୨୩ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ  ତୃତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ଓ ୪୨ ଟି ବିଧାନସଭା ପାଇଁ ହେବ ଭୋଟ  ଲୋକସଭା ପାଇଁ ୬୧ ଓ ବିଧାନସଭା ପାଇଁ ୩୫୬ ଜଣ ପ୍ରାର୍ଥୀ ମଇଦାନରେ   ତୃତୀୟ ପର୍ଯ୍ୟାୟରେ ୬ଜଣ ମନ୍ତ୍ରୀ ଓ ୨ଜଣ ସାଂସଦ ନିର୍ବାଚନ ଲଢୁଛନ୍ତି  

ଜଳ ସଂରକ୍ଷଣ ପାଇଁ ପରାମର୍ଶ

ପ୍ରବଳ ଗ୍ରୀଷ୍ମ ପ୍ରଦାହକୁ ଦୃଷ୍ଟିରେ ରଖି ଜଳ ସଂରକ୍ଷଣ ଲାଗି ସମନ୍ୱିତ କାର୍ଯ୍ୟ ଯୋଜନା ପ୍ରସ୍ତୁତ ସକାଶେ କେନ୍ଦ୍ର ସରକାର କହିଛନ୍ତି । ଏ ସଂକ୍ରାନ୍ତରେ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର କ୍ୟାବିନେଟ ସଚିବ ପ୍ରଦୀପ କୁମାର ସିହ୍ନା ପତ୍ର ଲେଖିଥିବା ଜଣାଯାଇଛି ।

ଶ୍ରୀ ସିହ୍ନା ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଜଳ ସଂରକ୍ଷଣ ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ସମନ୍ୱିତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବେ । ଏଥି ସହିତ ବର୍ଷା ଜଳର ମହଜୁଦ ଓ ଜଳ ସଂରକ୍ଷଣ ପାଇଁ ଅନ୍ୟାନ୍ୟ ପଦକ୍ଷେପ ନେବାକୁ ସେ କହିଛନ୍ତି ।

ଏହାଛଡା ରାଜ୍ୟ ସରକାରଙ୍କ ପରାମର୍ଶ ନେଇ ସମନ୍ୱିତ ମ୍ୟାନେଜମେଣ୍ଟ ଇନଫର୍ମେସନ ସିଷ୍ଟମ (ଏମ୍‍ଆଇଏସ୍‍) ପ୍ରସ୍ତୁତ ଲାଗି କୁହାଯାଇଛି ।

କେନ୍ଦ୍ର ସରକାର ଗୋଟିଏ ଆର୍ôଥକ ବର୍ଷରେ କେଉଁ ଯୋଜନା ଲାଗି କେତେ ଅର୍ଥ ବ୍ୟବସ୍ଥା କରିଛନ୍ତି ସେ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ଅବଗତ କଲେ ରାଜ୍ୟ ସରକାର ମରୁଡି ପରିସ୍ଥିତିକୁ ଦେଖି ବିଭିନ୍ନ ଯୋଜନାରୁ ନିଜ ସୁବିଧା ମୁତାବକ ଅର୍ଥ ବ୍ୟବସ୍ଥା କରିବେ ।

ସେହିଭଳି ରାଜ୍ୟ ସରକାରମାନେ ଫାର୍ମ ପୋଖରୀ, ଗୋଷ୍ଠି ପୋଖରୀ, ଚେକ୍‍ ଡ୍ୟାମ୍‍ ଆଦି ଖନନ ଯୋଜନା ପ୍ରାଥମିକତା ଭିତ୍ତିରେ ଗ୍ରହଣ କରିବାଲାଗି କେନ୍ଦ୍ରୀୟ ସଚିବ କହିଛନ୍ତି ।

ରାଜ୍ୟ ସରକାରଙ୍କୁ ପତ୍ରଲେଖି କେନ୍ଦ୍ର କ୍ୟାବିନେଟ୍‍ ସଚିବ କହିଛନ୍ତି ଯେ ଆସନ୍ତା ବର୍ଷାଋତୁରେ ବର୍ଷାଜଳର ଯେଭଳି ପୂର୍ଣ୍ଣ ବିନିଯୋଗ ହୋଇପାରିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉ ।

