ବେଆଇନ୍‍ ଘରେ ବିଦ୍ୟୁତ, ପାଣି ଚୋରି

ରାଜଧାନୀର ବେଆଇନ୍‍ ଘର ଗୁଡିକ ଏବେ ବିଜୁଳି ଓ ପାଣି ଚୋରିର ପ୍ରମୁଖ କେନ୍ଦ୍ରସ୍ଥଳ ପାଲଟିଛି । ସରକାରୀ ସ୍ଥାନରେ ଜବରଦଖଲରେ ରହୁଥିବା ଲୋକେ ନିଜକୁ ବସ୍ତିବାସିନ୍ଦା ଦର୍ଶାଇ ବିଜୁଳି ଓ ପାଣି ସଂଯୋଗ ନେଉଥିବାବେଳେ ଆଉ କେତେକ ଏହା ଚୋରିକରି ନେଉଛନ୍ତି ।

ଏମାନଙ୍କ ବିରୁଦ୍ଧରେ ବିଜୁଳି ବିିଭାଗ କିମ୍ବା ଜନସ୍ୱାସ୍ଥ୍ୟ ବିଭାଗ କେହି ହେଲେ ପଦକ୍ଷେପ ଗ୍ରହଣ କରୁନଥିବା ଲକ୍ଷ୍ୟ କରାଯାଉଛି ।

ରାଜଧାନୀରେ ଏବେ ଯେଉଁଠାରେ ଖାଲି ସ୍ଥାନ ଦେଖୁଛନ୍ତି ତାହାକୁ ମାଫିଆମାନେ ରାତାରାତି ଜବରଦଖଲ କରୁଛନ୍ତି । ପ୍ରଥମେ ପଲିଥିନ୍‍ ଘେରାଇବା ପରେ ତାହା ଭିତରେ ଇଟାକାନ୍ଥ ଗଢି ଘର କରିଦେଉଛନ୍ତି ।

ଏହାପରେ ଆରମ୍ଭ ହେଉଛି ବିଜୁଳି ଓ ଜଳ ସଂଯୋଗ ଯୋଜନା । ସୌଭାଗ୍ୟ ଯୋଜନାରେ ବସ୍ତିବାସିନ୍ଦାଙ୍କୁ ବିଜୁଳି ସଂଯୋଗର ବ୍ୟବସ୍ଥା ଥିବାବେଳେ ବିଜୁଳି ବିଭାଗ କିନ୍ତୁ ଯିଏ ଯେଉଁଠି ରହୁଛି ତାକୁ ସଂଯୋଗ ଦେଉଛନ୍ତି ।

ରାସ୍ତାକଡ ଠାରୁ ଆରମ୍ଭ କରି ଦୁଇ କ୍ୱାଟର୍ସ ମଝିରେ ଥିବା କନ୍‍ଜରଭେନ୍ସିରେ ଗଢି ଉଠିଥିବା ଘରେ ବି ବିଜୁଳି ଜଳୁଛି । କୌଣସି ବ୍ୟକ୍ତିଙ୍କର ଆଧାରକାର୍ଡଟିଏ ପାଇଲାପରେ ଆଗପଛ ନବିଚାରି ବିଜୁଳି ସଂଯୋଗ ଦିଆଯାଉଛି ।

ନିୟମ ଅନୁଯାୟୀ କେବଳ ବସ୍ତିରେ ରହୁଥିବା ଲୋକଙ୍କୁ ବିଜୁଳି ସଂଯୋଗ ମିଳିବା କଥା । ହେଲେ ରାଜଧାନୀରେ ସରକାରୀ ହିସାବରେ ୪୩୬ ବସ୍ତି ଥିବାବେଳେ ଏଥିରୁ ମାତ୍ର ୧୧୨ ସରକାରୀ ଅନୁମୋଦିତ । ଅନ୍ୟ ଗୁଡିକ ବେଆଇନ୍‍ ।

ସରକାରୀ ତାଲିକା ବାଦ୍‍ ବି ମାଳ ମାଳ ବସ୍ତି ଗଢି ଉଠୁଛି । ରାସ୍ତାକଡରେ ଥିବା ସ୍ଥାନରେ ୮/୧୦ଟି ଘର ହେଲେ ତାହାକୁ ବସ୍ତିର ମାନ୍ୟତା ପ୍ରଦାନ କରାଯାଉଛି ।

