
ରାଜଧାନୀର ତାପମାତ୍ରା ବୃଦ୍ଧି ସହିତ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଦପ୍ତରରେ ଥିବା କର୍ମଚାରୀମାନଙ୍କ ଯନ୍ତ୍ରଣା ଆରମ୍ଭ ହୋଇଛି । ଏହି ସୌଧରେ ଥିବା ତହସିଲ କାର୍ଯ୍ୟାଳୟ, ଉପଜିଲ୍ଲାପାଳଙ୍କ ଦପ୍ତର, କୋର୍ଟ ସବଇନ୍ପେକ୍ଟର, ସ୍ୱଳ୍ପ ସଞ୍ଚୟ ଯୋଜନା ଓ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଆଦି ରହିଛି ।
ନିଜ ନିଜର କାର୍ଯ୍ୟପାଇଁ ଏଠାକୁ ଦୈନିକ ଶହ ଶହ ଲୋକ ଆସୁଥିବାବେଳେ ବିଭିନ୍ନ ଦପ୍ତରର କର୍ମଚାରୀମାନେ ସେମାନଙ୍କୁ ସେବା ଯୋଗାଇ ଦେଉଛନ୍ତି । ହେଲେ ଗୋଟିଏ ଦୁଇଟି କୋଠରୀକୁ ବାଦ୍ ଦେଲେ ଅନ୍ୟ କୌଣସି ଅଧିକାରୀଙ୍କ ପାଇଁ ଏଠାରେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ରଟିଏ ଲାଗିନାହିଁ । ପୁରୁଣା କାଳିଆ କୋଠାରେ ଅତି ଉଚ୍ଚରେ ପଙ୍ଖା ଗୁଡିକ ଥିବାରୁ ତାହା ବି କାମ ଦେଉନାହିଁ । କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ଛୋଟ ଛୋଟ କ୍ୟାବିନ ତିଆରି ହୋଇଥିବାରୁ ଗୋଟିଏ କ୍ୟାବିନରେ ତିନି ଚାରିଜଣ କର୍ମଚାରୀ ଜାକିଜୁକି ହୋଇ ବସି ଗରମରେ ଆଉଟୁ ପାଉଟୁ ହେଉଛନ୍ତି ।
ସବୁଠାରୁ କଷ୍ଟ ଭୋଗୁଛନ୍ତି ଏଠାରେ ଲୋକଙ୍କୁ ସ୍ୱଳ୍ପ ସଞ୍ଚୟ ଲଟେରୀ ଟିକଟ ଯୋଗାଇ ଦେଉଥିବା ଅଧିକାରୀ ଓ କର୍ମଚାରୀମାନେ । ପଙ୍ଖା ଚଳାଇଲେ କାଗଜପତ୍ର ଉଡିଯାଉଥିବାରୁ ବିନା ପଙ୍ଖାରେ ଗରମରେ ଛଟପଟ ହେଉଛନ୍ତି । ଆସୁଥିବା ଲୋକଙ୍କ ଅବସ୍ଥା ବି ଅନୁରୂପ । ଅନ୍ୟ ପ୍ରାୟ ସବୁ କୋଠରୀରେ ସମାନ ଅବସ୍ଥା ।
ରାଜ୍ୟ ରାଜକୋଷକୁ କୋଟି କୋଟି ଟଙ୍କାର ଟିକସ ଯୋଗାଉଥିବା ଦପ୍ତରରେ କାହିଁକି ଶୀତତାପ ନିୟନ୍ତ୍ରିତ ଯନ୍ତ୍ରଟିଏ ଲାଗିପାରୁନାହିଁ ତାହାକୁ ନେଇ ଅନେକ ଅଧିକାରୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଲୋକସେବା ଭବନ ଠାରୁ ଆରମ୍ଭକରି ବହୁ ସରକାରୀ ଦପ୍ତରରେ ମାଳ ମାଳ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଲାଗୁଥିବାବେଳେ ରାଜକୋଷକୁ ଅର୍ଥ ଯୋଗାଉଥିବା ଦପ୍ତର ପ୍ରତି ଏଭଳି ଅବିଚାର ଏବେ ଅନେକଙ୍କୁ ବିସ୍ମିତ କରିଛି । ବର୍ତ୍ତମାନ ଗ୍ରୀଷ୍ମ ଆରମ୍ଭରୁ ଏଭଳି ଅବସ୍ଥା ହେଉଥିବାବେଳେ ଆସନ୍ତା ଏପ୍ରିଲ ଓ ମଇ ମାସରେ ଏଠାରେ କାମ କରିବା କଷ୍ଟକର ହୋଇପଡିବ ବୋଲି ଅନେକ ଖୋଲାଖୋଲି ଭାବେ ମତ ଦେଉଛନ୍ତି ।
ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଲଗାଇବା ତ ଦୂରର କଥା ଏହି ସରକାରୀ ସୌଧରେ ରଙ୍ଗଟିକେ ବି ମରାଯାଉ ନାହିଁ । ଛାତରୁ ଖଣ୍ଡ ଖଣ୍ଡ ପଲସ୍ତରା ଖସୁଥିବାବେଳେ ତାହାକୁ କେବଳ ମରାମତି କରି ଛାଡି ଦିଆଯାଇଛି । ରାଜ୍ୟ ସରକାର ଏବେ ଅଧିକାଂଶ ସରକାରୀ ଦପ୍ତରର ନବୀକରଣ କରିବା ସହିତ କର୍ମଚାରୀମାନେ କିଭଳି ଭଲ ପରିବେଶରେ କାର୍ଯ୍ୟ କରି ଲୋକଙ୍କୁ ସେବା ଯୋଗାଇ ଦେବେ ତାହାର ବ୍ୟବସ୍ଥା କରୁଥିବାବେଳେ ରାଜଧାନୀରେ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ସରକାରୀ ସୌଧରେ କର୍ମଚାରୀମାନେ କିଭଳି କାର୍ଯ୍ୟ କରୁଛନ୍ତି ତାହାକୁ ଉପରିସ୍ଥ ଅଧିକାରୀମାନେ ଥରେ ଅଚାନକ ଗସ୍ତରେ ଆସି ଦେଖିବା ଆବଶ୍ୟକ ବୋଲି ମତପ୍ରକାଶ ପାଉଛି ।