ନିର୍ବାଚନୀ ହିଂସା ଆଶଙ୍କା

ପୂର୍ବ ତୁଳନାରେ ଏଥର ସାଧାରଣ ନିର୍ବାଚନ କେବଳ ଅଧିକ ସରଗରମ ହେବନାହିଁ, ବେଶ୍‍ ବ୍ୟୟବହୁଳ ଓ ହିଂସାତ୍ମକ ମଧ୍ୟ ହେବ । ବିଭିନ୍ନ ରାଜନୈତିକଦଳର ନେତାମାନଙ୍କ ପ୍ରସ୍ତ୍‍ୁତିପର୍ବରୁ ଏହାର ପୂର୍ବ ଆଭାସ ମିଳିଲାଣି ।

ନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲ ପାଇଁ ବିଜ୍ଞପ୍ତି ଜାରି ହେବାର ଢେର ପୂର୍ବରୁ ପ୍ରମୁଖ ରାଜନୈତିକ ଦଳମାନେ ବିପୁଳ ପରିମାଣର ପୋଷ୍ଟର, ପ୍ରଚାରସାମଗ୍ରୀ ଓ ହୋର୍ଡିଂ ଆଦିପାଇଁ ନାମୀଦାମୀ ସଂସ୍ଥାମାନଙ୍କୁ କାମ ଦେଇସାରିଲେଣି ।

ଏମିତିକି ଓଡିଶା ବାହାରେ ବି ଆକର୍ଷଣୀୟ ପ୍ରଚାର ସାମଗ୍ରୀ ତିଆରି ହେଉଛି । ଅବଶ୍ୟ ଗତ ଡିସେମ୍ବର ମାସରୁ ଏଯାବତ୍‍ ନିର୍ବାଚନ ସମ୍ପର୍କରେ କମିଶନ ଘୋଷଣା କରିବା ପର୍ଯ୍ୟନ୍ତ ରାଜଧାନୀର ଆରମ୍ଭକରି ପୂରପଲ୍ଲୀ ପର୍ଯ୍ୟନ୍ତ ବିଭିନ୍ନ ଦଳର ପତାକା, ହୋର୍ଡିଂ ଓ ପ୍ରଚାରପତ୍ରମାନ ଛାଇ ହୋଇ ରହିଥିଲା । ବିଶେଷକରି ନୂଆବର୍ଷ ଅଭିନନ୍ଦନ ଜଣାଇବା ନାଁରେ ଚାରିଆଡେ ଏଭଳି ପ୍ରଚାର ସାମଗ୍ରୀ ଦେଖିବାକୁ ମିଳିଥିଲା ।

ନିର୍ବାଚନ କମିଶନଙ୍କ କଟକଣା ଅନୁଯାୟୀ ବିଧାନସଭା ପାଇଁ ଜଣେ ପ୍ରାର୍ଥୀ ସର୍ବାଧିକ ୨୮ଲକ୍ଷ ଟଙ୍କା ଓ ଲୋକସଭା ପାଇଁ ୭୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ।

ପୂର୍ବ ଅଭିଜ୍ଞତା ଅନୁଯାୟୀ ପ୍ରାୟ ସମସ୍ତ ପ୍ରାର୍ଥୀ ନିର୍ବାଚନ ଖର୍ଚ୍ଚସୀମା ମଧ୍ୟରେ ସେମାନଙ୍କ ଖର୍ଚ୍ଚ ହିସାବ ପର୍ଯ୍ୟବେକ୍ଷକମାନଙ୍କ ନିକଟରେ ନିୟମିତ ବ୍ୟବଧାନରେ ଦାଖଲ କରିବା ସହିତ ନିର୍ବାଚନ ପରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏହା ଦେଇଥାନ୍ତି । କିନ୍ତୁ ବାସ୍ତବରେ ସଂଖ୍ୟାଧିକ ପ୍ରାର୍ଥୀ ଯେତେ ଅର୍ଥ ଖର୍ଚ୍ଚ କରନ୍ତି ତାହାର ଏକ ଦଶମାଂଶରୁ କମ୍‍ ଏହି ହିସାବରେ ଦର୍ଶାଯାଇଥାଏ ।

ନିର୍ବାଚନ ପ୍ରଚାର କାର୍ଯ୍ୟରେ ସୀମିତ ସଂଖ୍ୟକ ଗାଡି ବ୍ୟବହାର ସହିତ ଭୋଟରମାନଙ୍କୁ ଆକୃଷ୍ଟ କରିବାଲାଗି ମଦ, ଟଙ୍କା ଅନ୍ୟାନ୍ୟ ସାମଗ୍ରୀର ବଣ୍ଟନ କରାଯାଇ ପାରିବନାହିଁ ବୋଲି ପୂର୍ବଥର ଭଳି ଏବେ ବି ଆଦର୍ଶ ଆଚରଣବିଧିରେ କୁହାଯାଇଛି ।

