୨୩ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ  ତୃତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ଓ ୪୨ ଟି ବିଧାନସଭା ପାଇଁ ହେବ ଭୋଟ  ଲୋକସଭା ପାଇଁ ୬୧ ଓ ବିଧାନସଭା ପାଇଁ ୩୫୬ ଜଣ ପ୍ରାର୍ଥୀ ମଇଦାନରେ   ତୃତୀୟ ପର୍ଯ୍ୟାୟରେ ୬ଜଣ ମନ୍ତ୍ରୀ ଓ ୨ଜଣ ସାଂସଦ ନିର୍ବାଚନ ଲଢୁଛନ୍ତି  

ଦୁର୍ଘଟଣା ରୋକିବ ସଚେତନତା

ରାଜ୍ୟରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ଏହା ଆଜି ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ । ସଡ଼କ ସୁରକ୍ଷା ସମସ୍ତଙ୍କ ପାଇଁ ଏବେ ଏକ ବଡ଼ ଆହ୍ୱାନ । ୨୦୧୭ ମସିହାରେ ଆମ ଦେଶରେ ଦୁର୍ଘଟଣାରେ ମୋଟ ୧.୪୮ ଲକ୍ଷ ଲୋକ ପ୍ରାଣ ହରାଇଥିବା ବେଳେ ଓଡ଼ିଶାରେ ଏହି ସମୟ ମଧ୍ୟରେ ୫ ହଜାର ଲୋକ ଦୁର୍ଘଟଣାରେ ଗୁରୁତର ଭାବେ ଆହାତ ହୋଇଥିବା ବେଳେ ୪,୮୦୦ ଜଣ ପ୍ରାଣ ହରାଇଛନ୍ତି । ଗତ ଦଶନ୍ଧିରେ ବିଭିନ୍ନ ଦୁର୍ଘଟଣାରେ ୩୦ ହଜାର ପ୍ରାଣହାନି ଘଟିଛି ।

ସାରା ଦେଶରେ ପ୍ରତି ୧୦୦ଟି ଦୁର୍ଘଟଣାରେ ୨୯ ଜଣ ପ୍ରାଣ ହରାଉଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ୪୪ରେ ପହଞ୍ଚିଛି । ଏଥିରୁ ରାଜ୍ୟରେ ଦୁର୍ଘଟଣାର ଭୟାବହତା ସମ୍ପର୍କରେ ସ୍ପଷ୍ଟ ରୂପେ ବାରିହୋଇ ପଡ଼ୁଛି । ଦୁର୍ଘଟଣା ପରବର୍ତୀ ସମୟରେ ଆଶୁ ଚିକିତ୍ସା ଯୋଗାଇଦେବା କ୍ଷେତ୍ରରେ ଆମର ଦାୟିତ୍ୱହୀନତା ଓ ବିଫଳତା ହିଁ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ଦାୟୀ ବୋଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅର୍ଥ, ଅବକାରୀ, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଶଶିଭୂଷଣ ବେହେରା ପ୍ରକାଶ କରିଛନ୍ତି ।

ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ୩୦ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହର ଉଦଯାପନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡ. ନୃସିଂହ ଚରଣ ସାହୁ କହିଲେ ଯେ ଦୁର୍ଘଟଣାରର ହାର ହ୍ରାସ କରିବା ପାଇଁ ସୁପ୍ରିମକୋର୍ଟ ୨୦୧୪ ମସିହାରେ ଅବସରପ୍ରାପ୍ତ ନ୍ୟାୟମୂର୍ତି ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠନ କରିଥିବା କମିଟି ନିୟମିତ ଭାବେ ଦୁର୍ଘଟଣା ହାର ହ୍ରାସ କରିବା ଦିଗରେ ବିଭିନ୍ନ ସୂତ୍ରରୁ ସମୀକ୍ଷା କରିବା ସହ ଏହାର ନିରାକରଣ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ।

