ଅଣ୍ଡା ରପ୍ତାନି ପ୍ରଭାବିତ

ଓଡିଶାରୁ ଉତ୍ପାଦିତ ଅଣ୍ଡା ଓ ଅନ୍ୟାନ୍ୟ କୁକୁଡାଜାତ ସାମଗ୍ରୀ ଆମଦାନୀ ଉପରେ ବିଦେଶୀ ରାଷ୍ଟ୍ରମାନେ କଟକଣା ଜାରି କରିଛନ୍ତି । ଆଭିଆନ ଇନ୍‍ଫ୍ଲୁଏଞ୍ଜା ବ୍ୟାପିବା ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟିହୋଇଛି ।

ବାର୍ଡ ଫ୍ଲୁ ଖବର ପ୍ରକାଶପରେ କତାର ନେସ୍‍ନାଲ ହେଲ୍‍ଥ ଅଥରିଟୀ (କ୍ୟୁଏନ୍‍ଏଚ୍‍ଏ) ଭାରତରୁ ଅଣ୍ଡା ସମେତ ଅନ୍ୟାନ୍ୟ କୁକୁଡାଜାତ ସାମଗ୍ରୀ ଉପରେ କଟକଣା ଜାରି କରିଛନ୍ତି ।

ସେହିଭଳି ଓଡିଶାରେ ଆଭିଆନ ଇନ୍‍ଫ୍ଲୁଏଞ୍ଜା ବ୍ୟାପିବାପରେ ବିହାର ଏବଂ ଝାଡଖଣ୍ଡ ବି ଅନୁରୂପ ଭାବେ କଟକଣା ଜାରିଛନ୍ତି ଯାହାକି ରାଜ୍ୟର କୁକୁଡା ଶିଳ୍ପପାଇଁ ସମସ୍ୟା ସୃଷ୍ଟି କରିଛି ।

କେବଳ କତାର ନୁହେଁ ସାଉଦି ଆରବ, କୁଏତ ଏବଂ ହଂକଂ ଭଳି ଦେଶ ଗୁଡିକ ମଧ୍ୟ ଭାରତରୁ ଅଣ୍ଡା ଆମଦାନୀ ଉପରେ କଟକଣା ଜାରି କରିଛନ୍ତି ।

ଏହି ରାଷ୍ଟ୍ର ଗୁଡିକ କେବଳ ଭାରତରୁ କୁକୁଡାଜାତ ସାମଗ୍ରୀ ଆମଦାନୀ କରୁନାହାନ୍ତି ବରଂ ପୂର୍ବରୁ ନେଇଥିବା ସାମଗ୍ରୀ ଗୁଡିକ ଫେରାଇବା ଆରମ୍ଭ କରିଛନ୍ତି ଯାହାକି ଦେଶର କୁକୁଡା ଶିଳ୍ପ ପାଇଁ ବଡ ବିପଦ ହୋଇଛି ।

ଏହିସବୁ ଦେଶ ଗୁଡିକୁ ଓଡିଶା ସମେତ ବିହାର ଏବଂ ଝାଡଖଣ୍ଡ ଅଣ୍ଡା ସମେତ ପ୍ରକ୍ରିୟାକୃତ କୁକୁଡାମାଂସ ରପ୍ତାନି କରିଥାନ୍ତି । ହଂକଂ ଓଡିଶାର ପୁରୀ ଓ ବିହାରର ମୁଙ୍ଗେର ଜିଲ୍ଲାରୁ ଅଣ୍ଡା ଏବଂ କୁକୁଡା ସାମଗ୍ରୀ ଆମଦାନୀ ଉପରେ ସ୍ୱତନ୍ତ୍ର କଟକଣା ଜାରି କରିଛି ।

