ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ତାଳଚେର-ବିମଳାଗଡ଼ କାମ ଆଗଉନି


ବହୁ ପ୍ରତିକ୍ଷୀତ ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣ ପାଇଁ ୨୦୦୩-୦୪ରୁ ଏଯାବତ୍‍ ବିଭିନ୍ନ ବର୍ଷର ବଜେଟ୍‍ରେ ପ୍ରାୟ ଦେଢ଼ ହଜାର କୋଟି ଟଙ୍କା ବରାଦ ହୋଇଥିଲେ ମଧ୍ୟ ସେଥିରୁ ଏଯାବତ୍‍ ୩୦୦ କୋଟି ଟଙ୍କା ବି ଖର୍ଚ୍ଚ ହୋଇପାରିନାହିଁ । ଫଳରେ ଏହି ପ୍ରକଳ୍ପ ଲାଗି ବିଭିନ୍ନ ବର୍ଷର ରେଳ ବଜେଟ୍‍ରେ ଯେତେ ଅର୍ଥ ବରାଦ ହେଉଛି ତାହା ବସ୍ତୁତଃ ବିନିଯୋଗ ହୋଇନପାରି ଫେରିଯାଉଛି ।

ଏଠାରେ ଉଲ୍ଲେଖନୀୟ ଯେ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ରାଉରକେଲାରେ ଇସ୍ପାତ କାରଖାନା ଆରମ୍ଭ ହୋଇଥିବା ବେଳେ ଏହି କାରଖାନା ପାଇଁ ଜର୍ମାନରୁ ଯନ୍ତ୍ରପାତି ସବୁ ବମ୍ବେ, ଭାଇଜାଗ୍‍, କଲିକତା ଆଦି ବନ୍ଦରକୁ ଅଣାଯାଉଥିଲା । ସେଠାରୁ ଏହା ରାଉରକେଲାକୁ ପରିବହନ କରିବାରେ ବହୁ ଅସୁବିଧା ଉପୁଜୁଥିଲା । ଏହାଛଡ଼ା ରାଉରକେଲା ଇସ୍ପାତ କାରଖାନାର ଉତ୍ପାଦିତ ସାମଗ୍ରୀ ବିଦେଶକୁ ରପ୍ତାନି କରିବାରେ ମଧ୍ୟ ସମସ୍ୟା ଉପୁଜୁଥିଲା ।

ପାରାଦୀପ ବନ୍ଦରର ପରିକଳ୍ପନା ବିଜୁ ପଟ୍ଟନାୟକଙ୍କ ସରକାର ସମୟରେ ହେବା ବେଳେ ରାଉରକେଲାରୁ ପାରାଦୀପ ରେଳ ସଂଯୋଗକୁ ଆଖି ଆଗରେ ରଖି ଜର୍ମାନୀ ଇଞ୍ଜିନିୟର୍‍ମାନେ ତାଳଚେର-ବିମଳାଗଡ଼ ରେଳପଥର ପରିକଳ୍ପନା କରିଥିଲେ । ସେତେବେଳେ ଏଠାରେ ରେଳଲାଇନ୍‍ ବିଛାଇବା ପାଇଁ ୧୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଥିଲା ।

ଏହି ରେଳପଥ ନିର୍ମାଣ ପାଇଁ ଷାଠିଏ ଦଶକରୁ ବାରମ୍ବାର ଆନ୍ଦୋଳନ ହୋଇଛି । ତେବେ ୨୦୦୧-୦୨ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ସେତେବେଳର କେନ୍ଦ୍ର ରେଳମନ୍ତ୍ରୀ ମମତା ବାନାର୍ଜୀ ୧୫୪ କିଲୋମିଟର ଦୈର୍ଘ୍ୟର ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ ପାଇଁ ୬୦୬ କୋଟି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ । ୨୦୦୩-୦୪ ବର୍ଷରେ ଏହି ପ୍ରକଳ୍ପ ପାଇଁ ମାତ୍ର ୧ଲକ୍ଷ ଟଙ୍କା ବନ୍ଦୋବସ୍ତ ହୋଇଥିବା ବେଳେ ପରବର୍ତ୍ତୀ ବର୍ଷର କୋଟିଏ, ୨୦୦୫-୦୬ରେ ୫ କୋଟି ଓ ୨୦୦୬-୦୭ରେ ୧୦ କୋଟି ଟଙ୍କା କେନ୍ଦ୍ର ବଜେଟ୍‍ରେ ବ୍ୟବସ୍ଥା ହୋଇଥିଲା ।

