ରାଲିରେ ନିୟମ ଉଲ୍ଲଙ୍ଘନ

ନିର୍ବାଚନ ସମୟରେ ବିଭିନ୍ନ ରାଜନୈତକଦଳ ଓ ପ୍ରାର୍ଥୀମାନଙ୍କ ଶୋଭାଯାତ୍ରା ଉପରେ ନିର୍ବାଚନ କମିଶନ ସର୍ତ୍ତ ଆରୋପ କରିଛନ୍ତି ।

ଅଥଚ ଖୋଲାଖୋଲି ଭାବେ ସବୁ ଦଳର ଶୋଭାଯାତ୍ରାକାରୀମାନେ ନିୟମ ଭଙ୍ଗକରି ବିନା ହେଲମେଟରେ ବାଇକ ରାଲିରେ ଯାଉଛନ୍ତି ।

କିନ୍ତୁ ଆଇନ୍‍ ବ୍ୟବସ୍ଥାର ହାତ ଏଭଳି ପଙ୍ଗୁହୋଇ ଯାଇଛି ଯେ ବିନା ହେଲମେଟରେ ବାଇକ ରାଲିରେ ଯାଉଥିବା ଜଣେ ହେଲେ କାହାକୁ ଅଟକାଇ ଜୋରିମାନା ଆଦାୟ କରିବାକୁ ପୁଲିସ୍‍ ସାହସ କରୁନାହିଁ ।

ଆଇନ୍‍ଗତ ବ୍ୟବସ୍ଥାନୁଯାୟୀ ସବୁ ଚାରିଚକିଆ ଯାନ ଚାଳକ ସିଟ୍‍ ବେଲ୍ଟ ବାନ୍ଧିବାକୁ ବାଧ୍ୟ । କିନ୍ତୁ ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକଦଳ ଓ ନେତାମାନଙ୍କ ରାଲି ତଥା ପ୍ରଚାର କାର୍ଯ୍ୟକ୍ରମରେ ବ୍ୟବହୃତ ଚାରିଚକିଆ ଗାଡିଗୁଡିକ ପାଇଁ ସତେ ଯେମିତି ଏହି ନିୟମ ଲାଗୁ ହୁଏନାହିଁ । ଖୋଦ ରାଜଧାନୀରେ ପୁଲିସ୍‍ ଓ ପରିବହନ ବିଭାଗ କର୍ତ୍ତୃପକ୍ଷ ସିଟ୍‍ବେଲ୍ଟ ନବାନ୍ଧି ଗାଡିଚାଳନା କରୁଥିବା ବ୍ୟକ୍ତିଙ୍କୁ ଧରି ମୋଟାଅଙ୍କର ଜୋରିମାନା ଆଦାୟ କରୁଛନ୍ତି ।

ଅଥଚ ଖୋଲାଖୋଲି ଭାବେ ରାଜନୈତିକଦଳ ଗୁଡିକର ରାଲିରେ ବହୁ ସଂଖ୍ୟକ ଚାରିଚକିଆ ଯାନ ଦେଖାଯାଉଥିବାବେଳେ ସେଗୁଡିକର ଚାଳକଙ୍କୁ ଆଇନାନୁଯାୟୀ ଦଣ୍ଡିତ କରିବାପାଇଁ ପୁଲିସ୍‍ କାହିଁକି ଅକ୍ଷମ ହେଉଛି ବୋଲି ସଚେତନ ନାଗରିକମାନେ ପ୍ରଶ୍ନ କରୁଛନ୍ତି ।

କେବଳ ଚାରିଚକିଆ ଯାନର ସିଟ୍‍ବେଲ୍ଟ ନୁହେଁ, ହେଲମେଟ୍‍ ନପିନ୍ଧି ଦୁଇଚକିଆ ଯାନ ଚାଳନା କରିବା ମଧ୍ୟ ଆଇନ୍‍ ଦୃଷ୍ଟିରୁ ଅପରାଧ । ଏହି ଘଟଣାରେ ପୁଲିସ୍‍ ଘଟଣାସ୍ଥଳରେ ଗାଡି ଅଟକାଇ ଜୋରିମାନା ଆଦାୟ କରିଥାଏ । ଯିଏ ଜୋରିମାନା ନଦିଏ ତାହାର ଗାଡିକୁ ଜବତ କରିବା ସହ ଫୌଜଦାରୀ ମାମଲା ବି ରୁଜୁ ହୁଏ ।

