୨୩ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ  ତୃତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ଓ ୪୨ ଟି ବିଧାନସଭା ପାଇଁ ହେବ ଭୋଟ  ଲୋକସଭା ପାଇଁ ୬୧ ଓ ବିଧାନସଭା ପାଇଁ ୩୫୬ ଜଣ ପ୍ରାର୍ଥୀ ମଇଦାନରେ   ତୃତୀୟ ପର୍ଯ୍ୟାୟରେ ୬ଜଣ ମନ୍ତ୍ରୀ ଓ ୨ଜଣ ସାଂସଦ ନିର୍ବାଚନ ଲଢୁଛନ୍ତି  

କ୍ୟାଡର ପୁର୍ନଗଠନ କେବେ ?

ପୂର୍ତ୍ତ, ଜଳସମ୍ପଦ ଆଦି ଯାନ୍ତ୍ରିକ ସଂସ୍ଥା ଗୁଡିକରେ କ୍ୟାଡର ପୁର୍ନବିନ୍ୟାସ କରାଯାଇଥିବାବେଳେ କୃଷି ଇଞ୍ଜିନିୟରିଂ କ୍ୟାଡରର କିନ୍ତୁ ପୁର୍ନଗଠନ କରାଯାଇ ନଥିବାରୁ କୃଷି ଇଞ୍ଜିନିୟରମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।

ତେବେ ନିର୍ବାଚନ ଘୋଷଣା ପୂର୍ବରୁ ଗତ ଫେବୃୟାରୀ ମାସରେ କ୍ୟାବିନେଟ୍‍ ଅନ୍ୟ ଇଞ୍ଜିନିୟରିଂ କ୍ୟାଡର ଗୁଡିକର ପୁର୍ନଗଠନ ନିଷ୍ପତ୍ତି ନେଇଥିବାବେଳେ ନିର୍ବାଚନ ଘୋଷଣା ହୋଇଯିବାରୁ କୃଷି ଇଞ୍ଜିନିୟରିଂ କ୍ୟାଡର ସମ୍ପର୍କରେ ନିଷ୍ପତ୍ତି ନିଆଯାଇ ପାରିନାହିଁ ବୋଲି କୁହାଯାଉଛି ।

ଇଞ୍ଜିନିୟରିଂ କ୍ୟାଡାର ପୁର୍ନଗଠନ ଲାଗି କ୍ୟାବିନେଟର ୭୦ତମ ବୈଠକରେ ଗତ ଫେବୃୟାରୀ ୨୬ରେ ନିଷ୍ପତ୍ତି ନିଆଯାଇଥିଲା ।

ଏଥିରେ ଜଳସମ୍ପଦ, ପୂର୍ତ୍ତ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଲାଗି ପୂର୍ବରୁ ଥିବା ବିଭିନ୍ନ ପାହ୍ୟାର ୩୧୩୦ଟି ଯନ୍ତ୍ରୀ ପଦବୀକୁ ଅପରିବର୍ତ୍ତିତ ରଖାଯାଇଥିବାବେଳେ ଡେପୁଟୀ ଏକ୍‍ଜିକ୍ୟୁଟିଭ ଇଞ୍ଜିନିୟର ପଦବୀକୁ ଉଚ୍ଛେଦ କରାଯାଇଛି ।

ସହକାରୀ ଏକ୍‍ଜିକ୍ୟୁଟିଭ ଇଞ୍ଜିନିୟର ଓ ଉପ ଏକ୍‍ଜିକ୍ୟୁଟିଭ ଇଞ୍ଜିନିୟର ପଦବୀ ଦୁଇଟିକୁ ମିଶାଇ ଦିଆଯାଇଥିବା ଘେନି ଇତି ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହାଛଡା ଏହି ବିଭାଗ ଗୁଡିକରେ ଥିବା ଲେବଲ-୧ ଓ ଲେବଲ-୨ର ସୁପରିଟେଣ୍ଡିଂ ଇଞ୍ଜିନିୟର ପାହ୍ୟାକୁ ମିଶାଇ କେବଳ ସୁପରିଟେଣ୍ଡିଂ ଇଞ୍ଜିନିୟର ରଖାଯାଇଛି । ତେବେ ମୁଖ୍ୟଯନ୍ତ୍ରୀ ଓ ସୁପରିଟେଣ୍ଡିଂ ଇଞ୍ଜିନିୟର କ୍ୟାଡର ମଧ୍ୟରେ ଏକ ଅତିରିକ୍ତ ମୁଖ୍ୟଯନ୍ତ୍ରୀ କ୍ୟାଡର ସୃଷ୍ଟି କରାଯାଇଛି ।