କିନ୍ତୁ ଅତୀତରେ ଯେଭଳି ନିର୍ବାଚନ ସମୟରେ ମଦ, ଟଙ୍କା ସମେତ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରାଯାଏ ଏଥର ତାହାର ପରିମାଣ ଢେର ଅଧିକ ହେବବୋଲି ଆଶଙ୍କାକରି ଅନେକ ପ୍ରାର୍ଥୀ ପ୍ରସ୍ତୁତିପର୍ବ ଚଳାଇଛନ୍ତି ।

କ୍ଷମତା ଲଢେଇରେ ଜିଣିବାପାଇଁ ନେତାଙ୍କ ଜିଦ୍‍ ଅପେକ୍ଷା ବହୁ ସ୍ଥଳରେ ବାହୁବଳୀ କର୍ମୀ ଜିଦ୍‍ ଅଧିକ ରହିଥାଏ । ଏଥିଯୋଗୁଁ ପ୍ରତିପକ୍ଷ ଉପରେ ଆକ୍ରମଣ ଓ ପ୍ରତିଆକ୍ରମଣ ଏବଂ ପରସ୍ପର ବିରୁଦ୍ଧରେ ଆରୋପ, ପ୍ରତ୍ୟାରୋପ ଏକ ମାମୁଲି ଘଟଣାରେ ପରିଣତ ହେଲାଣି ।

ଏଥିପାଇଁ ସବୁ ନିର୍ବାଚନ ସମୟରେ ପୁଲିସ୍‍ ପୂରା ପ୍ରସ୍ତୁତ ବୋଲି ବାରମ୍ବାର ଘୋଷଣା କରିଥାଏ ଏବଂ ଏହା ସତ୍ୱେ ହିଂସାକାଣ୍ଡ ବି ଘଟିଥାଏ । ଏମିତିକି ଏହି ହିଂସାକାଣ୍ଡ ହତ୍ୟାକାଣ୍ଡର ରୂପ ବି ନେଇଥାଏ ।

ଏଥର ଯେଭଳି ପ୍ରମୁଖ ରାଜନୈତିକଦଳମାନେ କ୍ଷମତା ପାଇଁ ରକ୍ତମୁଖା ହୋଇ ଅଛନ୍ତି ସେଥିରୁ ପୂର୍ବ ଅପେକ୍ଷା ଅଧିକ ହିଂସାକାଣ୍ଡ ଘଟିବ ବୋଲି ରାଜନୈତିକ ଯର୍ପ୍ୟବେକ୍ଷକମାନେ ଆଶଙ୍କା କରୁଛନ୍ତି ।

ପଞ୍ଚଦଶ ବିଧାନସଭା ପାଇଁ ନିର୍ବାଚିତ ହୋଇଥିବା ରାଜ୍ୟର ୧୪୭ଜଣ ବିଧାୟକଙ୍କ ମଧ୍ୟରୁ ଏକ ତୃତୀୟାଂଶ ଅର୍ଥାତ୍‍ ୪୯ଜଣଙ୍କ ନାମରେ ଅପରାଧିକ ମାମଲାମାନ ଥିବା କଥା ସେମାନଙ୍କ ସତ୍ୟପାଠରୁ ଜଣାପଡିଥିଲା ।

ଏଥର ବି ସବୁ ପ୍ରାର୍ଥୀ ଅନୁରୂପ ସତ୍ୟପାଠ ଦାଖଲ କରିବା ସଂଗେ ସଂଗେ କାହା ନାମରେ କଣ ଅପରାଧିକ ମାମଲା ରହିଛି ତାହା ଉଭୟ ଛପା ଓ ବୈଦ୍ୟୁତିକ ଗଣମାଧ୍ୟମରେ ବିଜ୍ଞାପିତ କରିବାକୁ କୁହାଯାଇଛି । ଏହା ସତ୍ୱେ ବି ଅପରାଧିକ ରେକର୍ଡ ଥିବା ଅଧିକ ସଂଖ୍ୟକ ନେତା ବିଭିନ୍ନ ଦଳରୁ ନିର୍ବାଚନରେ ପ୍ରାର୍ଥୀହେବା ସମ୍ଭାବନା ଅଧିକ ।