ଫୋନ୍‍ ମଣିଷର କ୍ଷତି କରୁଛି

ମୋବାଇଲ୍ ଟାୱାର ଏବଂ ଅଧିକ ମେଗା ପିକ୍ସେଲ୍ର ମୋବାଇଲ୍ ଫୋନ୍ ଆମ ଶରୀର ପାଇଁ କ୍ଷତିକାରକ । ଏହା ଦ୍ୱାରା ଉଭୟ ଶରୀର ଏବଂ ମସ୍ତିଷ୍କ ଉପରେ କୁପ୍ରଭାବ ପଡ଼ିଥାଏ । ଏହାର କୁପ୍ରଭାବ ଦ୍ୱାରା ମଣିଷ ଅଧିକ ବିରକ୍ତିଭାବ ପ୍ରକାଶ କରିଥାଏ, ଏକାଗ୍ରତା ଆସିପାରି ନଥାଏ ଏବଂ ମାନସିକ ଭାବେ ସ୍ଥିର ରହିପାରି ନଥାଏ । ତେବେ ଏନେଇ ଆମ ଦେଶରେ ସ୍ୱତନ୍ତ୍ର ଗାଇଡଲାଇନ୍ର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଶିଷ୍ଟ ସ୍ନାୟୁ ଶଲ୍ୟ ବିଶେଷଜ୍ଞ ତଥା ଶିକ୍ଷା ଓ ଅନୁସନ୍ଧାନ ଡିମଡ ବିଶ୍ୱବିଦ୍ୟାଳୟର ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ଅଶୋକ ମହାପାତ୍ର ।

୨୦୦୫ ୱାର୍ଲ୍ଡ ହେଲଥ ଅରଗାନାଇଜେସନର ଗାଇଡଲାଇନ୍ ଅନୁଯାୟୀ ସ୍କୁଲ, କଲେଜ, ହସ୍ପିଟାଲ୍ ଏବଂ ମାର୍କେଟ ଅଂଚଳର ୫୦ ମିଟର ମଧ୍ୟରେ ମୋବାଇଲ୍ ଟାୱାର ରହିବା ଅନୁଚିତ୍ । ୧୫ ମିଟର ମଧ୍ୟରେ ସୃଷ୍ଟି ହେଉଥିବା ରେଡିଏସନ୍ ମଧ୍ୟ ଅନେକ କ୍ଷତିକାରକ । ଏହାକୁ ସେଲ୍ ପାୱାର ନର୍ମ କୁହାଯାଇଥାଏ । ସେହିପରି ଅଧିକ ଶକ୍ତିଶାଳୀ ମୋବାଇଲ୍ ଫୋନ୍ ଦ୍ୱାରା ମଣିଷର ଶରୀର ମଧ୍ୟ ଅଧିକ କ୍ଷତି ହୋଇଥାଏ ।

୩୦୦ ରୁ ଅଧିକ ଫ୍ରିକ୍ୱେନ୍ସିର ଭାଇବ୍ରେସନ୍ ହେଲେ ଶରୀରରେ କ୍ଷତି ଘଟିଥାଏ । ଅନେକ ବ୍ୟକ୍ତି ରାତିରେ ଶୋଇବା ସମୟରେ ନିଜ ତକିଆ ତଳେ ଗୋଟିଏ ରୁ ତିନୋଟି ଲେଖାଏଁ ମୋବାଇଲ୍ ରଖି ଶୋଇଥାନ୍ତି । ଏହାର ପରିଣାମ ବେଶ୍ ଭୟଙ୍କର ହୋଇପାରେ ବୋଲି ଚେତାଇ ଦେଇଛନ୍ତି ଡ. ମହାପାତ୍ର ।

ସେହିପରି ହସ୍ପିଟାଲ୍, ମାର୍କେଟ, ସ୍କୁଲ୍ ଏପରିକି ନିଜ ଘର ଉପରେ ମୋବାଇଲ୍ ଟାୱାର ନ ଲଗାଇବା ନେଇ ସଚେତନ କରାଇଛନ୍ତି ଡ. ମହାପାତ୍ର । ତେବେ ଏଥି ନିମନ୍ତେ ସ୍ୱତନ୍ତ୍ର ଗାଇଡଲାଇନର ଉପଯୋଗ ହେଉ ନାହିଁ ବୋଲି ସେ ଉଦବେଗ ପ୍ରକାଶ କରିଛନ୍ତି ।

ଶିକ୍ଷା ଓ ଅନୁସନ୍ଧାନ ଡିମଡ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସ ଏବଂ ଆସୋସିଏସନ୍ ଅଫ୍ ଓରାଲ୍ ଆଣ୍ଡ ମାକ୍ସିଲୋଫେସିଆଲ୍ ସର୍ଜନ୍ସ ଅଫ୍ ଇଣ୍ଡିଆ, ଓଡ଼ିଶା ଚାପ୍ଟରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ୪ ଦିନିଆ ନ୍ୟାସନାଲ୍ ମାଷ୍ଟର କ୍ଲାସ୍ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଯୋଗ ଦେଇ ଏହି ସଚେତନତାର ବାର୍ତା ଦେଇଛନ୍ତି ଡ. ମହାପାତ୍ର ।

ଏହି ମାଷ୍ଟର କ୍ଲାସର ଉଦଘାଟନୀ କାର୍ଯ୍ୟକ୍ରମରେ ଆଇଡିଏସ୍ ଡିନ୍ ପ୍ରଫେସର ନୀତା ମହାନ୍ତି କହିଛନ୍ତି ଏହାଦ୍ୱାରା ଛାତ୍ରଛାତ୍ରୀମାନେ ତାଙ୍କର ଜ୍ଞାନ ଏବଂ ଦକ୍ଷତାକୁ ଅଧିକ ପ୍ରସ୍ଫୁଟିତ କରିପାରିବେ । ଦେଶର ଅନେକ ଦକ୍ଷ ଏବଂ ଜ୍ଞାନୀ ବକ୍ତାଙ୍କୁ ଏହିକାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରାଯାଇଛି । ସେମାନଙ୍କଠାରୁ ଛାତ୍ରଛାତ୍ରୀମାନେ ଅନେକ କିଛି ଜ୍ଞାନ ଆହରଣ କରିପାରିବେ ବୋଲି ପ୍ରଫେସର ମହାନ୍ତି କହିଛନ୍ତି । ଏହି ଅବସରରେ ଆଇଡିଏସର ଓରାଲ୍ ସର୍ଜରୀ ବିଭାଗର ମୁଖ୍ୟ ଡ. ଶୋଭନ୍ ମିଶ୍ର ଏବଂ ହାଇଟେକ୍ ଡେଂଟାଲ୍ କଲେଜର ଡିନ୍ ଡ. ସଂଗ୍ରାମ ପାତ୍ର ନିଜର ବକ୍ତବ୍ୟ ରଖିଥିଲେ ।