ନୂଆ କ୍ୟାଡର ପୁର୍ନଗଠନ ଅନୁଯାୟୀ ଏଣିକି ସହକାରୀ ଏକ୍‍ଜିକ୍ୟୁଟିଭ ଇଞ୍ଜିନିୟରମାନେ ସବ୍‍ଡିଭିଜନ ଗୁଡିକର ମୁଖ୍ୟ ରହିବେ ଏବଂ ଏକ୍‍ଜିକ୍ୟୁଟିଭ ଇଞ୍ଜିନିୟର ଓ ସୁପରିଟେଣ୍ଡିଂ ଇଞ୍ଜିନିୟରମାନେ ଡିଭିଜନାଲ ମୁଖ୍ୟ ଭାବେ କାର୍ଯ୍ୟ କରିବେ ।

ପୂର୍ବରୁ ସୁପରିଟେଣ୍ଡିଂ ଇଞ୍ଜିନିୟରମାନେ ସର୍କଲ ଦାୟିତ୍ୱରେ ରହୁଥିବାବେଳେ ନୂଆ ବ୍ୟବସ୍ଥା ଅନୁଯାୟୀ ଅତିରିକ୍ତ ମୁଖ୍ୟଯନ୍ତ୍ରୀମାନେ ସର୍କଲ ଦାୟିତ୍ୱ ସମ୍ଭାଳିବେ ଏବଂ ମୁଖ୍ୟଯନ୍ତ୍ରୀମାନେ ପୂର୍ବଭଳି ବିଭାଗୀୟ ମୁଖ୍ୟ ରହିବେ ।

ଏବେ ଜଳସମ୍ପଦ ବିଭାଗରେ ୧୬୦୮ଟି ଯନ୍ତ୍ରୀ ପଦବୀ ରହିଥିବାବେଳେ ପୂର୍ତ୍ତ ବିଭାଗରେ ୧୦୩୭ଟି ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ୪୮୫ ଟି ମଞ୍ଜୁରୀପ୍ରାପ୍ତ ଯନ୍ତ୍ରୀ ପଦବୀ ରହିବ ।

ପୂର୍ତ୍ତ ବିଭାଗର ୧୦୩୭ଟି ମଞ୍ଜୁରୀପ୍ରାପ୍ତ ଯନ୍ତ୍ରୀ ପଦବୀ ମଧ୍ୟରୁ ୬୪୨ଟି ପୂର୍ତ୍ତ ବିଭାଗର ଓ ଅବଶିଷ୍ଟ ୩୯୫ଟି ଗ୍ରାମ୍ୟ ଉନ୍ନୟନ ବିଭାଗର ମଞ୍ଜୁରୀପ୍ରାପ୍ତ ଯନ୍ତ୍ରୀ ପଦବୀ ରହୁଛି ।

ଏହି ସମସ୍ତ ଯାନ୍ତ୍ରିକ ବିଭାଗର ଯନ୍ତ୍ରୀ କ୍ୟାଡର ପୁର୍ନଗଠନ ପରେ ପରେ ନିର୍ବାଚନ ଆଚରଣବିଧି ଲାଗୁହୋଇ ଯାଇଥିବାରୁ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପାହ୍ୟା ଲାଗି ପଦୋନ୍ନତି ହୋଇପାରୁନାହିଁ ।

ସେହିଭଳି କ୍ୟାଡର ପୁର୍ନଗଠନ ପରେ ସ୍ୱାଭାବିକ ପ୍ରକ୍ରିୟାରେ କନିଷ୍ଠ ଯନ୍ତ୍ରୀରୁ ମୁଖ୍ୟଯନ୍ତ୍ରୀ ପର୍ଯ୍ୟନ୍ତ ବିଭିନ୍ନ ପାହ୍ୟାରେ ବ୍ୟାପକ ଅଦଳ ବଦଳ ହେବାର ସମ୍ଭାବନା ଥିଲେ ମଧ୍ୟ ନିର୍ବାଚନ ଘୋଷଣା ପରିପ୍ରେକ୍ଷୀରେ ଏହି କାର୍ଯ୍ୟ ଅଟକି ରହିଛି । କ୍ୟାଡର ପୁର୍ନଗଠନ ପରିପ୍ରେକ୍ଷୀରେ ଆସନ୍ତା ଜୁନ୍‍ ମାସରେ ବିଭିନ୍ନ ବିଭାଗର ଯନ୍ତ୍ରୀ ପଦବୀରେ ବ୍ୟାପକ ଅଦଳ ବଦଳ ହୋଇପାରେ ।

ତେବେ କୃଷି ବିଭାଗର ଯନ୍ତ୍ରୀମାନେ ଅନ୍ୟ ବିଭାଗର ଯନ୍ତ୍ରୀମାନଙ୍କ ସମକକ୍ଷ ବେତନ ପାଉଥିବା ଏବଂ ଏହି ବିଭାଗରେ ମଧ୍ୟ ଅନୁରୂପ ପଦବୀମାନ ଥିଲେ ବି କୃଷିଯନ୍ତ୍ରୀମାନଙ୍କ କ୍ୟାଡର ପୁର୍ନଗଠନ ହୋଇନାହିଁ ।