ଓଡ଼ିଶାକୁ ଫନି ସହାୟତା ଦେଲେ କେନ୍ଦ୍ର ସରକାର  ଓଡ଼ିଶାକୁ ମିଳିଲା ୩୩୩୮.୨୨ କୋଟିର ସହାୟତା ରାଶି  ଫନି ପରବର୍ତ୍ତୀ ଥଇଥାନ ପାଇଁ ସହାୟତା ରାଶି ଘୋଷଣା  

ଅନଲାଇନରେ ଡିଏଲ୍‍ ରଦ୍ଦ ନିର୍ଦ୍ଦେଶ

ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ଏଣିକି ଅନ୍‍ଲାଇନ୍‍ ମାଧ୍ୟମରେ ଡ୍ରାଇଭିଂ ଲାଇସେନ୍ସକୁ ଅଚଳ କିମ୍ବା ଗାଡିର ପଞ୍ଜିକରଣ ରଦ୍ଦ ପାଇଁ ଅଧିକାରୀମାନେ ସୁପାରିଶ୍‍ କରିପାରିବେ ।

ପୂର୍ବରୁ ଏଭଳି ନିର୍ଦ୍ଦେଶ ଡାକ ଦ୍ୱାରା ପଠାଯାଉଥିବାରୁ ତାହା ସମୟ ସାପେକ୍ଷ ସହିତ ନିୟମ ଉଲ୍ଲଙ୍ଘନକାରୀଙ୍କୁ ସହାୟକ ହେଉଥିଲା ବୋଲି ପରିବହନ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି ।

ଅନ୍‍ଲାଇନ୍‍ ମାଧ୍ୟମରେ ଏହି ସୁପାରିଶ୍‍ କରାଗଲେ ତାହା ଆଞ୍ଚଳିକ ପରିବହନ ଅଧିକାରୀମାନଙ୍କର ହୋମ୍‍ ପେଜ୍‍ରେ ଦୃଶ୍ୟମାନ ହେବ ଏବଂ ଆଇନ୍‍ ଅନୁଯାୟୀ ସେମାନେ ବାତିଲ କିମ୍ବା ନିଲମ୍ବନ ଆଦେଶ ଠିକଣା ସମୟରେ ପାଳନ କରିପାରିବେ ।

ଆଇଟି ଅଭିଜ୍ଞତା ଥିବା ଶ୍ରୀ ପଣ୍ଡା ପରିବହନ କ୍ଷେତ୍ରରେ ସ୍ୱଚ୍ଛତା ଲାଗି ଆଇଟି ଜ୍ଞାନକୌଶଳ ବ୍ୟବହାର ସକାଶେ ଅନେକ ଆପ୍ଲିକେଶନ କାର୍ଯ୍ୟକାରୀ କରୁଛନ୍ତି ।

ଏହା ସମଗ୍ର ରାଜ୍ୟରେ ଥିବା ଇ-ଚାଲାଣ ଡିଭାଇସ୍‍ରେ ଦୃଶ୍ୟମାନ ହେବ । ତଦନୁଯାୟୀ ସମ୍ପୃକ୍ତ ଅଧିକାରୀମାନେ ଆଇନ୍‍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ବୋଲି ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ବର୍ତ୍ତମାନ ପରିବହନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ଇ-ଚାଲାଣ ବ୍ୟବସ୍ଥା ବେଶ୍‍ ଫଳପ୍ରଦ ହୋଇଛି । ଏହାଦ୍ୱାରା ଆଉ କୌଣସି କାଗଜପତ୍ରକୁ ପୁରୁଣା ବ୍ୟବସ୍ଥାରେ ବ୍ୟବହାର କରାଯାଉନାହିଁ ।

ଲୋକେ ମଧ୍ୟ ନିଜର ଦେୟ ଦେବାପରେ କାଗଜପତ୍ର ପାଇଁ ଆଉ ପୂର୍ବଭଳି ହଇରାଣ ହରକତ ହେଉନାହାନ୍ତି । ସମସ୍ତ ଡାଟା ସ୍ୱୟଂକ୍ରିୟ ଭାବେ ଅପଡେଟ୍‍ ହେଉଛି ।

