ସଂରକ୍ଷିତ ଆସନ ଉପରେ ନଜର

ଓଡ଼ିଶାର ନିର୍ବାଚନରେ ମୁଖ୍ୟତଃ ଅନୁସୂଚିତ ଜାତି ଓ ଜନଜାତିର ମତଦାତାମାନେ ପ୍ରଭାବିତ କରି ଆସୁଥିବାରୁ ପ୍ରମୁଖ ରାଜନୈତିକ ଦଳମାନେ ଏହି ବର୍ଗଙ୍କ ପାଇଁ ସଂରକ୍ଷିତ ନିର୍ବାଚନ ମଣ୍ଡଳୀଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରୀତ କରିଛନ୍ତି ।

କେଉଁ ଦଳ ସରକାରରେ ଥିବା ବେଳେ ଏହି ବର୍ଗଙ୍କ ବିକାଶ ପାଇଁ କ’ଣ କରିଥିଲା ଏବଂ ଆଗାମୀ ଦିନରେ ସରକାର ଗଠନ କଲେ କ’ଣ କରିବ ସେ ସଂକ୍ରାନ୍ତରେ ରାଜନୈତିକ ଦଳମାନେ ପ୍ରତିଶ୍ରୁତି ବର୍ଷା କରିବା ଆରମ୍ଭ କରିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ସର୍ବଶେଷ ଜନଗଣନା ଅନୁଯାୟୀ ଓଡ଼ିଶାର ଜନସଂଖ୍ୟା ପ୍ରାୟ ୩ କୋଟି ୫୦ ଲକ୍ଷ ଥିବା ବେଳେ ଏଥିମଧ୍ୟରୁ ଅନୁସୂଚିତ ଜନଜାତିଙ୍କ ସଂଖ୍ୟା ପ୍ରାୟ ୯୬ ଲକ୍ଷ ଓ ଅନୁସୂଚିତ ଜାତିର ଜନସଂଖ୍ୟା ପାଖାପାଖି ୭୨ ଲକ୍ଷ ରେକର୍ଡ କରାଯାଇଛି ।

ଓଡ଼ିଶାର ୧୪୭ଟି ବିଧାନସଭା ଆସନ ମଧ୍ୟରୁ ଜନସଂଖ୍ୟା ଅନୁପାତ ଆଧାରରେ ଅନୁସୂଚିିତ ଜନଜାତିଙ୍କ ପାଇଁ ୩୩ଟି ଓ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ୨୪ଟି ଆସନ ସଂରକ୍ଷିତ ରହିଛି ।

ମୋଟାମୋଟି ଭାବେ ରାଜ୍ୟର ୫୭ଟି ବିଧାନସଭା ଆସନ ସଂରକ୍ଷିତ ଥିବା ବେଳେ ଅନ୍ୟ ୯୦ଟି ଅଣସଂରକ୍ଷିତ ରହିଛି । ଏହାଛଡ଼ା ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ୫ଟି ଓ ଅନୁସୂଚିତ ଜାତି ବର୍ଗ ଲାଗି ୩ଟି ସଂରକ୍ଷିତ ଥିବା ବେଳେ ଅବଶିଷ୍ଟ ୧୩ଟି ଅଣସଂରକ୍ଷିତ ରହିଛି ।

ବିଶେଷ କରି ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଥିବା ୫ଟି ଲୋକସଭା ଓ ୩୩ଟି ବିଧାନସଭା ଆସନ ଉପରେ ପ୍ରମୁଖ ରାଜନୈତିକ ଦଳଙ୍କର ନଜର ଅଛି ।

ଏହାଛଡ଼ା ବିକ୍ଷିପ୍ତ ଭାବେ ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀରେ ଥିବା ଅନୁସୂଚିତ ଜନଜାତିର ଭୋଟରମାନଙ୍କୁ ନିଜ ନିଜ ଦଳ ଆଡ଼କୁ ଆକର୍ଷିତ କରିବା ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ପୂରା ଦମ୍‍ରେ ଲାଗିଛନ୍ତି । ଅନୁସୂଚିତ ଜାତି ବର୍ଗର ଭୋଟରମାନଙ୍କ ଉପରେ ବି ସେମାନଙ୍କର ନଜର ରହିଛି ।

ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଏବେ ବି ବହୁ ପଛରେ ପଡ଼ିଥିବା ଏହି ଦୁଇ ବର୍ଗଙ୍କ ବିକାଶ ପାଇଁ ଓଡ଼ିଶାରେ ଓ ସାରା ଦେଶରେ ଯାହା ବି ହୋଇଛି ତାହା କଂଗ୍ରେସ ଆରମ୍ଭ କରିଥିଲା ବୋଲି ଦଳ ଦାବି କରୁଛି । ଅନ୍ୟପକ୍ଷରେ କେନ୍ଦ୍ର ସରକାରରେ ଅନୁସୂଚିତ ଜନଜାତିଙ୍କ ପାଇଁ ସ୍ୱତନ୍ତ୍ର ମନ୍ତ୍ରାଳୟ ଓ ମନ୍ତ୍ରୀ ପଦବୀ ବିଜେପି ସରକାର ସମୟରେ ଆରମ୍ଭ ହୋଇଥିବା କୁହାଯାଉଛି ।

ବିଜେପି ଏହି ବର୍ଗଙ୍କ ବିକାଶ ପାଇଁ ଗ୍ରହଣ କରିଥିବା କାର୍ଯ୍ୟକ୍ରମ ତାଲିକା ବି ଦେଉଛି । ଅନୁସୂଚିତ ଜନଜାତି ବହୁଳ ଜିଲ୍ଲାଗୁଡ଼ିକରେ ରାଜ୍ୟରେ କ୍ଷମତାସୀନ ବିଜେଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି ଏହି ବର୍ଗର ଲୋକଙ୍କ ଆର୍ଥିକ ବିକାଶ ପାଇଁ ଗ୍ରହଣ କରିଥିବା କାର୍ଯ୍ୟକ୍ରମର ତାଲିକା ବି ଦେଇ ଚାଲିଛି ।

ମୋଟାମୋଟି ଭାବେ ଓଡ଼ିଶାର ନିର୍ବାଚନ ଫଳାଫଳକୁ ଏହି ଦୁଇ ବର୍ଗର ଭୋଟରମାନେ ଏବଂ ବିଶେଷ କରି ଏହି ବର୍ଗଙ୍କ ପାଇଁ ସଂରକ୍ଷିତ ଥିବା ନିର୍ବାଚନ ମଣ୍ଡଳୀ ଅନେକ ମାତ୍ରାରେ ପ୍ରଭାବିତ କରିଆସୁଥିବା ଦୃଷ୍ଟିରୁ ଏହି ଦୁଇ ବର୍ଗଙ୍କ ମନ ଜିଣି ଭୋଟ୍‍ ହାତେଇବା ପାଇଁ ସବୁ ରାଜନୈତିକ ଦଳ ଓ ସମ୍ଭାବ୍ୟ ପ୍ରାର୍ଥୀମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ।