୩୦ ଜିଲ୍ଲାରୁ ୪୧୮୯ ନୂଆ କରୋନା ସଂକ୍ରମିତ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୮୩୧୧କୁ ବୃଦ୍ଧି  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୭୧୨ ସଂକ୍ରମିତ ଚିହ୍ନଟ  କଟକରେ ୫୮୬, ପୁରୀରେ ୨୬୫, ସୁନ୍ଦରଗଡ଼ରେ ୨୦୧, ଯାଜପୁରରେ ୧୮୭, ମୟୂରଭଞ୍ଜରେ ୧୭୪ ଜଣ ଚିହ୍ନଟ  ରାଜ୍ୟରେ ଆଜି ସୁଦ୍ଧା ୨୮୬୦୪୧୦ କୋଭିଡ ନମୁନା ପରୀକ୍ଷା   କରୋନାରେ ଆଜି ୧୧ ଜଣଙ୍କ ମୃତ୍ୟୁ  ରାଜ୍ୟରେ ମୋଟ୍‍ କରୋନା ମୃତ୍ୟୁସଂଖ୍ୟା ୭୨୧କୁ ବୃଦ୍ଧି  

ବଢ଼ୁଛି ସାଇବର କ୍ରାଇମ୍‍


ରାଜ୍ୟରେ ସାଇବର ଅପରାଧର ମାତ୍ରା ବଢ଼ିବାରେ ଲାଗିଛି । ୨୦୧୫ରେ ୩୮୬ଟି ସାଇବର ଅପରାଧ ମାମଲା ରୁଜୁ ହୋଇଥିବା ବେଳେ ୨୦୧୭ରେ ଏହି ସଂଖ୍ୟା ୮୨୪ରେ ପହଞ୍ଚିଛି । ଏ କ୍ଷେତ୍ରରେ ଓଡ଼ିଶା ଦେଶରେ ନବମ ସ୍ଥାନରେ ରହିଛି ।

ସଦ୍ୟ ପ୍ରକାଶିତ ଜାତୀୟ କ୍ରାଇମ୍‍ ରେକର୍ଡ ବ୍ୟୁରୋ(ଏନ୍‍ସିଆର୍‍ବି) ରିପୋର୍ଟରେ ଏହା ଦର୍ଶାଯାଇଛି । ରିପୋର୍ଟର ସୂଚନାନୁଯାୟୀ ୨୦୧୭ ମସିହାରେ ସମଗ୍ର ଦେଶରେ ୨୧,୭୯୬ଟି ସାଇବର ମାମଲା ରୁଜୁ ହୋଇଥିବା ବେଳେ ସର୍ବାଧିକ ୪୯୭୧ଟି ମାମଲା ଉତ୍ତରପ୍ରଦେଶରେ ରହିଥିଲା । ଏହା ପଛକୁ ମହାରାଷ୍ଟ୍ରରେ ୩୬୦୪ଟି ମାମଲା ରୁଜୁ ହୋଇଥିବା ବେଳେ କର୍ଣ୍ଣାଟକରେ ୩୧୭୪, ରାଜସ୍ଥାନରେ ୧୩୦୪, ତେଲେଙ୍ଗାନାରେ ୧୨୦୯, ଆସାମରେ ୧୧୨୦ ଓ ଆନ୍ଧ୍ରପ୍ରଦେଶରେ ୯୩୧ଟି ମାମଲା ରୁଜୁ ହୋଇଥିଲା ।

ନାଗାଲାଣ୍ଡରେ ଗୋଟିଏ ହେଲେ ସାଇବର ମାମଲା ଏହି ସମୟରେ ରୁଜୁ ହୋଇନଥିବା ବେଳେ ସିକିମ୍‍ ଓ ଅରୁଣାଚଳ ପ୍ରଦେଶରେ ଗୋଟିଏ କରି ଏବଂ ତ୍ରିପୁରାରେ ୭ଟି ମାମଲା ରୁଜୁ ହୋଇଥିଲା । ତେବେ ଓଡ଼ିଶାର ପଡ଼ୋଶୀ ପଶ୍ଚିମବଙ୍ଗରେ ଏହି ସମୟରେ ୩୯୮ଟି ମାମଲା ରୁଜୁ ହୋଇଥିବା ବେଳେ ଛତିଶଗଡ଼ରେ ୧୭୧ଟି ମାମଲା ନଜରକୁ ଆସିଥିଲା ।