୨୦୨୦ ମସିହା ସୁଦ୍ଧା କମିଟି ଦୁର୍ଘଟଣା ହାର ୫୦ ପ୍ରତିଶତ ହ୍ରାସ କରିବା ପାଇଁ ଗୁରୁତ୍ୱାରୋପ କରିଥିବା ବେଳେ ରାଜ୍ୟରେ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳିଛି । ୨୦୧୫ ମସିହା ତୁଳନାରେ ୨୦୧୬ ମସିହାରୁ ୨୦୧୭ ମସିହାରେ ଦୁର୍ଘଟଣା ହାର ୭.୩୩% ବୃଦ୍ଧି ହୋଇଛି । ୨୦୧୮ ମସିହା ଅକ୍ଟୋବର ମାସ ସୁଦ୍ଧା ପରିସ୍ଥିତି ଆହୁରି ଜଟିଳ ହୋଇଛି । ୨୦୧୮ ଅକ୍ଟୋବର ମାସ ସୁଦ୍ଧା ରାଜ୍ୟରେ ୪୨୭୦ଟି ଦୁର୍ଘଟଣା ଘଟିଛି । ଏହା ୨୦୧୭ ମସିହା ତୁଳନାରେ ୮.୪୩% ପ୍ରତିଶତ ଅଧିକ ଅଟେ ।

ଯଦିଓ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ରହିଛି ଦୁର୍ଘଟଣା ହାର ପ୍ରତିବର୍ଷ ୧୦% ହ୍ରାସ କରିବା ପାଇଁ ଏଥିରେ କୌଣସି ସୁଧାର ଆସୁନାହିଁ । ସୁପ୍ରିମକୋର୍ଟ କମିଟି ୨୦୧୮ ଜୁଲାଇ ୧୦ରେ ରାଜ୍ୟରେ ଦୁର୍ଘଟଣା ହାର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଏଥିରେ କମିଟି ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ କିପରି ଭାବେ ଦୁର୍ଘଟଣା ହାର ହ୍ରାସ କରାଯାଇପାରିବ ସେ ସମ୍ପର୍କରେ ୨୦୧୮ ଡିସେମ୍ବର ମାସ ୩୧ ତାରିଖ ସୁଦ୍ଧା ସୁଚିନ୍ତିତ ମତାମତ ଦେବା ସହ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ ।

ତା'ମଧ୍ୟରେ ଖୋର୍ଦ୍ଧାରୁ ଚଣ୍ଡିଖୋଲ ମଧ୍ୟରେ ଯାନବାହନ ଚଳାଚଳକୁ ସଠିକ ଭାବେ ନିୟନ୍ତ୍ରଣ କରିବା, ନିୟମିତ ତଦାରଖ କରିବା ସହ ସିସିଟିଭି ସର୍ଭିଲାନ୍ସ ବ୍ୟବସ୍ଥା ଲଗାଇବା ପାଇଁ ନିଷ୍ପତି ନିଆଯାଇଥିଲା । ଏବେ ରାମେଶ୍ୱରଠାରୁ ଚଣ୍ଡିଖୋଲ ମଧ୍ୟରେ ୨୪ଟି କ୍ୟାମେରା ଲଗାଯିବାର ବ୍ୟବସ୍ଥା କରାଯାଇଛି । ଏହି କ୍ୟାମେରା ଗାଡ଼ିର ଗତି ଉପରେ ତିକ୍ଷଣ ନଜର ରଖିବା ସହିତ ନିୟମ ଭଙ୍ଗକାରୀ ଚାଳକ ଓ ଗାଡ଼ି ଉପରେ ଇ-ଚାଲାଣ କାଟି ପରିବ ।

ଜନସାଧାରଣଙ୍କ ମଧ୍ୟରେ ସଡ଼କ ଦୁର୍ଘଟଣା ସମ୍ପର୍କରେ ଜନସଚେତନତା ସୃଷ୍ଟି ପାଇଁ ପ୍ରତ୍ୟେକ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଅଧୀନରେ ଷ୍ଟୁଡେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟର ନିୟୋଜିତ ହେବେ । ଗାଡ଼ିର ଗତି ଲିମିଟ ସମ୍ପର୍କରେ ବିଭିନ୍ନ ଦୁର୍ଘଟଣା ପ୍ରବଣ ସ୍ଥାନରେ ସୂଚିତ କରିବା ସହ ସିଟିଜେନ ରିପୋର୍ଟିଂ ବ୍ୟବସ୍ଥା ରାଜ୍ୟରେ ଲାଗୁ କରାଯିବା ଉଚିତ । ଫଳତଃ ପ୍ରତ୍ୟେକ ସଚେତନ ନାଗରିକ ଯାନବାହନ ଚଳାଚଳରେ ବ୍ୟତିକ୍ରମ ଦେଖିଲେ ତୁରନ୍ତ ପୋଲିସ କର୍ତୃପକ୍ଷଙ୍କୁ ଏକ ନିର୍ଦ୍ଦିଷ୍ଟ ସାର୍ବଜନୀନ ଫୋନ ନମ୍ବରରେ ସୂଚନା ଦେଇପାରିବେ ।

