ବଢୁଛନ୍ତି ମହିଳା ଆଶାୟୀ

ସପ୍ତାହକ ମଧ୍ୟରେ ଓଡିଶାର ୯ଟି ଲୋକସଭା ଓ ୬୩ଟି ବିଧାନସଭା ଆସନପାଇଁ ବିଜ୍ଞପ୍ତି ଜାରି ହେବ । ଏ ପରିପ୍ରେକ୍ଷୀରେ ଏହି ଆସନ ଗୁଡିକ ଲାଗି ପ୍ରାର୍ଥୀ ତାଲିକା ଚୂଡାନ୍ତ କରିବାପାଇଁ ପ୍ରମୁଖ ରାଜନୈତିକଦଳ ଗୁଡିକ ଚଳଚଞ୍ଚଳ ହୋଇ ଉଠିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ଲୋକସଭା ଆସନ ତତ୍‍ ସଂଲଗ୍ନ ୨୮ଟି ବିଧାନସଭା ଆସନପାଇଁ ମାର୍ଚ୍ଚ ୧୮ ତାରିଖେରେ ର୍ନିବାଚନ କମିଶନ ବିଜ୍ଞପ୍ତି ଜାରି କରିବେ ଏବଂ ଏଗୁଡିକ ଲାଗି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ମାର୍ଚ୍ଚ ୨୫ ରହିଛି ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ, ସୁନ୍ଦରଗଡ, ବଲାଙ୍ଗିର, କନ୍ଧମାଳ ଓ ଆସିକା ଲୋକସଭା ଆସନ ଓ ତତ୍‍ ସଂଲଗ୍ନ ୩୫ଟି ବିଧାନସଭା କ୍ଷେତ୍ର ପାଇଁ ମାର୍ଚ୍ଚ ୧୯ରେ ବିଜ୍ଞପ୍ତି ଜାରିହେବ ଓ ଏଗୁଡିକପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ୨୬ ମାର୍ଚ୍ଚ ରହିଛି ।

ଏହି ୯ଟି ଲୋକସଭା ଆସନରେ ଏବେ ଜଣେମାତ୍ର ମହିଳା ସାଂସଦ ଥିବାବେଳେ ଅନ୍ୟ ସମସ୍ତେ ପୁରୁଷ । ବିଶେଷକରି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ତୃତୀୟାଂଶ ଲୋକସଭା ଆସନରେ ତାଙ୍କ ଦଳ ମହିଳାଙ୍କୁ ପ୍ରାର୍ଥୀ କରିବ ବୋଲି ଘୋଷଣା କରିଥିବା ପରିପ୍ରେକ୍ଷୀରେ ଏହି ଅଞ୍ଚଳର ବହୁ ନାରୀ ନେତ୍ରୀ ଉଭୟ ଲୋକସଭା ଓ ବିଧାନସଭା ଟିକଟ ପାଇବାପାଇଁ ବେଶ୍‍ ଉତ୍ସାହୀ ହୋଇପଡିଛନ୍ତି ।

ଏମିତିକି କାଳେ ବିଜେଡିକୁ ଗଲେ ଟିକଟ ମିଳିଯିବ ସେହି ଆଶାରେ ଅନ୍ୟ କେତେକ ଦଳର ନାରୀ ନେତ୍ରୀ ମଧ୍ୟ ଦଳ ଡେଇଁବାପାଇଁ ବିଜେଡି ସହ ଯୋଗାଯୋଗରେ ଅଛନ୍ତି ।

କଂଗ୍ରେସ ତାହାର ପ୍ରାର୍ଥୀ ତାଲିକାକୁ ଚୂଡାନ୍ତ ରୂପରେଖ ଦେବାପାଇଁ ଦିଲ୍ଲୀ ପଠାଇଛି । ଏହା ଉପରେ ରାହୁଳ ଗାନ୍ଧୀ ଆଖିବୁଜା ମୋହର ମାରିବେ ନା ସେଥିରେ କିଛି ପରିବର୍ତ୍ତନ ଆଣିବେ ତାହା ପ୍ରାର୍ଥୀ ତାଲିକା ଘୋଷଣା ପରେ ଜଣାପଡିବ । ବିଜେଡିର ଘୋଷଣା ପରିପ୍ରେକ୍ଷୀରେ କଂଗ୍ରେସ ମଧ୍ୟ ପୂର୍ବଥର ଅପେକ୍ଷା ଏଥର ଅଧିକ ଆସନରେ ମହିଳା ପ୍ରାର୍ଥୀ ଦେଇପାରେ ।