ଅନୁରୂପ ଭାବେ ସମସ୍ତ ଡିଏଲ୍‍ ଓ ଆରସି ଏବଂ ଅନ୍ୟ ପରିବହନ କାଗଜପତ୍ର ଆଦିର ଇଲୋକ୍‍ଟ୍ରୋନିକ ଫର୍ମ ଆଇଟି ଓ ମୋବାଇଲ୍‍ ଆପ୍‍ରେ ଉପଲବ୍ଧ ପାଇଁ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ନିୟମାବଳୀ ଜାରି କରିଛନ୍ତି ।

ସର୍ବସାଧାରଣଙ୍କ ପାଇଁ ଏମ୍‍-ପରିବହନ ଉପଲବ୍ଧ ଥିବାବେଳେ ଏନ୍‍ଫୋର୍ସମେଣ୍ଟ ଅଧିକାରୀଙ୍କ ପାଇଁ ଇ-ଚାଲାଣ ରହିଛି । ନାଗରିକମାନେ ଡ୍ରାଇଭିଂ ଲାଇସେନ୍ସ, ପଞ୍ଜିକରଣ ଏବଂ ଅନ୍ୟ ସୂଚନା ଏମ୍‍-ପରିବହନ ମୋବାଇଲ୍‍ ଆପ୍‍ରୁ ପାଇପାରିବେ ।

ଏହାକୁ ପରିବହନ ବିଭାଗର ଅଧିକାରୀମାନେ ଗ୍ରହଣ କରିବେ । ଲୋକେ ଏହି ଆପ୍‍ ଜରିଆରେ ସେମାନଙ୍କର ଡିଏଲ୍‍ ଓ ଆରସି ଡାଉନଲୋଡ କରିବା ସହିତ ତାହାକୁ ମୋବାଇଲ୍‍ରେ ରଖିପାରିବେ ।

ସେହିଭଳି ଏମ୍‍-ପରିବହନ ଓ ଇ-ଚାଲାଣ ଆପ୍‍ରେ ଗାଡିର ପଞ୍ଜିକରଣ ସହିତ ବୀମା ଅବଧି, ଫିଟ୍‍ନେସ୍‍, ଟିକସ ଆଦି ଉପଲବ୍ଧ ରହିଛି । ଆଉ କୌଣସି ସ୍ଥାନରେ ବୀମା କାଗଜପତ୍ର ଦେଖାଇବାକୁ ପଡୁନାହିଁ ।

ଫଳରେ ନିୟମ ଉଲ୍ଲଙ୍ଘନ ନଥିଲେ ଚାଳକଙ୍କ କାଗଜପତ୍ର ଜବତର ସମ୍ଭାବନା ନାହିଁ । କିନ୍ତୁ ସମସ୍ତ ସୂଚନା ଏମ୍‍-ପରିବହନ, ଇ-ଚାଲାଣ କିମ୍ବା ଡିଜିଲକରରେ ରହିଥିବା ଆବଶ୍ୟକ ।

କୌଣସି ଠାରେ ନିୟମ ଉଲ୍ଲଙ୍ଘନକାରୀଙ୍କ ଚାଲାଣ କାଟିବାକୁ ହେଲେ ଅଧିକାରୀମାନେ ସେଠାରେ ଅନ୍‍ଲାଇନ୍‍ ପୋସ୍‍ କିମ୍ବା ସିସିଟିଭି ଇ-ଚାଲାଣ ବ୍ୟବସ୍ଥା ବ୍ୟବହାର କରିପାରିବେ । ଏହା ବାହାନ କିମ୍ବା ସାରଥୀ ଡାଟାବେସ୍‍ ମାଧ୍ୟମରେ କରାଯାଇ ପାରିବ ।

ଚାଲାଣ କଟାଯିବାପରେ ଗାଡିର ସମସ୍ତ ସୂଚନା ବାହନ ଓ ଗାଡିଚାଳକଙ୍କ ସୂଚନା ସାରଥୀରେ ରହିଯିବ । ସମଗ୍ର ଦେଶରେ ପରିବହନ ଅଧିକାରୀମାନଙ୍କ ନିକଟରେ ଏହି ସୂଚନା ସହଜରେ ଉପଲବ୍ଧ ହେବ ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019