ରାଜଧାନୀ ଛାଡୁ ନାହାନ୍ତି ନେତା

ତିନି ପ୍ରମୁଖ ରାଜନୈତିକଦଳ ବିଜେପି, ବିଜେଡି ଓ କଂଗ୍ରେସର ଟିକଟ ଆଶାୟୀ ନେତାମାନେ ରାଜଧାନୀ ଛାଡୁ ନାହାନ୍ତି । ସମର୍ଥକଙ୍କ ସହ ଏଠାରେ ଡେରା ପକାଇବା ସହିତ ବିଭିନ୍ନ ସ୍ତରରେ ଜୋରଦାର ଲବି ଚଳାଇଛନ୍ତି ।

କଂଗ୍ରେସ ଯଦିଓ ତାହାର ପ୍ରାର୍ଥୀ ତାଲିକା ଦିଲ୍ଲୀ ପଠାଇ ସେଠାରେ ଚୂଡାନ୍ତ କରୁଛି, କିନ୍ତୁ ଆଶାୟୀମାନେ ରାଜଧାନୀ ଛାଡି ଯିବାକୁ ନାରାଜ । ବିଜେଡି ତାହାର ମହିଳାକାର୍ଡ ଖେଳିବାପରେ କଂଗ୍ରେସ ତାଲିକାରେ ଶେଷ ମୂହୂର୍ତ୍ତରେ କିଛି ପରିବର୍ତ୍ତନ ହେବା ଆଶାରେ ଏବେ ବି ଅନେକ ଆଶାୟୀ ଲବି ଚଳାଇଛନ୍ତି । ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଆଜି ଅନୁରୂପ ସଙ୍କେତ ଦେଇଛନ୍ତି । ଅଧିକ ସଂଖ୍ୟାରେ ମହିଳାଙ୍କୁ ପ୍ରାର୍ଥୀ କରିବାପାଇଁ କଂଗ୍ରେସ ତାହାର ତାଲିକା ବଦଳାଇପାରେ ବୋଲି କହିଛନ୍ତି । ଏହି ଦଳର ପ୍ରଥମ ତାଲିକା ଆସନ୍ତା ୧୬ ତାରିଖ ସୁଦ୍ଧା ଚୂଡାନ୍ତ ହେବାର ସମ୍ଭାବନା ରହିଛି ।

ବିଜେପି ଓ ବିଜେଡିରେ ଯଦିଓ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଚୂଡାନ୍ତ ସ୍ଥିତିରେ ରହିଛି ତଥାପି ପ୍ରତିଦିନ ଦଳରେ ନୂଆ ନୂଆ ନେତା ଆସି ମିଶୁଥିବାରୁ ଏହା ପ୍ରକାଶରେ ବିଳମ୍ବ ହେବାରେ ଲାଗିଛି । ନବୀନ ନିବସରେ ଦିନକୁ ଦିନ ଆଶାୟୀ ଭିଡ ବଢିବାରେ ଲାଗିଥିବାବେଳେ ରାଜ୍ୟ ବିଜେପି ଦପ୍ତରରେ ବି ଅନୁରୂପ ଗହଳି ପରିଲକ୍ଷିତ ହେଉଛି ।

ବିଜେଡି ଏଥର ଏକାକୀ ନିର୍ବାଚନ ଲଢିବ ଓ ଜିଣିବାର ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଟିକଟ ଦିଆଯିବ ବୋଲି ନବୀନ ପଟ୍ଟନାୟକ ସ୍ପଷ୍ଟ କରିଥିବାବେଳେ ପୂର୍ବରୁ ସଂସଦ ପାଇଁ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରାଯିବ ବୋଲି କହିଛନ୍ତି । ତେଣୁ ଏଥର ଅଧିକ ମହିଳା ବିଜେଡି ଟିକଟ ପାଇବା ଆଶାରେ ନିଜ ସମର୍ଥକଙ୍କ ସହ ରାଜଧାନୀରେ ଡେରା ପକାଇଛନ୍ତି ।

ବିଜେପିର ଓଡିଶା ପ୍ରଭାରୀ ଅରୁଣ ସିଂହ ଆସି ପହଞ୍ଚିବା ପରେ ଦଳର ପ୍ରଥମ ପର୍ଯ୍ୟାୟ ଟିକଟ ତାଲିକା ଚୂଡାନ୍ତ ପାଇଁ ଜୋରଦାର ଆଲୋଚନା ଚାଲିଛି । ଏହି ଦଳରେ ବି ପ୍ରତିଦିନ ନୂଆ ନୂଆ ନେତା ଯୋଗ ଦେଉଥିବାରୁ ତାଲିକାରେ ଚୂଡାନ୍ତରେ ତାହା ଏକ ପ୍ରକାର ବାଧକ ସାଜିଛି ।

ତିନି ରାଜନୈତିକଦଳ ଆଶାୟୀମାନେ ଟିକଟ ପାଇବାପାଇଁ ଜୋରଦାର ଲବି ଚଳାଇବା ସହିତ କେତେକ ସ୍ଥାନରେ ଚାପ ପ୍ରୟୋଗ କରିବାରେ ଲାଗିଛନ୍ତି । ବିଶେଷକରି ଯେଉଁମାନେ ଟିକଟ ପାଇବାର ନାହିଁ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ସେମାନେ ଅଧିକ ସଂଖ୍ୟକ ସମର୍ଥକ ଆଣି ରାଜଧାନୀରେ ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେଉଛନ୍ତି ।

ଉଲ୍ଲେଖ କରାଯାଇପାରେ ଯେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ଲୋକସଭା ଏବଂ ତତ୍‍ ସଂଲଗ୍ନ ୨୮ଟି ବିଧାନସଭା ଆସନରେ ନିର୍ବାଚନ ଲାଗି ଆସନ୍ତା ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏହି ଆସନ ଗୁଡିକ ଲାଗି ପ୍ରାର୍ଥୀ ଦାଖଲର ଶେଷ ତାରିଖ ମାର୍ଚ୍ଚ ୨୫ ତାରିଖ ରହିଥିବାବେଳେ ତିନି ପ୍ରମୁଖ ଦଳର ଆଶାୟୀମାନେ ତାଲିକା ଘୋଷଣା ପର୍ଯ୍ୟନ୍ତ ରାଜଧାନୀ ଛାଡିବାକୁ ରାଜି ନଥିବା ଲକ୍ଷ୍ୟ କରାଯାଉଛି ।