ତେବେ ଯେଉଁମାନେ କଂଗ୍ରେସ ବିଧାୟକ ଅଛନ୍ତି ସେ ସମସ୍ତଙ୍କୁ ଟିକଟ ମିଳିବ ବୋଲି ଦଳୀୟ ସୂତ୍ରରୁ ଘୋଷଣା କରାଯିବାପରେ ଅଣକଂଗ୍ରେସ ବିଧାୟକ ଥିବା ଆସନ ଗୁଡିକରେ ଦଳର କେତେକ ମହିଳାଙ୍କୁ ପ୍ରାର୍ଥୀ କରାଯାଇପାରେ ।

ବଲାଙ୍ଗିର ଆସନରେ ପୁଣି ଥରେ ବିଜେପି ସଂଗୀତା କୁମାର ସିଂହଦେଓଙ୍କୁ ପ୍ରାର୍ଥୀ କରିପାରେ । ସେହିପରି ଦଳର ଲଢୁଆ ବିଧାୟିକା ରାଧାରାଣୀ ପଣ୍ଡା ବ୍ରଜରାଜନଗରରୁ ଦଳୀୟ ଟିକଟ ପାଇବାରେ କିଛି ପ୍ରତିବନ୍ଧକ ନାହିଁ ।

ତେବେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ରାଜ୍ୟର ୯ଟି ଲୋକସଭା ଓ ୬୩ଟି ବିଧାନସଭା ଆସନ ମଧ୍ୟରୁ ଗତଥର ବିଜେପି ଯେତେ ମହିଳା ପ୍ରାର୍ଥୀ ଛିଡା କରାଇଥିଲା ଏଥର ସେହିସଂଖ୍ୟା ତୁଳନାତ୍ମକ ଭାବେ ବଢିପାରେ ।

ବିଜେପିର ପ୍ରାର୍ଥୀ ଚୟନ ପ୍ରକ୍ରିୟା ଏକ ପ୍ରକାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଅନ୍ୟଦଳର କିଛି ନେତାଙ୍କ ଉପରେ ବିଜେପି ନଜର ରଖିଥିବାରୁ ଶେଷ ମୂହୂର୍ତ୍ତରେ ବି ପ୍ରାର୍ଥୀତାଲିକା ବଦଳିପାରେ ।

ତିନି ପ୍ରମୁଖ ରାଜନୈତିକଦଳରୁ ଯାହା ସୂଚନା ମିଳୁଛି ଏକା ଥରକେ କୌଣସି ଦଳ ପୂର୍ଣ୍ଣାଙ୍ଗ ପ୍ରାର୍ଥୀତାଲିକା ମାର୍ଚ୍ଚ ୧୮ ପୂର୍ବରୁ ପ୍ରକାଶ କରିବେ ନାହିଁ । ପର୍ଯ୍ୟାୟକ୍ରମେ ବିଭିନ୍ନ ଦଳ ତାଲିକା ଘୋଷଣା କରିବେ ।

କଂଗ୍ରେସ ସହ ଆସନ ବୁଝାମଣା କରୁଥିବା କମ୍ୟୁନିଷ୍ଟମାନଙ୍କ ତାଲିକାରେ ଏଯାବତ୍‍ ଯେଉଁମାନଙ୍କ ନାମ ଚର୍ଚ୍ଚା ହେଉଛି ସେଥିରେ ମହିଳା ପ୍ରାର୍ଥୀ ନାହାନ୍ତି ବୋଲି କୁହାଯାଉଛି । ତେବେ ମହିଳା କାର୍ଡ ଖେଳିଲେ ମଧ୍ୟ ବିଜୟ ସମ୍ଭାବନାକୁ ଆଖିଆଗରେ ରଖି ବିଜେଡି, ବିଜେପି, କଂଗ୍ରେସ ଓ ବାମପନ୍ଥୀଙ୍କ ସମେତ ଅନ୍ୟ ରାଜନୈତିକ ଦଳମାନେ ପ୍ରାର୍ଥୀ ଦେବେ ।