ନବୀନ ସବୁଠୁ ଧନୀ

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ୨୪୪ ଜଣ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ଉଭୟ ହିଞ୍ଜିଳି ଓ ବିଜେପୁର ଆସନ ପାଇଁ ଲଢୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଠାରୁ ଧନୀ । ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୋଟ୍‍ ପରିମାଣ ହେଉଛି ୬୩,୮୭,୪୧,୮୧୬ ଟଙ୍କା ।

ଆସୋସିଏସନ ଫର୍‍ ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଓ ଓଡିଶା ଇଲେକ୍‍ସନ ୱାଚ (ଓଇଡବ୍ଲ୍ୟୁ) ଦ୍ୱାରା ପ୍ରାର୍ଥୀମାନଙ୍କ ସତ୍ୟପାଠ ବିଶ୍ଲେଷଣ କରି ଆଜି ଏହି ସୂଚନା ଦିଆଯାଇଛି ।

ଏଥିରେ ଦର୍ଶାଯାଇଛି ଯେ ଧାନୀ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ସ୍ଥାନରେ ଥିବାବେଳେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ବଲାଙ୍ଗିର ଜିଲ୍ଲା ପାଟଣାଗଡ ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା କନକ ବର୍ଦ୍ଧନ ସିଂହଦେଓ । ଶ୍ରୀ ସିଂହଦେଓଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ପରିମାଣ ୩୭,୯୫,୯୦,୮୫୧ ଟଙ୍କା ରହିଛି ।

ତୃତୀୟ ସ୍ଥାନରେ ଅଛନ୍ତି ଝାରସୁଗୁଡା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ନବ କିଶୋର ଦାସ । ଶ୍ରୀ ଦାସଙ୍କର ମୋଟ୍‍ ସମ୍ପତ୍ତିର ପରିମାଣ ୩୩,୬୧,୭୩,୭୦୭ ଟଙ୍କା ।

ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦିତା କରୁଥିବା ମୋଟ୍‍ ପ୍ରାର୍ଥୀଙ୍କ ମଧ୍ୟରୁ ୧୩ଜଣଙ୍କ ସମ୍ପତ୍ତି ପରିମାଣ ୫କୋଟି ଟଙ୍କାରୁ ଉଦ୍ଧ୍ୱର୍ ଥିବାବେଳେ ୨୪ଜଣଙ୍କ ସମ୍ପତ୍ତି ପରିମାଣ ୨ରୁ ୫କୋଟି ଟଙ୍କା, ୬୧ ଜଣଙ୍କ ସମ୍ପତ୍ତି ପରିମାଣ ୫୦ ଲକ୍ଷରୁ ୨କୋଟି ଟଙ୍କା ମଧ୍ୟରେ ଥିବାବେଳେ ଆଉ ୬୧ ଜଣ ପ୍ରାର୍ଥୀଙ୍କ ସମ୍ପତ୍ତି ପରିମାଣ ୧୦ରୁ ୫୦ଲକ୍ଷ ଟଙ୍କା ମଧ୍ୟରେ ରହିଛି । ୧୦ଲକ୍ଷ ଟଙ୍କାରୁ କମ୍‍ ପରିମାଣର ସମ୍ପତ୍ତି ଥିବା ପ୍ରାର୍ଥୀଙ୍କ ସଂଖ୍ୟା ୮୨ ରହିଥିବା ଏଡିଆର ରିପୋର୍ଟରେ ଦର୍ଶାଯାଇଛି ।

ଧନୀ ପାର୍ଥୀଙ୍କ ତାଲିକାରେ ସପ୍ତମ ସ୍ଥାନରେ ଅଛନ୍ତି ବଲାଙ୍ଗୀରର ବିଜେଡି ପ୍ରାର୍ଥୀ ଅର୍କେଶ ନାରାୟଣ ସିଂହଦେଓ । ତାଙ୍କର ମୋଟ୍‍ ସମ୍ପତ୍ତି ପରିମାଣ ୧୫,୩୧,୬୬,୪୩୦ ଟଙ୍କା ଥିବା ବେଳେ ହିଞ୍ଜିଳିରୁ ବିଜେପି ପ୍ରାର୍ଥୀ ହୋଇଥିବା ପୀତାମ୍ବର ଆଚାର୍ଯ୍ୟଙ୍କ ସମ୍ପତ୍ତି ପରିମାଣ ୭,୮୧,୪୦,୩୩୯ ଟଙ୍କା ରହିଛି । ସେହିଭଳି ସାନଖେମୁଣ୍ଡିର ବିଜେପି ପ୍ରାର୍ଥୀ ନନ୍ଦିନୀ ଦେବୀଙ୍କ ସମ୍ପତ୍ତି ପରିମାଣ ୧୧,୭୨,୭୫,୦୧୨ ଟଙ୍କା ଥିବା ବେଳେ ବଲାଙ୍ଗୀରର କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ରଙ୍କ ସମ୍ପତ୍ତି ପରିମାଣ ୫,୧୨,୭୫,୩୩୭ ଟଙ୍କା ରହିଛି ।

ଟିଟିଲାଗଡ଼ର ବିଜେଡି ପ୍ରାର୍ଥୀ ଟୁକୁନି ସାହୁଙ୍କ ସମ୍ପତ୍ତି ପରିମାଣ ୪,୫୧,୧୯,୦୦୨ ଟଙ୍କା ଥିବା ବେଳେ ପଦ୍ମପୁରର ବିଜେଡି ପ୍ରାର୍ଥୀ ବିଜୟ ରଞ୍ଜନ ସିଂହ ବରିହାଙ୍କ ସମ୍ପତ୍ତି ପରିମାଣ ୪, ୪୪,୩୭,୬୯୧ ଟଙ୍କା ଓ ସୋନପୁରର ବିଜେପି ପ୍ରାର୍ଥୀ ନିରଞ୍ଜନ ପୂଜାରୀଙ୍କ ସମ୍ପତ୍ତି ପରିମାଣ ୩,୯୭,୨୫,୧୦୦ ଟଙ୍କା ରହିଛି । ତାଲିକାର ୨୬ତମ ସ୍ଥାନରେ ବିଧାୟକ ଦେବେଶ ଆଚାର୍ଯ୍ୟ ଥିବା ବେଳେ ୩୧ତମ ସ୍ଥାନରେ ଯୋଗେଶ ସିଂହ ରହିଛନ୍ତି । ଉଭୟଙ୍କ ସମ୍ପତ୍ତି ପରିମାଣ ୨ କୋଟିରୁ ଅଧିକ କରି ରହିଛି ।

ବିଧାୟକ ପଦବୀ ପାଇଁ ଲଢ଼ୁଥିବା ଭଟ୍‍ଲୀରୁ ବିଏସ୍‍ପି ପ୍ରାର୍ଥୀ ନାରାୟଣ ବେହେରାଙ୍କ ସମ୍ପତ୍ତି ପରିମାଣ ସବୁଠାରୁ କମ୍‍ ୮,୦୪୪ ଟଙ୍କା ରହିଛି । ସେହିଭଳି ରଘୁନାଥପାଲୀର ସ୍ୱାଧୀନ ପ୍ରାର୍ଥୀ ମହେନ୍ଦ୍ର କୁମ୍ଭାର ଓ ଲୋଇସିଂହାରୁ ଆମ୍ବେଦକର ପାର୍ଟି ଅଫ୍‍ ଇଣ୍ଡିଆରୁ ପ୍ରାର୍ଥୀ ହୋଇଥିବା ଲାଲ୍‍ମନ୍‍ ନାଗଙ୍କ ସମ୍ପତ୍ତି ପରିମାଣ ୧୦ ହଜାର ଟଙ୍କାରୁ ସାମାନ୍ୟ ଅଧିକ ରହିଛି ।

ତେବେ ଧନୀ ତାଲିକାର ତୃତୀୟ ସ୍ଥାନରେ ଥିବା ଝାରସୁଗୁଡ଼ାର ବିଜେଡି ପ୍ରାର୍ଥୀ ନବ କିଶୋର ଦାସଙ୍କ ଋଣ ପରିମାଣ ୨୧ କୋଟିରୁ ଅଧିକ ରହିଛି । ବ୍ରଜରାଜନଗରରୁ ସିପିଆଇ ପ୍ରାର୍ଥୀ ହୋଇଥିବା ରମେଶ ତ୍ରିପାଠୀଙ୍କ ଋଣ ପରିମାଣ ୨ କୋଟି ୧୦ ଲକ୍ଷ ଟଙ୍କାରୁ ଅଧିକ ରହିଥିବା ବେଳେ ସୋରଡ଼ାରୁ ବିଜେପି ପ୍ରାର୍ଥୀ ହୋଇଥିବା ନୀଳମଣି ବିଶୋୟୀଙ୍କର ଋଣ ପରିମାଣ ୧ କୋଟି ୭୬ ଲକ୍ଷ ଟଙ୍କାରୁ ଅଧିକ ରହିଛି ।