ସଙ୍କଟରେ ବିଏସ୍‍ଏନ୍‍ଏଲ୍‍

ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା କେନ୍ଦ୍ରୀୟ ଟେଲିକମ ସଂସ୍ଥା ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍‍ଏନ୍‍ଏଲ୍‍) ଏବେ ବିଦ୍ୟୁତ୍‍ ବିଲ୍‍ ଦେବା ଅବସ୍ଥାରେ ନାହିଁ । ବିଏସ୍‍ଏନ୍‍ଏଲ୍‍ର ଏଭଳି ସ୍ଥିତି ଓଡିଶା ସମେତ ସମଗ୍ର ଦେଶରେ ସୃଷ୍ଟି ହୋଇଥିବା ଅଧିକାରୀମାନେ ସ୍ୱୀକାର କରୁଛନ୍ତି ।

ଚଳିତ ବର୍ଷ ଜାନୁୟାରୀ ଶେଷ ସୁଦ୍ଧା ବିଏସ୍‍ଏନ୍‍ଏଲ୍‍ ଉପରେ ରାଜ୍ୟର ବିଦ୍ୟୁତ୍‍ ବିତରଣ କମ୍ପାନୀ ଗୁଡିକର ପ୍ରାୟ ୪କୋଟି ୮୫ଲକ୍ଷ ଟଙ୍କାର ବିଲ୍‍ ବାକି ହୋଇଗଲାଣି ।

ଏଭଳି ସ୍ଥିତିକୁ ଦେଖି ଠିକଣା ସମୟରେ ବିଲ୍‍ ପ୍ରଦାନ ହୋଇପାରୁନଥିବାରୁ ସହଯୋଗ ଲାଗି ବିଏସ୍‍ଏନ୍‍ଏଲ୍‍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଅନୁପମ ଶ୍ରୀବାସ୍ତବ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ରାଜ୍ୟ ସରକାରଙ୍କୁ ଲେଖିଥିବା ପତ୍ରରେ ଶ୍ରୀ ଶ୍ରୀବାସ୍ତବ ଦର୍ଶାଇଛନ୍ତି ଯେ ଟେଲିକମ୍‍ କମ୍ପାନୀ ଗୁଡିକ ମଧ୍ୟରେ ଦେଖା ଦେଇଥିବା ତୀବ୍ର ପ୍ରତିଯୋଗିତା କାରଣରୁ ବିଦ୍ୟୁତ୍‍ ବିତରଣ କମ୍ପାନୀମାନଙ୍କୁ ବିଲ୍‍ ପଇଠରେ ସାମାନ୍ୟ ବିଳମ୍ବ ଦେଖାଦେଇଛି ।

ବଜାରକୁ ରିଲାୟନ୍ସ ଜିଓ ଆସିବାପରେ ବିଏସ୍‍ଏନ୍‍ଏଲ୍‍ର ଏଭଳି ସ୍ଥିତି ସୃଷ୍ଟି ହୋଇଛି । କାରଣ ଜିଓ ଶସ୍ତା ଏପରିକି ମାଗଣାରେ ସେବା ଯୋଗାଉଥିବାରୁ ଅଧିକ ଗ୍ରାହକଙ୍କୁ ନିଜ ପକ୍ଷକୁ ନେଇଯିବାରେ ସକ୍ଷମ ହେଉଛି ।

କେନ୍ଦ୍ର ସରକାରଙ୍କ ପତ୍ର ଅନୁଯାୟୀ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ ନକଲେ ୧୫୦ ବର୍ଷର ପୁରୁଣା ରାଷ୍ଟ୍ରାୟତ ସଂସ୍ଥା ଆହୁରି ଦୁଃସ୍ଥିତି ମଧ୍ୟରୁ ଠେଲିହୋଇଯିବା ସହିତ ବନ୍ଦ ବି ହୋଇଯିବ ।

