ଇଜ୍‍ ଅଫ୍‍ ଲିଭିଂରେ ଖୋରଧା ପ୍ରଥମ

ଜୀବନ ଧାରଣର ମାନ (ଇଜ୍‍ ଅଫ୍‍ ଲିଭିଂ) କ୍ଷେତ୍ରରେ ଖୋରଧା ଜିଲ୍ଲା ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲା ଠାରୁ ଆଗରେ ରହିଛି ।

ଜିଲ୍ଲାୱାରୀ ଲୋକଙ୍କ ଜୀବନ ଧାରଣର ବିଭିନ୍ନ ଉନ୍ନତିମୂଳକ ମାନଦଣ୍ଡକୁ ନେଇ ନୀତି ଆୟୋଗ ପ୍ରସ୍ତୁତ କରିଥିବା ଡ୍ରାଫ୍ଟ ରିପୋର୍ଟରେ ଏହା ଦର୍ଶାଯାଇଛି । ଖୁବ୍‍ଶୀଘ୍ର ଚୂଡାନ୍ତ ରିପୋର୍ଟ ପ୍ରକାଶ ପାଇବ ।

ନୀତି ଆୟୋଗ ସିଇଓ ଅମିତାଭ କାନ୍ତଙ୍କ ସମନ୍ୱୟରେ ପ୍ରସ୍ତୁତ ହେଉଥିବା ଇଜ୍‍ ଅଫ୍‍ ଲିଭିଂ-୨୦୧୯ ଖୁବ୍‍ଶୀଘ୍ର ପ୍ରକାଶ ପାଇବ । ଅଧିକାରୀ ସ୍ତରୀୟ ସୂଚନା ଅନୁଯାୟୀ କମ୍‍ ଆୟକାରୀ ଗୋଷ୍ଠି ସହିତ ରାଜ୍ୟରେ ମୋଟ୍‍ ୪କୋଟି ୧୯ଲକ୍ଷ ଲୋକ ଅଛନ୍ତି ।

ଏମାନଙ୍କର ମୁଣ୍ଡପିଛା ମୋଟ୍‍ ଘରୋଇ ଉତ୍ପାଦନ ୫୨,୫୫୯ ଟଙ୍କା ରହିଛି । ସୂଚନା ଅନୁଯାୟୀ ଇଜ୍‍ ଅଫ୍‍ ଲିଭିଂ ତାଲିକାର ଆଗରେ ରାଜ୍ୟର ଖୋରଧା ଜିଲ୍ଲା ସହିତ କଟକ, ସମ୍ବଲପୁର, ଝାରସୁଗୁଡା ଏବଂ ସୁବର୍ଣର୍ପୁର ରହିଛି ।

ତିନିଟି ମାନଦଣ୍ଡ ଯଥା ମୌଳିକ ଆବଶ୍ୟକତା, ବିକାଶର ଉପାଦାନ ଏବଂ ମାନବ ବିକାଶର ସୁଯୋଗ । ଅଧିକାରୀଙ୍କ ସୂଚନା ଅନୁଯାୟୀ ଇଜ୍‍ଅଫ୍‍ ଲିଭିଂ ଅନେକ ଗୁଡିଏ ଦିଗକୁ ନେଇ ପ୍ରସ୍ତୁତ ହୋଇଛି ।

ଏଥି ମଧ୍ୟରେ ଶାରୀରିକ, ସାମାଜିକ, ମାନସିକ ଏବଂ ମଣିଷର ବ୍ୟକ୍ତିଗତ ବିକାଶ ଆଦି ରହିଛି । ରାଜ୍ୟ ସରକାରଙ୍କୁ ଶ୍ରୀ କାନ୍ତ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଇଜ୍‍ ଅଫ୍‍ ଲିଭିଂ ପ୍ରମୁଖ ଦିଗ ଗୁଡିକ ମଧ୍ୟରେ ନାଗରିକମାନଙ୍କ ମଧ୍ୟରେ ସମାନତା, ମର୍ଯ୍ୟାଦା, ଅଂଶଗ୍ରହଣ, ପ୍ରବେଶ ଓ ସଶକ୍ତିକରଣ ଆଦି ରହିଛି ।

ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ ପୂର୍ବରୁ ନୀତି ଆୟୋଗ ରାଜ୍ୟ ସରକାରଙ୍କୁ ଏହା ଉପରେ ତାଙ୍କର ମତାମତ ଦେବାପାଇଁ କହିଛନ୍ତି । ଆଙ୍କାକ୍ଷୀ ଜିଲ୍ଲା ତାଲିକାରେ ଥିବା ରାଜ୍ୟର ପଛୁଆ ଜିଲ୍ଲା ଯଥା କଳାହାଣ୍ଡି, ରାୟଗଡା, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରିକୁ ସାମିଲ କରିଥିବାବେଳେ ଅଗ୍ରଣୀ ଜିଲ୍ଲା ଗୁଡିକ ସହିତ ଏହାକୁ ସମାନ ସ୍ତରକୁ ଆଣିବା କଷ୍ଟକର ହୋଇଛି ।

ମୌଳିକ ଆବଶ୍ୟକତା, ବାସଗୃହ ସୁରକ୍ଷା ଏବଂ ନିରାପତ୍ତା, ଜଳ ଓ ସ୍ୱଚ୍ଛତା ନେଇ ସମସ୍ତ ରାଜ୍ୟ ଓ ଜିଲ୍ଲା ଗୁଡିକ ପାଇଁ ଆୟୋଗ ସ୍କୋରକାର୍ଡ ପ୍ରସ୍ତୁତ କରିଛନ୍ତି । ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଜ୍ଞାନ, ବିକାଶ ସୁବିଧା, ଉଚ୍ଚଶିକ୍ଷା, ଉତ୍ତମ ପରିବେଶ, ପ୍ରଶାସନ, ଉନ୍ନତ ଜୀବନ ଧାରଣ ଆଦିରେ ଏଥିରେ ସ୍ଥାନ ପାଇଛି ।

ଜିଲ୍ଲା ଗୁଡିକରେ ଇଜ୍‍ ଅଫ୍‍ ଲିଭିଂ ମ୍ୟାପ୍‍ ପ୍ରସ୍ତୁତ ସମୟରେ ଏହି ସମସ୍ତ ଦିଗ ପ୍ରତି ଦୃଷ୍ଟି ଦିଆଯାଇଥିବା ଜଣେ ଅଧିକାରୀ କହିଛନ୍ତି । ଏହା ପ୍ରସ୍ତୁତ ସମୟରେ ଜିଲ୍ଲା ଗୁଡିକ ମଧ୍ୟରେ ବ୍ୟାପକ ତାରତମ୍ୟ ପରିଲକ୍ଷିତ ହୋଇଛି । ଖୋରଧା ଜିଲ୍ଲା ଏ କ୍ଷେତ୍ରରେ ସବୁଠାରୁ ଆଗରେ ଥିବାବେଳେ କଟକ ଦ୍ୱିତୀୟ ଓ ସମ୍ବଲପୁର ତୃତୀୟ ସ୍ଥାନରେ ରହିଛି ।

ବିଭିନ୍ନ ସୁବିଧା ସୁଯୋଗ ଉପରେ ରାଜ୍ୟ ସରକାର ମତାମତ ଦେବାପରେ ନୀତି ଆୟୋଗଙ୍କ ଚୂଡାନ୍ତ ରିପୋର୍ଟରେ ତାହା ସ୍ଥାନ ପାଇବ । ପୂର୍ବରୁ ଏ ନେଇ ଆୟୋଗଙ୍କ ନିକଟରେ ବ୍ୟାପକ ସୂଚନା ନଥିଲା ।

ଜିଲ୍ଲା ସ୍ତରରେ ମୁଣ୍ଡପିଛା ମୋଟ୍‍ ଘରୋଇ ଉତ୍ପାଦନ, ଘରୋଇ ବ୍ୟୟ ଏବଂ ସହରାଞ୍ଚଳରେ ଜନବହୁଳତା ଉପରେ ଆୟୋଗଙ୍କ ପକ୍ଷରୁ ସୂଚନା ଲୋଡାଯାଇଛି । ଏହା ସମୟ ସାପେକ୍ଷ ହୋଇଥିବାରୁ ପରବର୍ତ୍ତୀ ସମୟରେ ଏହା ଇଜ୍‍ ଅଫ୍‍ ଲିଭିଂ ରେ ସାମିଲ କରାଯିବ ବୋଲି ସୂଚନା ମିଳିଛି ।