କତାର କୁକୁଡାଜାତ ସାମଗ୍ରୀ ଉପରେ କଟକଣା ଲଗାଇଥିବାବେଳେ ସାଉଦି ଆରବ ଜିଅନ୍ତା କୁକୁଡା, ଅଣ୍ଡା ଓ ଦିନିକିଆ କୁକୁଡା ଚିଆଁ ଉପରେ କଟକଣା ଜାରି କରିଛି ।

ଏ ସଂକ୍ରାନ୍ତରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ କେଶବ ଚନ୍ଦ୍ରା ଓଡିଶା ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆଭିଆନ ଇନ୍‍ଫ୍ଲୁଏଞ୍ଜା ନିୟନ୍ତ୍ରଣ ସହିତ ରପ୍ତାନି ପରିବେଶ ସୃଷ୍ଟିଲାଗି କହିଛନ୍ତି ।

ଏଭଳି କଟକଣା ଫଳରେ ଏହିସବୁ ଦେଶ ଗୁଡିକ ସହିତ ଭାରତ ସହିତ ଦ୍ୱିପାକ୍ଷିକ ବାଣିଜ୍ୟ ରାଜିନାମା ବିଶେଷ ଭାବେ ପ୍ରଭାବିତ ହୋଇଛି । ଏହିସବୁ ଦେଶ ଗୁଡିକ ଭାରତ ସହିତ ଅଧିକ ଭାବେ କୁକୁଡାଜାତ ସାମଗ୍ରୀ ବ୍ୟବସାୟ କରିଥାନ୍ତି ବୋଲି ଶ୍ରୀ ଚନ୍ଦ୍ରା କହିଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠର ପଶୁସ୍ୱାସ୍ଥ୍ୟ ବିଭାଗରୁ ସୂଚନା ପାଇଲାପରେ ସମ୍ପୃକ୍ତ ଦେଶ ଗୁଡିକ ଏଭଳି କଟକଣା ଜାରି କରିଛନ୍ତି । ଏହି ସଂଗଠନ ଦ୍ୱାରା ଜାରି ହୋଇଥିବା ଆଭିଆନ ଇନ୍‍ଫ୍ଲୁଏଞ୍ଜା ସଂକ୍ରାନ୍ତୀୟ ସର୍ବଶେଷ ରିପୋର୍ଟ ପାଇଲାପରେ କତାର ସରକାର କଟକଣା ଜାରି କରିଛନ୍ତି ।

ଏଭଳି ସ୍ଥିତିରେ ଓଡିଶା ସରକାର ତୁରନ୍ତ ଆଭିଆନ ଇନ୍‍ଫ୍ଲୁଏଞ୍ଜାକୁ ପ୍ରତିହତ ଲାଗି ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ସରକାର କହିଛନ୍ତି ।

ଫଳରେ ସମ୍ପୃକ୍ତ ଦେଶ ଗୁଡିକ କୁକୁଡାଜାତ ସାମଗ୍ରୀ ଉପରେ ଲଗାଇଥିବା କଟକଣା ଉଠାଇବେ । ଗଣମାଧ୍ୟମରେ ଏ ସଂକ୍ରାନ୍ତୀୟ ରିପୋର୍ଟ ଆସିବାପରେ ତୁରନ୍ତ ସମ୍ପୃକ୍ତ ଦେଶ ଗୁଡିକ କଟକଣା ଲାଗୁ କରିଛନ୍ତି ।

ରାଜ୍ୟ ସରକାର ବର୍ତ୍ତମାନ ଏଭଳି ଇନ୍‍ଫ୍ଲୁଏଞ୍ଜା ମୁକାବିଲା ଲାଗି ପଦକ୍ଷେପ ଗ୍ରହଣ କରିଛନ୍ତି ଯହାଫଳରେ କଟକଣା ଜାରି କରିଥିବା ଦେଶ ଗୁଡିକରେ ପୁନଃ ବିଶ୍ୱାସ ସୃଷ୍ଟିହେବା ସହିତ ସେମାନେ ପୁଣିଥରେ ଆମଦାନୀ ଆରମ୍ଭ କରିପାରିବେ ।