ଏହା ଉଭୟ ଦେଶ ଓ ଗ୍ରାହକମାନଙ୍କ ପାଇଁ କ୍ଷତିକାରକ । ସରକାରୀ ଟେଲିକମ ସଂସ୍ଥାର ଉପସ୍ଥିତି ଯୋଗୁଁ ଘରୋଇ ଟେଲିକମ ସଂସ୍ଥା ଗୁଡିକ ମନଇଚ୍ଛା କାରବାର କରିପାରୁ ନାହାନ୍ତି ବୋଲି ବିଏସ୍‍ଏନ୍‍ଏଲ୍‍ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଏଭଳି ସ୍ଥିତିରେ ବିଏସ୍‍ଏନ୍‍ଏଲ୍‍ ସହିତ ଅନ୍ୟ ଟେଲିକମ କମ୍ପାନୀମାନେ ଗ୍ରାହକ ହାତଛଡା ହେବା ଆଶଙ୍କାରେ ସେମାନଙ୍କର ଦର ହ୍ରାସ କରୁଛନ୍ତି । ଫଳରେ ବିଏସ୍‍ଏନ୍‍ଏଲ୍‍ର ଆୟ କମିଯାଉଛି ।

ଏଥିଯୋଗୁଁ ଏହି ରାଷ୍ଟ୍ରାୟତ ସଂସ୍ଥା ବିଦ୍ୟୁତ୍‍ ବିଲ୍‍ ପଇଠ ସହିତ ତାହାର ଦୈନନ୍ଦିନ ଖର୍ଚ୍ଚ ତୁଲାଇବାରେ ସମସ୍ୟାରେ ପଡୁଛି । ଏହାର ପ୍ରଭାବରେ ସଂସ୍ଥାର ଅଧିକାଂଶ ଏକ୍ସଚେଞ୍ଜ, ବିଟିଏସ୍‍ ଟାୱାର ବନ୍ଦ ହେବାରେ ଲାଗିଛି । ଏହାଦ୍ୱାରା ବି ଦିନକୁ ଦିନ ରାଜସ୍ୱ ହ୍ରାସ ହେଉଛି ।

ଦେଶ ଓ ଗ୍ରାହକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଏସ୍‍ଏନ୍‍ଏଲ୍‍ ତାହାର ସେବା ଜାରି ରଖିଛି । ଏଭଳି ସ୍ଥିତିରେ ପଡୋଶୀ ଦେଶ ସହିତ ବିବାଦକୁ ଦୃଷ୍ଟିରେ ରଖି ବିଦ୍ୟୁତ୍‍ ବିତରଣ କମ୍ପାନୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବା ନିମନ୍ତେ ଶ୍ରୀ ଶ୍ରୀବାସ୍ତବ ଅନୁରୋଧ କରିଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେ ବର୍ତ୍ତମାନ ଦେଶରେ ସାଧାରଣ ନିର୍ବାଚନ ସହିତ ଓଡିଶାରେ ବିଧାନସଭା ନିର୍ବାଚନ ହେଉଥିବାରୁ ବିଏସ୍‍ଏନ୍‍ଏଲ୍‍ ସେବା ଜରୁରୀ ହୋଇପଡିଛି ।

ତେଣୁ ବିଏସ୍‍ଏନ୍‍ଏଲ୍‍ ବିରୁଦ୍ଧରେ ବିଦ୍ୟୁତ୍‍ ବିତରଣ କମ୍ପାନୀମାନେ ଯେଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ସେଥି ନିମେନ୍ତ ରାଜ୍ୟ ସରକାର ନିର୍ଦ୍ଦେଶ ଦେବାକୁ ଶ୍ରୀ ଶ୍ରୀବାସ୍ତବ କହିଛନ୍ତି । ବିଏସ୍‍ଏନ୍‍ଏଲ୍‍ର ବିଦ୍ୟୁତ୍‍ ବିଲ୍‍ ଖୁବ୍‍ଶୀଘ୍ର ପଇଠ କରାଯିବ ବୋଲି ଶ୍ରୀ ଶ୍ରୀବାସ୍ତବ ମଧ୍ୟ ରାଜ୍ୟ ସରକାରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।