୨୩ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ  ତୃତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ଓ ୪୨ ଟି ବିଧାନସଭା ପାଇଁ ହେବ ଭୋଟ  ଲୋକସଭା ପାଇଁ ୬୧ ଓ ବିଧାନସଭା ପାଇଁ ୩୫୬ ଜଣ ପ୍ରାର୍ଥୀ ମଇଦାନରେ   ତୃତୀୟ ପର୍ଯ୍ୟାୟରେ ୬ଜଣ ମନ୍ତ୍ରୀ ଓ ୨ଜଣ ସାଂସଦ ନିର୍ବାଚନ ଲଢୁଛନ୍ତି  

୯୧ ପ୍ରାର୍ଥୀଙ୍କ ବିରୁଦ୍ଧରେ ମାମଲା

ଆସନ୍ତା ୧୮ ତାରିଖରେ ହେବାକୁ ଯାଉଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ମୋଟ୍‍ ୨୭୯ ଜଣ ପ୍ରାର୍ଥୀ ମଇଦାନରେ ଥିବାବେଳେ ଏମାନଙ୍କ ମଧ୍ୟରୁ ୯୧ ଜଣଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରହିଛି । ସେହିଭଳି ୭୩ଜଣଙ୍କ ବିରୁଦ୍ଧରେ ସଙ୍ଗୀନ ଅପରାଧିକ ମାମଲା ରହିଥିବା ସେମାନଙ୍କ ସତ୍ୟପାଠରେ ଉଲ୍ଲେଖ ଅଛି ।

ପ୍ରାର୍ଥୀମାନଙ୍କ ଦ୍ୱାରା ଦାଖଲ ହୋଇଥିବା ଶପଥପାଠକୁ ବିଶ୍ଲେଷଣ କରିବାପରେ ଏଡିଆର ଓ ଓଡିଶା ଇଲେକ୍‍ସନ ୱାଚ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି ।

ଏଥିରେ ଦର୍ଶାଯାଇଛି ଯେ ଆସନ୍ତା ୧୮ ତାରିଖରେ ବରଗଡ, ସୁନ୍ଦରଗଡ, ବଲାଙ୍ଗିର, କନ୍ଧମାଳ ଓ ଆସିକା ଲୋକସଭା ସମେତ ଏହା ଅଧିନରେ ଥିବା ୩୫ଟି ବିଧାନସଭା କ୍ଷେତ୍ରରେ ମତଦାନ ହେବ । ୫ଟି ଲୋକସଭା ପାଇଁ ୩୫ଜଣ ପ୍ରାର୍ଥୀ ମଇଦାନରେ ଥିବାବେଳେ ୨୪୪ ଜଣ ପ୍ରାର୍ଥୀ ବିଧାନସଭା ନିର୍ବାଚନ ଲଢୁଛନ୍ତି ।

୩୫ଜଣ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ ୨୦ ପ୍ରତିଶତ ଅର୍ଥାତ୍‍ ୭ ଜଣଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୫ଜଣଙ୍କ ବିରୁଦ୍ଧରେ ସଙ୍ଗୀନ ଅପରାଧିକ ମାମଲା ରହିଛି । ଫୌଜଦାରୀ ମାମଲା ଥିବା ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ କଂଗ୍ରେସର ଦୁଇଜଣ ରହିଥିବାବେଳେ ବିଜେପି, ଏଆଇଏଫ୍‍ବି, ସପିଆଇର ଜଣେକରି ଓ ଦୁଇଜଣ ସ୍ୱାଧୀନପ୍ରାର୍ଥୀ ଅଛନ୍ତି ।

ବିଧାନସଭା ଆସନପାଇଁ ଲଢୁଥିବା ୨୪୧ ଜଣ ପ୍ରାର୍ଥୀଙ୍କ ସତ୍ୟପାଠ ଅନୁଧ୍ୟାନରୁ ଜଣାଯାଇଛି ଯେ ୩୫ପ୍ରତିଶତ ଅର୍ଥାତ୍‍ ୮୪ଜଣଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରହିଛି । ଏମାନଙ୍କ ମଧ୍ୟରୁ ୬୮ଜଣଙ୍କ ବିରୁଦ୍ଧରେ ସଙ୍ଗୀନ ମାମଲା ମାନ ଅଛି । ଫୌଜଦାରୀ ମାମଲା ଥିବା ପ୍ରାର୍ଥୀଙ୍କ ମଧ୍ୟରେ ବିଜେପି ଓ ବିଜେଡିର ସର୍ବାଧିକ ୩୫ଜଣ କରି ଥିବାବେଳେ କଂଗ୍ରେସର ୩୨ ଓ ବିଏସ୍‍ପିର ୪ଜଣ ରହିଛନ୍ତି ।

ସେହିଭଳି ଉଭୟ ପୌଜଦାରୀ ଓ ସଙ୍ଗୀନ ମାମଲା ଥିବା ପ୍ରାର୍ଥୀଙ୍କ କ୍ଷେତ୍ରରେ ବିଜେପି ଆଗରେ ରହିଥିବାବେଳେ ଏହା ପଛକୁ କଂଗ୍ରେସ, ବିଜେଡି ଓ ବିଏସ୍‍ପି ରହିଛନ୍ତି । ୧୪ଟି ବିଧାନସଭା ଆସନରେ ୩ଜଣ କରି ଫୌଜଦାରୀ ମାମଲା ଥିବା ପ୍ରାର୍ଥୀ ଲଢୁଥିବା ଜଣାଯାଇଛି ।

ସେହିଭଳି ୨୪୪ ଜଣ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରୁ ୧୧୧ ଜଣଙ୍କ ଶିକ୍ଷାଗତ ଯୋଗ୍ୟତା ୫ମରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ଥିବାବେଳେ ୧୨୧ଜଣଙ୍କ ଯୋଗ୍ୟତା ସ୍ନାତକ ଏବଂ ତଦୁର୍ଧ ରହିଛି । ୪ଜଣ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଅକ୍ଷର ଚିହ୍ନିବାରେ ସୀମିତ ଥିବାବେଳେ ଜଣେ ପ୍ରାର୍ଥୀ ତାଙ୍କର ଶିକ୍ଷାଗତ ଯୋଗ୍ୟତା ସତ୍ୟପାଠରେ ଉଲ୍ଲେଖ କରିନାହାନ୍ତି ।