ଓଡ଼ିଶା ବନ୍ଦ ଆନ୍ଦୋଳନରୁ ଓହରିବନି ନବନିର୍ମାଣ କୃଷକ ସଙ୍ଗଠନ  ସୂଚନା ଦେଲେ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର  ବନ୍ଦରୁ ପରୀକ୍ଷାର୍ଥୀ, ଶିକ୍ଷକ ଓ ପ୍ରଶ୍ନପତ୍ରକୁ ବାଦ  

ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ କେନ୍ଦ୍ରର ପରାମର୍ଶ

ରାଜ୍ୟରେ ବଢି ଚାଲିଥିବା ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଜିଲ୍ଲାସ୍ତରରେ ଅଧିକ ସଂଖ୍ୟାରେ ମାନବସମ୍ବଳ ଓ ଭିତ୍ତିଭୂମି ଲାଗି ଯୋଜନା କରିବା ଆବଶ୍ୟକ ।

ଏମ୍‍ସ ଓ ଅନୁରୂପ ରେଫରାଲ ଚିକିତ୍ସାଳୟକୁ ରୋଗୀମାନେ ପ୍ରାଥମିକ ଚିକିତ୍ସାପାଇଁ ରେଫର ହୋଇ ଆସୁଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏଭଳି ପରାମର୍ଶ ଦିଆଯାଇଛି ।

ରୋଗୀ ସଂଖ୍ୟା ଓ ରେଫରାଲ ଡାଟାର ଅନୁଶୀଳନ କରାଗଲେ ଓଡିଶାର ଜିଲ୍ଲା ଚିକିତ୍ସାଳୟ ଗୁଡିକରେ କେତେ ଆବଶ୍ୟକତା ରହିଛି ତାହା ଜଣାପଡିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ରବୀନ୍ଦ୍ର ପ୍ରସାଦ କହିଛନ୍ତି ।

ସେ କହିଛନ୍ତି ଯେ ଏହାଦ୍ୱାରା ଭବିଷ୍ୟତରେ ଜିଲ୍ଲା ଓ ମେଡିକାଲ କଲେଜରେ ସ୍ପେଶାଲିଷ୍ଟ ଚିକିତ୍ସାପାଇଁ କେତେ ମାନବସମ୍ବଳ ଓ ଭିତ୍ତିଭୂମି ଆବଶ୍ୟକ ତାହାର ଆକଳନ କରାଯାଇପାରିବ ।

ନୂଆଦିଲ୍ଲୀର ଏମ୍‍ସ, ପଣ୍ଡିଚେରୀର ଜେଆଇପିଏମ୍‍ଇଆର, ଚଣ୍ଡିଗଡର ପିଜିଆଇଏମ୍‍ଇଆର ଏବଂ ଭୁବନେଶ୍ୱର ଏମ୍‍ସ ସମେତ ଅନ୍ୟ ରାଜ୍ୟରେ ପ୍ରତିଷ୍ଠା ହୋଇଥିବା ଏମ୍‍ସର ମୂଳ ଲକ୍ଷ୍ୟ ହେଉଛି ମେଡିକାଲ ଶିକ୍ଷା, ବିଶ୍ୱସ୍ତରୀୟ ଗବେଷଣା ସହିତ ରେଫରାଲ ଡାକ୍ତରଖାନା ଭାବେ କାର୍ଯ୍ୟ କରିବା ।

ଶ୍ରୀ ପ୍ରସାଦ କହିଛନ୍ତି ଯେ ଲକ୍ଷ୍ୟ କରାଯାଉଛି ସଂଖ୍ୟାଧିକ ରୋଗୀ ସାଧାରଣ ଚିକିତ୍ସାପାଇଁ ଏମ୍‍ସ ଭଳି ସଂସ୍ଥାକୁ ରେଫର ହୋଇ ଆସୁଛନ୍ତି ।

ଏପରିକି ଜିଲ୍ଲା ଡାକ୍ତରଖାନା ଏବଂ ଅନ୍ୟ ରାଜ୍ୟସ୍ତରୀୟ ଚିକିତ୍ସା ସଂସ୍ଥାରେ ସ୍ପେଶିଆଲିଷ୍ଟ ଉପଲବ୍ଧ ଥିଲେ ମଧ୍ୟ ରୋଗୀମାନେ ରେଫର ହୋଇ ଏଠାକୁ ଆସୁଛନ୍ତି ।

ଏଭଳି ସ୍ଥିତିରେ ଗୁରୁତର ରୋଗୀମାନଙ୍କୁ ସ୍ୱତନ୍ତ୍ର ଚିକିତ୍ସା ସେବା ଯୋଗାଇବାରେ ସମସ୍ୟା ଉପୁଜୁଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦର୍ଶାଯାଇଛି ।

ଶ୍ରୀ ପ୍ରସାଦ କହିଛନ୍ତି ଯେ ଇତି ମଧ୍ୟରେ କେତେକ ରାଜ୍ୟ ରେଫରାଲ ରୋଗୀମାନଙ୍କ ସଂକ୍ରାନ୍ତରେ ଅଡିଟ୍‍ କରିବା ସହିତ ଜିଲ୍ଲାସ୍ତରୀୟ ଚିକିତ୍ସାଳୟ ଓ ମେଡିକାଲ କଲେଜ ଗୁଡିକରେ ମାନବ ସମ୍ବଳ ଓ ଭିତ୍ତିଭୂମି ବୃଦ୍ଧି ଦିଗରେ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଏହାଦ୍ୱାରା ଏମ୍‍ସ ଭଳି ସଂସ୍ଥାକୁ ରେଫର ହୋଇ ଆସୁଥିବା ରୋଗୀଙ୍କ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହୋଇଛି ।

ସେହିଭଳି ରୋଗୀ ଓ ସେମାନଙ୍କର ରେଫରାଲ ଡାଟା ବିଶ୍ଲେଷଣ ଲାଗି ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି । ଏହାଦ୍ୱାରା ଜିଲ୍ଲାସ୍ତରରେ ଚିକିତ୍ସା ବ୍ୟବସ୍ଥାର ଉନ୍ନତି କ୍ଷେତ୍ରରେ ବେଶ୍‍ ସହାୟକ ହୋଇପାରିବ ।