ମହିଳାଙ୍କ ଲବି ଜୋରଦାର

ଚଳିତ ନିର୍ବାଚନରେ ଅଧିକରୁ ଅଧିକ ସଂଖ୍ୟକ ମହିଳାଙ୍କୁ ପ୍ରାର୍ଥୀ କରିବାପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକଦଳ ଅଣ୍ଟା ଭିଡିଥିବାବେଳେ ଗତ ବିଧାନସଭାରେ କିନ୍ତୁ ୨୨ଟି ଜିଲ୍ଲାରୁ ମହିଳା ପ୍ରତିନିଧିତ୍ୱ ଶୂନ ରହିଥିଲା । ଏଥର ଏହିସବୁ ଜିଲ୍ଲାରୁ ଅଧିକ ସଂଖ୍ୟାରେ ମହିଳା ପ୍ରାର୍ଥୀ ହେବାକୁ ଆଶା ବାନ୍ଧି ଲବି ଚଳାଇଥିବା ଲକ୍ଷ୍ୟ କରାଯାଉଛି ।

୨୦୧୪ ରେ ହୋଇଥିବା ନିର୍ବାଚନରେ ମୋଟ୍‍ ୧୨ଜଣ ମହିଳା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏମାନଙ୍କ ମଧ୍ୟରେ ଅନୁସୂଚିତ ଜନଜାତି ବର୍ଗରୁ ଜଣେ ବିଧାୟିକା ଥିବାବେଳେ ଅନୁସୂଚିତ ଜାତି ବର୍ଗରୁ ୪ ଜଣ ଓ ଅବଶିଷ୍ଟ ୭ଜଣ ସାଧାରଣ ବର୍ଗର । ଏମାନେ ଆଠଟି ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବାବେଳେ କେବଳ ଗଞ୍ଜାମରୁ ଥିଲେ ୪ଜଣ ।

ସେହିଭଳି ବରଗଡ ଜିଲ୍ଲାରୁ ଦୁଇଜଣ ମହିଳା ବିଧାନସଭାକୁ ଆସିଥିବାବେଳେ ବିଜେପୁରରୁ ଉପନିର୍ବାଚନରେ ଜିଣିଥିଲେ ରୀତା ସାହୁ । କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଅକାଳ ବିୟୋଗ ପରେ ତାଙ୍କ ପତ୍ନୀ ରୀତା ଏଠାରୁ ବିଜେଡି ଟିକଟରେ ଜିଣିଥିଲେ ।

ସେହିଭଳି ସମ୍ବଲପୁର, ଝାରସୁଗୁଡା, ଯାଜପୁର, ଅନୁଗୁଳ, ବଲାଙ୍ଗିର ଓ ଜଗତ୍‍ସିଂହପୁର ଜିଲ୍ଲାରୁ ଜଣେ କରି ମହିଳା ବିଧାୟକ ଭାବେ ନିର୍ବାଚନ ଜିଣିଥିଲେ । ଏମାନଙ୍କ ମଧ୍ୟରୁ ବର୍ତ୍ତମାନ ବିଧାୟକ ସ୍ନେହାଙ୍ଗୀନି ଛୁରିଆ ଓ ଉଷା ଦେବୀ ମନ୍ତ୍ରୀ ଅଛନ୍ତି ।

୧୨ ଜଣ ମହିଳା ପ୍ରତିନିଧିଙ୍କ ମଧ୍ୟରୁ କଂଗ୍ରେସର ଜଣେ ହେଲେ ନଥିବାବେଳେ ବିଜେପିର ଏକମାତ୍ର ପ୍ରାର୍ଥୀଭାବେ ରାଧାରାଣୀ ପଣ୍ଡା ବିଧାନସଭାକୁ ଆସିଛନ୍ତି । ଅନ୍ୟ ସମସ୍ତେ ହେଉଛନ୍ତି ବିଜେଡିର ।

ସେହିଭଳି ଦୁଇଜଣ ମହିଳା ମଧ୍ୟ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏମାନଙ୍କ ମଧ୍ୟରେ କନ୍ଧମାଳରୁ ପ୍ରତ୍ୟୁଷା ରାଜେଶ୍ୱରୀ ଓ ଯାଜପୁରରୁ ରୀତା ତରାଇ ଅଛନ୍ତି । ଏହି ଦୁଇଜଣ ମଧ୍ୟ ବିଜେଡିର ଦଳର ।

ଚଳିତ ନିର୍ବାଚନରେ ବିଜେଡି ଲୋକସଭା ପାଇଁ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିବ ବୋଲି ଘୋଷଣା କରିବାପରେ ବିଜେପି ଓ କଂଗ୍ରେସରେ ମଧ୍ୟ ଅନୁରୂପ ଦୌଡ ଆରମ୍ଭ ହୋଇଛି । ନିଜ ଘୋଷଣା ଆଧାରରେ ବିଜେଡି ଅତି କମ୍‍ରେ ୭ଜଣ ମହିଳାଙ୍କୁ ଲୋକସଭା ପାଇଁ ପ୍ରାର୍ଥୀ କରିବ ।

ବିଜେପି ଓ କଂଗ୍ରେସ ମଧ୍ୟ ଅନୁରୂପ ସଂଖ୍ୟାରେ ମହିଳାଙ୍କୁ ଲୋକସଭା ନିର୍ବାଚନ ଲଢାଇବା ସପକ୍ଷରେ ବାହାରିଛନ୍ତି । ତେବେ ଯଦିଓ ବିଧାନସଭାରେ କେଉଁ ଦଳ କେତେ ମହିଳା ପ୍ରାର୍ଥୀ ଲଢାଇବେ ତାହା ଘୋଷଣା କରିନାହାନ୍ତି କିନ୍ତୁ ଚଳିତ ନିର୍ବାଚନରେ ଅଧିକ ସଂଖ୍ୟାରେ ମହିଳା ଟିକଟ ପାଇବାର ସମ୍ଭାବନା ସୃଷ୍ଟି ହୋଇଛି ।

ଉପକୂଳ ଓଡିଶାରେ ଗତ ଥର ମାତ୍ର ୬ଜଣ ମହିଳା ବିଧାନସଭାକୁ ନିର୍ବାଚିତ ହୋଇଥିବାବେଳେ ଏଥର ଏହି ସଂଖ୍ୟା ବୃଦ୍ଧିପାଇବ ବୋଲି ଆଶା କରାଯାଉଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, କଟକ, ପୁରୀ, ଖୋରଧା ଆଦି ଜିଲ୍ଲାରୁ ଜଣେ ହେଲେ ମହିଳା ଗତଥର ବିଧାନସଭାକୁ ଆସିପାରି ନଥିଲେ ।

ଯେହେତୁ ଚଳିତ ନିର୍ବାଚନରେ ଲୋକସଭା ଆସନ ପାଇଁ ସବୁ ଦଳ ଅଧିକ ସଂଖ୍ୟାରେ ମହିଳାଙ୍କୁ ଲଢାଇବାକୁ ଯାଉଛନ୍ତି ସେହି ଦୃଷ୍ଟିରୁ ବିଧାନସଭା ଆସନ କ୍ଷେତ୍ରରେ ମଧ୍ୟ ଅଧିକ ମହିଳା ପ୍ରତିଦ୍ୱନ୍ଦିତା କରିବାର ସମ୍ଭାବନା ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ତିନି ପ୍ରମୁଖ ଦଳରେ ଥିବା ମହିଳା କର୍ମକର୍ତ୍ତାମାନେ ଏବେ ଜୋରଦାର ଲବି ଆରମ୍ଭ କରି ଦେଇଛନ୍ତି ।