୨୩ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ  ତୃତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ଓ ୪୨ ଟି ବିଧାନସଭା ପାଇଁ ହେବ ଭୋଟ  ଲୋକସଭା ପାଇଁ ୬୧ ଓ ବିଧାନସଭା ପାଇଁ ୩୫୬ ଜଣ ପ୍ରାର୍ଥୀ ମଇଦାନରେ   ତୃତୀୟ ପର୍ଯ୍ୟାୟରେ ୬ଜଣ ମନ୍ତ୍ରୀ ଓ ୨ଜଣ ସାଂସଦ ନିର୍ବାଚନ ଲଢୁଛନ୍ତି  

ପ୍ରଚାରକୁ ବିପଦ କାଳବୈଶାଖୀ

ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଏବେ କାଳବୈଶାଖି ନିର୍ବାଚନ ପ୍ରଚାରରେ ବାଧକ ସାଜିଛି । ପ୍ରବଳ ଖରା ଯୋଗୁଁ ଦିନବେଳା ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ ଘରୁ ବାହାରି ପାରୁନଥିବାବେଳେ ସଂଧ୍ୟା ସମୟରେ ସେମାନଙ୍କ ପ୍ରଚାରକୁ ବହୁ ସ୍ଥାନରେ କାଳବୈଶାଖୀ କାଳ ହେଲାଣି ।

ଗତ କିଛିଦିନ ହେଲା ଭାରତୀୟ ପାଣିପାଗ ବିଭାଗ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ନେଇ ସତର୍କ ସୂଚନା ଜାରି କରିବାରେ ଲାଗିଛି ।

ଅପରାହ୍ନ ସମୟରେ ରାଜଧାନୀର ଆରମ୍ଭକରି ରାଜ୍ୟର ବିଭନ୍ନ ସ୍ଥାନରେ ପ୍ରବଳ ପବନ ସହିତ ବର୍ଷା ଓ କେତେକ ସ୍ଥାନରେ କୁଆପଥର ମାଡ ହେଉଛି । ଜୋର ପବନ ଯୋଗୁଁ ବହୁ ସ୍ଥାନରେ ଗଛ ଉପୁଡି ପହିବା ସହିତ ରାସ୍ତା ଅବରୋଧ ଓ ଯାନବାହାନ ଭାଙ୍ଗିରୁଜି ଯାଉଛି ।

କାଳ ବୈଶାଖୀରେ ସବୁଠାରୁ ବଡ ବିପଦ ହେଉଛି ବଜ୍ରପାତ । ପବନ ଓ ବର୍ଷା ସହିତ ଜୋରରେ ବିଜୁଳି ଓ ଘଡଘଡି ଯୋଗୁଁ ଲୋକେ ଘର ଭିତରେ ରହିବାପାଇଁ ପାଣିପାଗ ବିଭାଗ ପକ୍ଷରୁ ଘନ ଘନ ସତର୍କ ସୂଚନା ଜାରି ହେଉଛି । ଇତି ମଧ୍ୟରେ ବଜ୍ରପାତରେ କେତେକ ସ୍ଥାନରେ ଲୋକେ ମୃତ୍ୟୁବରଣ ବି କଲେଣି ।

ତେଣୁ କାଳବୈଶାଖୀ ସତର୍କ ସୂଚନା ପାଇଲାମାତ୍ରେ ପ୍ରଚାରରେ ଯିବାପାଇଁ ଲୋକେ ଡରୁଥିବାବେଳେ କୌଣସି ଅଘଟଣ ଆଂଶକାରେ ପ୍ରାର୍ଥୀମାନେ ବି ଶୋଭାଯାତ୍ରା ଆୟୋଜନ କରିବାକୁ ପଛାଉଛନ୍ତି ।

ଏହାଛଡା କାଳବୈଶାଖୀ ଯୋଗୁଁ ବହୁ ସ୍ଥାନରେ ବିଜୁଳି ଉଭାନ ହୋଇଯାଉଥିବାରୁ ଅନ୍ଧାରରେ ପ୍ରଚାର କରିବା ବି ସମ୍ଭବ ହେଉନାହିଁ ।

ଅନ୍ୟ ପକ୍ଷରେ ସମଗ୍ର ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି । ଗତକାଲି ରାଜ୍ୟର ୯ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ଉପରେ ଥିବାବେଳେ ବଲାଙ୍ଗିରରେ ଏହା ୪୨.୨ ଡିଗ୍ରୀ ରେକର୍ଡ ହୋଇଥିଲା ।

ରାଜଧାନୀର ତାପମାତ୍ରା ଦୁଇଦିନ ଧରି ୪୦ଡିଗ୍ରୀ ପାଖାପାଖି ରହୁଥିବାରୁ ଏଠାରେ ଦିନବେଳା ପ୍ରଚାର କରିବା ସମ୍ଭବପର ହେଉନାହିଁ । ଖରା ନଇଁଲା ପରେ ନେତା ଓ ସମର୍ଥକମାନେ ପଦାକୁ ବାହାରୁଛନ୍ତି ।

ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଆସନ୍ତା ୧୮ ତାରିଖରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବିଭିନ୍ନ ରାଜନୈତିକଦଳର ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ ଅଣ୍ଟା ଭିଡିଥିବାବେଳେ ରୌଦ୍ରତାପ ଓ କାଳବୈଶାଖୀ ଏଥିରେ ବାଧକ ସାଜିଛି ।

ଯଦି ଏଭଳି ଅବସ୍ଥା ଆଉ କିଛିଦିନ ଲାଗି ରୁହେ ତେବେ କେବଳ ଦ୍ୱିତୀୟ ପର୍ଯ୍ୟାୟ ନୁହେଁ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ନିର୍ବାଚନ ପ୍ରଚାର ଉପରେ ମଧ୍ୟ ଏହା ଗୁରୁତର ପ୍ରଭାବ ପକାଇବ ବୋଲି ଆଶଙ୍କା କରାଗଲାଣି ।