ଏହାପରେ ସହଜରେ ବିଜୁଳି ମିଳିଯାଉଛି । କନଜରଭେନ୍ସିରେ ଘର କରୁଥିବା ଲୋକଙ୍କୁ ବିଜୁଳି ସଂଯୋଗ ସମ୍ପୂର୍ଣ୍ଣ ବେଆଇନ୍‍ ହୋଇଥିଲେ ମଧ୍ୟ ସେଠାରେ ଘର କରୁଥିବା ଲୋକେ ଚୋରାରେ ବିଜୁଳି ସଂଯୋଗ ନେଉଛନ୍ତି । ଏମାନଙ୍କୁ ନା ସ୍ଥାନୀୟ ବିଦ୍ୟୁତ ଯନ୍ତ୍ରୀ ନା ବିଜୁଳି ଥାନା କେହି ଦେଖି ପାରୁଛନ୍ତି ।

ଅନୁରୂପ ଅବସ୍ଥା ଜଳ ଯୋଗାଣ କ୍ଷେତ୍ରରେ । ସରକାର ନିୟମ କରିଛନ୍ତି ରାଜଧାନୀରେ ସମସ୍ତଙ୍କୁ ଜଳ ସଂଯୋଗ ଦିଆଯିବ । ତେଣୁ ଯିଏ ଯାଇ ଜନସ୍ୱାସ୍ଥ୍ୟ ବିଭାଗରେ ଆବେଦନ କଲା ତାହାକୁ ତୁରନ୍ତ ଜଳ ସଂଯୋଗ ମିଳିଯାଉଛି ।

ଜଳ ସଂଯୋଗ ନେଉଥିବା ଲୋକଟି କେଉଁଠି କି ପ୍ରକାର ଘର କରିଛି ତାହାକୁ ଅନୁଧ୍ୟାନ କରିବାପାଇଁ କାହା ପାଖରେ ସମୟ ନାହିଁ । ଉପରୁ ଅନୁମତି ମିଳିଲାପରେ ସ୍ଥାନୀୟ ଜନସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କୁ ହାତ କରି ଲୋକେ ଜଳସଂଯୋଗ ନେଇ ଯାଉଛନ୍ତି ।

ସବୁଠାରୁ ବଡ କଥା ହେଲା ଜଳ ସଂଯୋଗ ନେଉଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ଟିକସ ଦେଉନାହାନ୍ତି । ବର୍ଷେ ଦୁଇବର୍ଷ ବିନା ଦେୟରେ ଜଳ ବ୍ୟବହାର କରିବାପରେ ପୁଣିଥରେ ଆବେଦନ କରି ସଂଯୋଗ ନେଉଛନ୍ତି ।

ଯେହେତୁ ଏହି ବ୍ୟକ୍ତିମାନଙ୍କର ବାସସ୍ଥାନର କୌଣସି ପ୍ରମାଣ ନାହିଁ ତେଣୁ ସେମାନେ ଯେତେଥର ଆବେଦନ କଲେ ବି ତାହା ଜଣାପଡୁନାହିଁ ।

ବିଶେଷକରି ରାସ୍ତାକଡ, କନଜରଭେନ୍ସି ଆଦିରେ ରହୁଥିବା ଲୋକେ ଏହି ଉପାୟରେ ଜଳ ସଂଯୋଗ ନେଉଛନ୍ତି । ଯେଉଁମାନେ ଏଥିରେ ବିଫଳ ହେଉଛନ୍ତି ସ୍ଥାନୀୟ ପାଣି ପାଇପ୍‍ କାଟି ଜଳ ସଂଯୋଗ ନେଉଛନ୍ତି ।

ଏପରିକି ଖରାଦିନେ ମୁଖ୍ୟ ସଂଯୋଗରୁ ମଟର ଲଗାଇ ପାଣି ନେଉଥିଲେ ମଧ୍ୟ ସେଥିପ୍ରତି କେହି ନଜର ଦେଉନଥିବାରୁ ଯେଉଁମାନେ ଟିକସ ଗଣୁଛନ୍ତି ସେମାନେ କେବଳ ହଇରାଣ ହେବା ସାର ହେଉଛି ।