କିନ୍ତୁ ବିଭିନ୍ନଦଳର ନେତାମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଠାରୁ ଆରମ୍ଭକରି ପ୍ରାର୍ଥୀପତ୍ର ଦାଖଲ ସମୟର ଶୋଭାଯାତ୍ରା ଏବଂ ପରବର୍ତ୍ତୀ ସମୟରେ ନିର୍ବାଚନ ପ୍ରଚାରବେଳେ ଶହ ଶହ ସଂଖ୍ୟାରେ ବାଇକ ରାଲି ଦେଖିବାକୁ ମିଳିଥାଏ । ହେଲେ ଏହି ରାଲିରେ ଅଂଶଗ୍ରହଣ କରୁଥିବା ଯୁବକମାନେ ପ୍ରାୟତଃ ହେଲମେଟ ପିନ୍ଧନ୍ତି ନାହିଁ ।

କେବଳ ସେତିକି ନୁହେଁ ଦୁଇ ଚକିଆ ଯାନରେ ତିନି ଜଣ ବସିକରି ଗଲେ ବି ଜୋରିମାନା ଆଦାୟ ହୁଏ । କିନ୍ତୁ ରାଜନୈତିକଦଳର ରାଲିରେ ଦୁଇଚକିଆ ଯାନରେ ଯେତେଲୋକ ବସିକରି ଗଲେ ମଧ୍ୟ ତାହାକୁ ପୁଲିସ୍‍ କିମ୍ବା ପରିବହନ ବିଭାଗ କର୍ତ୍ତୃପକ୍ଷ ଧରନ୍ତି ନାହିଁ ।

ରାଜଧାନୀର ବିଭିନ୍ନ ଟ୍ରାଫିକ ଛକରେ ସିସିଟିଭି କ୍ୟାମେରାମାନ ଲାଗିଛି । ଏହି କ୍ୟାମେରାର ଫଟୋ ଆଧାରରେ ଟ୍ରାଫିକ ଛକରେ ନିୟମ ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତିଙ୍କ ଘରକୁ ଜୋରିମାନା ପଇଠ ପାଇଁ ନୋଟିସ୍‍ମାନ ପଠାଯାଇଥାଏ ଏବଂ ଯିଏ ଜୋରିମାନା ନଦିଏ ତାହା ବିରୁଦ୍ଧରେ ଆଇନ୍‍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ । ଏମିତିକି ନିୟମ ଉଲ୍ଲଙ୍ଘନକାରୀଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ ଠାରୁ ଆରମ୍ଭ କରି ଜେଲ୍‍ ଜୋରିମାନା ପର୍ଯ୍ୟନ୍ତ ଦଣ୍ଡର ବ୍ୟବସ୍ଥା ଅଛି ।

ଅଥଚ ଆଦର୍ଶ ଆଚରଣବିଧି ଜାରି କରୁଥିବା ନିର୍ବାଚନ କମିଶନ କିନ୍ତୁ ବାଇକ ରାଲିରେ ହେଲମେଟ୍‍ ପିନ୍ଧା ଓ ନିଶାଶକ୍ତ ଅବସ୍ଥାରେ ଗାଡିାଳନା, ଚାରିଚକିଆ ଯାନ ଚାଳକଙ୍କ ସିଟ୍‍ବେଲ୍ଟ ବନ୍ଧା କିମ୍ବା ରାଲିପାଇଁ କ୍ଷମତା ଠାରୁ ଯାନରେ ଅଧିକ ଲୋକ ଯିବା ଘଟଣାକୁ ଅତି ହାଲକା ଭାବେ ନେଉଛନ୍ତି ।

କୌଣସି ପ୍ରମୁଖ ରାଜନୈତିକଦଳ କିମ୍ବା ନେତାମାନେ ନିଜର ସମର୍ଥକ ଓ କର୍ମୀମାନଙ୍କୁ ଏ ପ୍ରସଙ୍ଗରେ ଆଇନ୍‍ ମାନିବାକୁ କହୁନାହାନ୍ତି ।