୨୦୧୨-୧୩ ପର୍ଯ୍ୟନ୍ତ ରେଳ ବଜେଟ୍‍ରେ ବାର୍ଷିକ ୧୦ରୁ ୪୦ କୋଟି ଟଙ୍କା କରି ବରାଦ କରାଯାଉଥିବା ବେଳେ ୨୦୧୩-୧୪ ବର୍ଷରେ ପ୍ରଥମଥର ପାଇଁ ୧୦୦ କୋଟି ଓ ଏହା ବଢ଼ି ବଢ଼ି ୨୦୧୭-୧୮ ବର୍ଷରେ ୨୫୦ କୋଟି ବରାଦ ହୋଇଥିଲା । ୨୦୧୮-୧୯ ବର୍ଷରେ ଏଥିପାଇଁ ୩୦୦ କୋଟି ଓ ୨୦୧୯-୨୦ ବର୍ଷରେ ୧୫୦ କୋଟି ଟଙ୍କା ବ୍ୟବସ୍ଥା ଥିବା ବେଳେ ଚଳିତ ବଜେଟ୍‍ରେ ଏଥିପାଇଁ ୧୪୦ କୋଟି ଟଙ୍କା ବରାଦ ହୋଇଛି ।

ତେବେ ଏହି ପ୍ରକଳ୍ପ ପାଇଁ ୧୭ ବର୍ଷ ଭିତରେ ମାତ୍ର ୪୩ କିଲୋମିଟର ଦୈର୍ଘ୍ୟର ରେଳଲାଇନ୍‍ ବିଚ୍ଛା କାମ ସରିଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ଜିମ ଅଧିଗ୍ରହଣ କାମ ସରୁନଥିବାରୁ ପ୍ରକଳ୍ପ କାର୍ଯ୍ୟ ବିଶେଷ ଆଗେଇପାରୁନାହିଁ । ସୁନ୍ଦରଗଡ଼, ଦେବଗଡ଼ ଜିଲ୍ଲାରେ ଉଭୟ ଜଙ୍ଗଲ, ସରକାରୀ ଓ ବେସରକାରୀ ଜମି ଅଧିଗ୍ରହଣ ପ୍ରକ୍ରିୟା ଅତି ମନ୍ଥର ଭାବେ ଚାଲୁବାରୁ କାମ ଆଗେଇପାରୁନାହିଁ । ଏହି ରେଳପଥ କାର୍ଯ୍ୟକ୍ଷମ ହେଲେ ରାଉରକେଲା ଓ ଭୁବନେଶ୍ୱର ମଧ୍ୟରେ ଦୂରତ୍ୱ ବେଶ୍‍ ହ୍ରାସ ପାଇବ ଏବଂ ଏଥିଯୋଗୁ କମ୍‍ ସମୟ ଓ କମ୍‍ ଖର୍ଚ୍ଚରେ ଉଭୟ ଯାତ୍ରୀ ଓ ମାଲ୍‍ ପରିବହନ ହୋଇପାରିବ । ତେବେ ଯେଭଳି ଧିମା ଗତିରେ ଏହି ପ୍ରକଳ୍ପ କାମ ଚୁଲୁଛି ତାହା ଅବ୍ୟାହତ ରହିଲେ ଦୁଇ ଦଶନ୍ଧି ଭିତରେ ତାଳଚେର-ବିମଳାଗଡ଼ ରେଳପଥରେ ରେଳଗାଡ଼ି ଗଡ଼ିବା ସମ୍ଭବପର ହେବନାହିଁ । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023