ୍ତି ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ପଦ୍ମଭୂଷଣ ଡାକ୍ତର ରମାକାନ୍ତ ପଣ୍ଡା, ହୃଦରୋଗ ବିଶେଷଜ୍ଞ ପଦ୍ମଭୂଷଣ ଡାକ୍ତର କେ. ଶ୍ରୀନାଥ ରେଡି, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ପଦ୍ମଶ୍ରୀ ଡାକ୍ତର ସୁବ୍ରତ ଆଚାର୍ଯ୍ୟ, କିଡନୀ ପ୍ରତ୍ୟାରୋପଣ ଲାଗି ବିଖ୍ୟାତ ପଦ୍ମଶ୍ରୀ ଡାକ୍ତର ମୁକୁଟ ମିଞ୍ଜ, କର୍କଟରୋଗ ବିଶେଷଜ୍ଞ ପଦ୍ମଶ୍ରୀ ଡାକ୍ତର ଦିଗମ୍ବର ବେହେରା, ଅନକୋଲୋଜିଷ୍ଟ ପଦ୍ମଶ୍ରୀ ଡାକ୍ତର ରାଜନ ବଡୱେ, ମେଡିସିନ୍ ସ୍ପେସାଲିଷ୍ଟ ଡାକ୍ତର ଜଗତ ନରୁଲା, ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ଜି.ଏନ୍ ରାଓ ଏବଂ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ରାଜ୍ୟ ମେଡିକାଲ ଶିକ୍ଷା ଏବଂ ପ୍ରଶିକ୍ଷଣ (ଡିଏମ୍ଇଟି) ନିର୍ଦ୍ଦେଶକ ଏହି ପରାମର୍ଶଦାତା କମିଟିର ଆବାହକ ଦାୟିତ୍ୱ ନିର୍ବାହ କରିବେ ।