କମ୍ପ୍ୟୁଟର ଡାଟା ଟ୍ୟାମ୍ପରିଂ କ୍ଷେତ୍ରରେ ଓଡ଼ିଶା ଦେଶରେ ସପ୍ତମ ସ୍ଥାନରେ ରହିଥିବା ବେଳେ କମ୍ପ୍ୟୁଟର ସଂକ୍ରାନ୍ତୀୟ ସାଇବର ଅପରାଧ କ୍ଷେତ୍ରରେ ୨୦ଟି ରାଜ୍ୟ ପଛକୁ ଅଛି । ୨୦୧୭ ମସିହାରେ ଓଡ଼ିଶାରେ ୩ଟି କମ୍ପ୍ୟୁଟର ଟ୍ୟାମ୍ପରିଂ ମାମଲା ରୁଜୁ ହୋଇଥିବା ବେଳେ ୧୭ଟି କମ୍ପ୍ୟୁଟର ସଂକ୍ରାନ୍ତୀୟ ସାଇବର ଅପରାଧ ମାମଲା ରୁଜୁ ହୋଇଥିଲା । ଏହି ବର୍ଷ ପୋଲିସ ମାତ୍ର ଜଣେ ଠକକୁ ଚିହ୍ନଟ କରିଥିଲା । ସେହିଭଳି କମ୍ପ୍ୟୁଟର ମାଧ୍ୟମରେ ଠକେଇ ନେଇ ୧୪ଟି ମାମଲା ରୁଜୁ ହୋଇଥିବା ବେଳେ ଏଥିରେ ୨ ଜଣ ଧରାପଡ଼ିଥିଲେ ।

ଏଟିଏମ୍‍ ଚୋରି କ୍ଷେତ୍ରରେ ଓଡ଼ିଶା ଅନ୍ୟ ବହୁ ରାଜ୍ୟଠାରୁ ଆଗରେ ରହିଛି । ୨୦୧୭ ମସିହାରେ ରାଜ୍ୟରେ ୧୬୮ଟି ଏଟିଏମ୍‍ ଠକେଇ ମାମଲା ରୁଜୁ ହୋଇଛି । ସେହିଭଳି ଅନ୍‍ଲାଇନ୍‍ ଠକେଇ କ୍ଷେତ୍ରରେ ୧୧୬ଟି ମାମଲା ରୁଜୁ ହୋଇଥିବା ବେଳେ ଅନ୍ୟାନ୍ୟ ସାଇବର ଠକେଇ ସଂଖ୍ୟା ୪୨ଟି ରହିଛି । ତେବେ ଏହି ସମୟ ମଧ୍ୟରେ ବିହାର, ମହାରାଷ୍ଟ୍ରକୁ ବାଦ୍‍ଦେଲେ ଏଟିଏମ୍‍ ଠକେଇ କ୍ଷେତ୍ରରେ ଅନ୍ୟ ପ୍ରାୟ ସମସ୍ତ ରାଜ୍ୟ ଓଡ଼ିଶା ପଛରେ ଅଛନ୍ତି । ପଡ଼ୋଶୀ ପଶ୍ଚିମବଙ୍ଗରେ ୬ଟି ଏଟିଏମ୍‍ ଠକେଇ ମାମଲା ରୁଜୁ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ୩୮ଟି ଓ ଛତିଶଗଡ଼ରେ ୯ଟି ମାମଲା ରୁଜୁ ହୋଇଛି ।

ଅନ୍‍ଲାଇନ୍‍ ବ୍ୟାଙ୍କ ଠକେଇ କ୍ଷେତ୍ରରେ ଓଡ଼ିଶା ମହାରାଷ୍ଟ୍ର ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି । ମହାରାଷ୍ଟ୍ରରେ ୩୪୫ଟି ଅନ୍‍ଲାଇନ୍‍ ବ୍ୟାଙ୍କ ଠକେଇ ଆସିଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ୧୧୬ ଅଛି । ତେବେ ଏହି ସମୟରେ ଓଡ଼ିଶାରେ ଗୋଟିଏ ହେଲେ ଓଟିପି ଠକେଇ ମାମଲା ନଜରକୁ ଆସିନାହିଁ । ଓଟିପି ଠକେଇ କ୍ଷେତ୍ରରେ ମହାରାଷ୍ଟ୍ର ସବୁଠାରୁ ଆଗରେ ଥିବା ବେଳେ ଏହା ପଛକୁ ଯଥାକ୍ରମେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରହିଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020