ମହିଳା ଭୋଟର ଆଗରେ

ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନପାଇଁ ହୋଇଥିବା ନିର୍ବାଚନରେ ମହିଳାମାନେ ଅଧିକ ସଂଖ୍ୟାରେ ଭୋଟ ଦେଇଛନ୍ତି । ଏଥିରେ ୭୩.୭୬ ପ୍ରତିଶତ ମତଦାନ ହୋଇଥିବାବେଳେ ୭୪.୪୩ ପ୍ରତିଶତ ମହିଳା ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ନବରଙ୍ଗପୁର ଲୋକସଭା ମଣ୍ଡଳୀରେ ସର୍ବାଧିକ ୭୮.୮୯ ପ୍ରତିଶତ ମତଦାନ ହୋଇଥିବାବେଳେ ବ୍ରହ୍ମପୁର ଲୋକସଭା ମଣ୍ଡଳୀରେ ସର୍ବନିମ୍ନ ୬୫.୫୭ ପ୍ରତିଶତ ମତଦାନ ହୋଇଛି ।

ସେହିଭଳି କଳାହାଣ୍ଡି ଲୋକସଭା ମଣ୍ଡଳୀରେ ୭୫.୮୨ ପ୍ରତିଶତ ମତଦାନ ହୋଇଥିବାବେଳେ ଏଠାରେ ୭୪.୬୦ ପ୍ରତିଶତ ପୁରୁଷ ଭୋଟର ଓ ୭୭.୦୭ ପ୍ରତିଶତ ମହିଳା ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି । ଏଠାରେ ୨.୫୬ ପ୍ରତିଶତ ଅନ୍ୟାନ୍ୟ ଭୋଟର ସେମାନଙ୍କ ଭୋଟ ଦେଇଛନ୍ତି ।

ସର୍ବାଧିକ ଭୋଟ ପଡିଥିବା ନବରଙ୍ଗପୁର ଲୋକସଭା ଆସନରେ ୭୮.୯୩ ପ୍ରତିଶତ ପୁରୁଷ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିଥିବାବେଳେ ୭୮.୮୭ ପ୍ରତିଶତ ମହିଳା ଓ ୧.୮ ପ୍ରତିଶତ ଅନ୍ୟାନ୍ୟ ଭୋଟର ସେମାନଙ୍କର ଭୋଟ ଦେଇଛନ୍ତି ।

ବ୍ରହ୍ମପୁର ଲୋକସଭା ଆସନରେ ୬୩.୯୭ ପ୍ରତିଶତ ପୁରୁଷ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିବାବେଳେ ଏଠାରେ ୬୭.୨୫ ପ୍ରତିଶତ ମହିଳା ଭୋଟର ଓ ୧୩.୭୫ ପ୍ରତିଶତା ଅନ୍ୟାନ୍ୟ ଭୋଟର ସେମାନଙ୍କର ଭୋଟ ଦେଇଛନ୍ତି ।

ସେହିଭଳି କୋରାପୁଟ ଜିଲ୍ଲାରେ ୭୪.୭୭ ପ୍ରତିଶତ ମତଦାନ ହୋଇଥିବାବେଳେ ଏଠାରେ ୭୫.୨୯ ପ୍ରତିଶତ ପୁରୁଷ ଓ ୭୪.୩୨ ପ୍ରତିଶତ ମହିଳା ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି । ଏହି ଜିଲ୍ଲାରେ ୧୮.୬୫ ପ୍ରତିଶତ ଅନ୍ୟାନ୍ୟ ଭୋଟର ସେମାଙ୍କର ମତଦାନ ସାବ୍ୟସ୍ତ କରିଥିବା ଜଣାଯାଇଛି ।