ବର୍ଷାଜଳର ସଂରକ୍ଷଣ ସହିତ ତାହାର ଠିକଣା ବ୍ୟବହାର ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ବର୍ଷାଜଳ ସଂରକ୍ଷଣ ଉପରେ ଗୁରୁତ୍ୱଦେଇ ସେ କହିଛନ୍ତି ଯେ ପ୍ରାଥମିକତା ଭିତ୍ତିରେ ଏଥିପାଇଁ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଗଲେ ମରୁଡି ଓ ବନ୍ୟା ସମୟରେ କୃଷକମାନଙ୍କ ପାଇଁ ଏହା ସହାୟକ ହେବ ।

କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରାଳୟ ଓ ଅନ୍ୟ କେନ୍ଦ୍ରୀୟ ସଂସ୍ଥା ଗୁଡିକ ଏଥିପାଇଁ ରାଜ୍ୟ ସରକାରଙ୍କୁ ବୈଷୟିକ ସହାୟତା ଯୋଗାଇ ଦେବାପାଇଁ କୁହାଯାଇଛି ।

ସମଗ୍ର ଦେଶରେ ୩୦୦୦ କୋଟି କ୍ୟୁବିକ ମିଟର ଜଳ ମହଜୁଦ ପାଇଁ ୫ଲକ୍ଷ ୨୦ ହଜାର ଜଳାଶୟ ରହିଛି । ଏହି ଜଳଉତ୍ସ ଗୁଡିକର ମରାମତି ଓ ପୁନରୁଦ୍ଧାର ଉପରେ ଶ୍ରୀ ସିହ୍ନା ଗୁରୁତ୍ୱଆରୋପ କରିଛନ୍ତି ।

କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟ ଏଥିପାଇଁ ଅର୍ଥ ଯୋଗାଇ ଦେଉଥିବାବେଳେ ରାଜ୍ୟମାନେ ଏହାର ଫାଇଦା ନେବାପାଇଁ କୁହାଯାଇଛି । ଉଭୟ ଏମ୍‍ଜିନରେଗା ଓ ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା ପାଣ୍ଠିକୁ ଜଳଉତ୍ସ ବିକାଶ କ୍ଷେତ୍ରରେ ବିନିଯୋଗ ପାଇଁ ସେ କହିଛନ୍ତି ।

ବର୍ଷାଜଳର ବ୍ୟବହାର ଲାଗି ଲୋକେ କିଭଳି ସଚେତନ ହେବେ ସେଥିପାଇଁ ବ୍ୟାପକ ଭାବେ ଗଣମାଧ୍ୟମ ଜରିଆରେ ପ୍ରଚାର ଲାଗି କ୍ୟାବିନେଟ୍‍ ସଚିବ କହିଛନ୍ତି ।

ଇତି ମଧ୍ୟରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଜଳ ସଂରକ୍ଷଣ ଉପରେ କାର୍ଯ୍ୟଯୋଜନା ପ୍ରସ୍ତୁତ ଲାଗି ମିଳିତ ଭାବେ କାର୍ଯ୍ୟ କରିବାକୁ ୪ଟି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ଜଳସମ୍ପଦ, ପଞ୍ଚାୟତିରାଜ ଏବଂ ପାନୀୟଜଳ, କୃଷି ଏବଂ କୃଷକ ସଶକ୍ତିକରଣ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମିଳିତ ଭାବେ ବର୍ଷାଜଳ ସଂରକ୍ଷଣ ଉପରେ କାର୍ଯ୍ୟ କରିବେ ।

ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା ଅନ୍ୟ ବିଭାଗର ପ୍ରମୁଖ ସଚିବମାନଙ୍କ ସହ ଏଥିପାଇଁ ସମନ୍ୱୟ ରକ୍ଷା କରିବେ ବୋଲି ଜଣାଯାଇଛି ।