ସମସ୍ତ ଜିଲ୍ଲା ଓ ସବ୍ଡିଭିଜନ୍ରେ ଇଲେକ୍ଟ୍ରୋନିକ୍ ଟ୍ରାଫିକ୍ ସିଗ୍ନାଲ୍ ବ୍ୟବସ୍ଥା ଲାଗୁ କରିବା ସହ ବର୍ତମାନର ୪ଟି ଜିଲ୍ଲା ସହ ନୂଆକରି ପୁରୀ, ଅନୁଗୋଳ, ଖୋର୍ଦ୍ଧା, କେଉଁଝର ଓ କୋରାପୁଟ ସହ ବାଲେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ଓ କମିଶନରେଟ ପୋଲିସରେ ଷ୍ଟୁଡେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟାରୀ ସ୍କଲାରସିପ୍ ବ୍ୟବସ୍ଥା ଆରମ୍ଭ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ସଡ଼କ ସୁରକ୍ଷା ଓ ଦୁର୍ଘଟଣା ରୋକିବା ଦିଗରେ ବିଭିନ୍ନ ବିଭାଗର ସମ୍ମିଳିତ ପ୍ରୟାସ ଆବଶ୍ୟକ, ସଡ଼କ ନିର୍ମାଣ ସଂସ୍ଥାଠାରୁ ଆରମ୍ଭ କରି ଯାନବାହନ ଚଳାଚଳକୁ ପରି·ଳନା କରୁଥିବା ପୋଲିସ ବିଭାଗ, ପରିବହନ ବିଭାଗ ଅଧିକାରୀ ଜରୁରୀକାଳୀନ ଚିକିତ୍ସା ଯୋଗାଇ ଦେବାକୁ ଥିବା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମଧ୍ୟରେ ସମନ୍ୱୟ ସୃଷ୍ଟି ହୋଇପାରିବା ସହ ଦୁର୍ଘଟଣା ପରବର୍ତୀ ଗୋଲଡେନ୍ ଆୱାର ମଧ୍ୟରେ ତକ୍ରାଳ ଜରୁରୀ ପ୍ରାଥମିକ ଚିକିତ୍ସା, ଟ୍ରମା କେୟାର ବ୍ୟବସ୍ଥାକୁ ସୁନିଶ୍ଚିତ କରିପାରିଲେ ନିଶ୍ଚିତ ଭାବେ ଦୁର୍ଘଟଣା ହ୍ରାସ ପାଇପାରିବ ବୋଲି ମନ୍ତ୍ରୀ ଡ. ସାହୁ ମତ ବ୍ୟକ୍ତ କରିଛନ୍ତି ।

ଏହି ଉତ୍ସବରେ କୃଷି ଉତ୍ପାଦନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଗଗନ କୁମାର ଧଳ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ଶ୍ରୀନିବାସ୍, ପୋଲିସ ମହାନିର୍ଦ୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ପ୍ରମୁଖ ଯୋଗଦେଇ ସଡ଼କ ସୁରକ୍ଷା ହ୍ରାସ କରିବା ଦିଗରେ ଜନସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଏହି ଅବସରରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ରୋଡ ସେଫ୍ଟି ଆକ୍ସନ ପ୍ଲାନ ଓ ଗୁଡ଼ ସାମରିଟାନ ପଲିସି ଉନ୍ମୋଚନ କରାଯାଇଥିଲା । ସଡ଼କ ସୁରକ୍ଷା ସମ୍ପର୍କରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ କୃତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ପୁରସ୍କାର ବିତରଣ କରିଥିଲେ । ଶେଷରେ ପରିବହନ କମିଶନର ସଞ୍ଜୀବ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।