ବିଜେପିରେ ଦାମୋଦର

ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତି ଆଜି ବିଜେପିରେ ଯୋଗ ଦେଇଛନ୍ତି । ନୂଆଦିଲ୍ଲୀ ଠାରେ ଦଳର ରାଷ୍ଟ୍ରୀୟ କାର୍ଯାଳୟରେ ଦାମୋଦର ପଦ୍ମ ଧରିଥିବାବେଳେ ଗଣମାଧ୍ୟମ ଆଗରେ ବିଜୁ ବାବୁଙ୍କ ସହିତ ଥିବା ତାଙ୍କର ସମ୍ପର୍କ ଓ ବିଜେପିରେ ଯୋଗଦେବାର କାରଣ ବଖାଣିଛନ୍ତି ।

ଗତ କିଛିଦିନ ଧରି ଦାମଙ୍କ ବିଜେପିରେ ମିଶିବାର ଚର୍ଚ୍ଚା ଲାଗି ରହିଥିବାବେଳେ ଗତକାଲି ସେ ଏ ନେଇ ସୂଚନା ଦେଇଥିଲେ । ତେବେ ଆଜି ଅପରାହ୍ନରେ ଡାକ୍ତର ରାଉତ ଦିଲ୍ଲୀ ଯାଇ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି ।

ଏହି ଯୋଗଦାନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶା ପ୍ରଭାରୀ ଅରୁଣ ସିଂହ, ବିଧାନସଭାରେ ବିଜେପି ବିଧାୟକଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ସଦ୍ୟ ବିଜେପିରେ ଯୋଗ ଦେଇଥିବା ଦଳର ଉପସଭାପତି ତଥା ରାଷ୍ଟ୍ରୀୟ ମୁଖପାତ୍ର ବୈଜୟନ୍ତ ପଣ୍ଡା ଓ ସଂସଦରେ ବିଜେପିର ସଚେତକ ଥିବା ଅନୁରାଗ ଠାକୁର ଉପସ୍ଥିତ ଥିଲେ ।

ଯୋଗଦାନ ଅବସରରେ ଦାମୋଦର ତାଙ୍କ ଲମ୍ବା ରାଜନୈତିକ ଇତିହାସ ବଖାଣିଥିଲେ । ସେ କହିଥିଲେ ବିଜୁ ପଟ୍ଟନାୟକ ତାଙ୍କୁ ରାଜନୀତିକୁ ଆଣିଥିବାବେଳେ ବିଗତ ୩୫ ବର୍ଷ ଧରି ସେ ରାଜ୍ୟ ବିଧାନସଭାର ସଦସ୍ୟ ଅଛନ୍ତି । ଉଭୟ ବିଜୁ ଓ ନବୀନଙ୍କ ସରକାରରେ ସେ ୨୧ଟି ବିଭାଗର ମନ୍ତ୍ରୀ ହୋଇଛନ୍ତି ।

ବିଜୁ ବାବୁଙ୍କ ଏଜେଣ୍ଡା ଥିଲା ଓଡିଶାର ଖଣିଜ ସମ୍ପଦ ବ୍ୟବହାର କରି ରାଜ୍ୟର ବିକାଶ କରିବା । ବିଜୁଙ୍କ ସହିତ ସେ ୨୦ବର୍ଷ ଧରି ଥିବାବେଳେ ୨୦୦୦ ମସିହାରୁ ନବୀନଙ୍କ ସହିତ ରହିଥିଲେ । ହେଲେ ନବୀନଙ୍କ ଆଚରଣ ଠିକ୍‍ ବିଜୁଙ୍କ ବିପରୀତ ବୋଲି କହିବା ସହିତ ରାଜ୍ୟରେ ଦୁର୍ନୀତି ସୀମା ଟପିଥିବା ଉଲ୍ଲେଖ କରିଥିଲେ ।

ରାଜ୍ୟର ମନ୍ତ୍ରୀଭାବେ ସମବାୟ, ଦୁଗ୍ଧ ଓ ଉଦ୍ୟାନ ବିଭାଗର ଦୁର୍ନୀତି ତାଲିକା ପ୍ରସ୍ତୁତ କରିବାରୁ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବିଦା କରାଗଲା ବୋଲି ଦାମ ଅଭିଯୋଗ କରିଛନ୍ତି ।

ସେହିଭଳି ଜନନେତା ଭାବେ ଓଡିଶାକୁ ଭଲ ପାଉଥିବା ବିଜୁ ବାବୁ ଓଡିଶାବାସୀଙ୍କ ପାଇଁ କୋଟିପତିରୁ ନିଜର କୋଠି ବିକ୍ରି କରିଥିବାବେଳେ ନବୀନ ବାବୁ ଯାହାର କୋଠି ନଥିଲା ସେମାନଙ୍କୁ କୋଟିପତି କରିଦେଲେ । ରାଜ୍ୟରେ ମହିଳାମାନେ ଏବେ ଅସୁରକ୍ଷିତ ଥିବା ଦାମ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‍ ଶାହା ଦେଶକୁ ଏକ ଦୃଢ ପ୍ରଶାସନ ଦେଉଥିବାରୁ ସେ ସେଥିରେ ଆକୃଷ୍ଟ ହୋଇ ବିଜେପିରେ ଯୋଗ ଦେଇଥିବା ଡାକତର ରାଉତ କହିଥିଲେ ।