୨୩ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ  ତୃତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ଓ ୪୨ ଟି ବିଧାନସଭା ପାଇଁ ହେବ ଭୋଟ  ଲୋକସଭା ପାଇଁ ୬୧ ଓ ବିଧାନସଭା ପାଇଁ ୩୫୬ ଜଣ ପ୍ରାର୍ଥୀ ମଇଦାନରେ   ତୃତୀୟ ପର୍ଯ୍ୟାୟରେ ୬ଜଣ ମନ୍ତ୍ରୀ ଓ ୨ଜଣ ସାଂସଦ ନିର୍ବାଚନ ଲଢୁଛନ୍ତି  

ସଡକ ଦୁର୍ଘଟଣା ବୃଦ୍ଧି ଉଦ୍‍ବେଗଜନକ

ସରକାରୀକଳ ଜାଣିଶୁଣି ଅବଚେତନ ଅବସ୍ଥାରେ ରହୁଥିବାରୁ ଓଡିଶାରେ ସଡକ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇବା ସହିତ ମୃତାହତ ଲୋକଙ୍କ ସଂଖ୍ୟା ବି ବର୍ଷକୁ ବର୍ଷ ଉଦ୍‍ବେଗଜନକ ଭାବେ ବଢିଚାଲିଛି ।

ଅନ୍ତତଃ ପକ୍ଷେ ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ଲାଗି ବିପଦଜନକ ଖେଳ ନଖେଳି ସରକାରୀକଳ ନିଶା ନିବାରଣ ସହିତ ତ୍ରୁଟିପୂର୍ଣ୍ଣ ସଡକ ଓ ଟ୍ରାଫିକ ବ୍ୟବସ୍ଥାର ସଂସ୍କାର ଆଣିଲେ ଦୁର୍ଘଟଣା କମିବା ସହିତ ମୃତାହତ ଲୋକଙ୍କ ସଂଖ୍ୟା କମିବ ବୋଲି ଓଡିଶା ମଦମୁକ୍ତି ଅଭିଯାନ ପକ୍ଷରୁ କୁହାଯାଇଛି ।

ସରକାରୀ ହିସାବ ମୁତାବକ ୨୦୦୯ ରୁ ୨୦୧୮ ମଧ୍ୟରେ ରାଜ୍ୟରେ ପ୍ରାୟ ଏକ ଲକ୍ଷ ସଡକ ଦୁର୍ଘଟଣା ପଞ୍ଜିକୃତ ହୋଇଛି । ଏଥିରେ ୪୧,୭୩୧ ଲୋକ ମରିଥିବାବେଳେ ୫୦ହଜାରରୁ ଅଧିକ ଗୁରୁତର ଆହତ ଯୋଗୁଁ ପଙ୍ଗୁ ହୋଇଛନ୍ତି ଏବଂ ଆଉ ପ୍ରାୟ ୫୨ହଜାର ଲୋକ ସାମାନ୍ୟ ଆଘାତପ୍ରାପ୍ତ ହୋଇଛନ୍ତି । ଏହି ୧୦ବର୍ଷ ମଧ୍ୟରେ ସଡକ ଦୁର୍ଘଟଣା କାରଣରୁ କୋଟି କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ବରବାଦ ହୋଇଛି ।

ସଡକ ସୁରକ୍ଷା ସହ ଜଡିତ ସଂଗଠନମାନେ କହୁଛନ୍ତି ଯେ ଏ କ୍ଷେତ୍ରରେ ଦୁର୍ଘଟଣା ଓ ମୃତାହତ ସଂଖ୍ୟା ବଢିବାର ଅନ୍ୟତମ କାରଣ ହେଉଛି ଖୋଲାଖୋଲି ଭାବେ ନିଶାର ପ୍ରସାର । ନିଶାଗ୍ରସ୍ତଙ୍କ ଯୋଗୁଁ ଅନ୍ୟୁନ ୬୦ ପ୍ରତିଶତ ଦୁର୍ଘଟଣା ଘଟୁଛି ।

ଅର୍ଥାତ୍‍ ଗତ ୧୦ବର୍ଷ ମଧ୍ୟରେ କେବଳ ନିଶା ଜନିତ କାରଣରୁ ପ୍ରାୟ ୬୦ହଜାର ସଡକ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ପାଖାପାଖି ୨୫ହଜାର ଲୋକ ମରିଛନ୍ତି ଓ ୩୦ହଜାରରୁ ଅଧିକ ପଙ୍ଗୁ ହୋଇଛନ୍ତି ।

ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଲକ୍ଷ ଲକ୍ଷ ଟଙ୍କାର ବିଜ୍ଞାପନ ଦିଆଯାଇ ଜନସାଧାରଣଙ୍କୁ ସଚେତନ ହେବାକୁ କୁହାଯାଉଛି ।

ଅଥଚ ରାଜପଥର ୫୦୦ ମିଟର ମଧ୍ୟରେ ମଦଦୋକାନ ରହିବନାହିଁ ବୋଲି ଆଇନ୍‍ରେ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ଥିବା ଏବଂ ସୁପ୍ରିମ୍‍କୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ କିପରି ଉଭୟ ଜାତୀୟ ଓ ରାଜ୍ୟ ରାଜପଥ କଡ ଯାକ ମାଳ ମାଳ ମଦଦୋକାନ ଖୋଲିଛି ।

ଏହାଛଡା ବସଷ୍ଟାଣ୍ଡ, ରେଳଷ୍ଟେସନ, ଦୋକାନ ବଜାର ଥିବା ଅଞ୍ଚଳ, ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ ଆଦି ନିକଟରେ ମଦଦୋକାନ ରହିବାକଥା ନୁହେଁ ।

ଏ କ୍ଷେତ୍ରରେ ସରକାର ସଚେତନ ହୋଇଗଲେ ମଦଦୋକାନ ସଂଖ୍ୟା ହ୍ରାସପାଆନ୍ତା ଏବଂ ହାତ ପାଆନ୍ତାରେ ମଦ ନମିଳିଲେ ସଡକ ଦୁର୍ଘଟଣା ଓ ତଦ୍‍ଜନିକ ଧନଜୀବନ କ୍ଷୟକ୍ଷତି ବହୁ ପରିମାଣରେ ହ୍ରାସ ପାଆନ୍ତା ।

ରାଜ୍ୟ ସରକାର ସୁପ୍ରିମ୍‍କୋର୍ଟରେ ଦେଇଥିବା ସତ୍ୟପାଠ ମୁତାବକ ୨୦୧୫ରୁ ବାର୍ଷିକ ୫ ପ୍ରତିଶତ କରି ସଡକ ଦୁର୍ଘଟଣା ହ୍ରାସ କରାଇ ୨୦୨୦ ସୁଦ୍ଧା ଅତି କମ୍‍ରେ ୨୫ ପ୍ରତିଶତ କମାଇବାକୁ ଲକ୍ଷ୍ୟ ଥିଲା ।

ତେବେ ୨୦୧୪ରେ ୯୬୪୮ଟି ସଡକ ଦୁର୍ଘଟଣା ଘଟି ୩୯୩୧ ଜଣ ମରିଥିବାବେଳେ ୨୦୧୮ ବର୍ଷରେ କିନ୍ତୁ ୧୧,୨୬୨ ସଡକ ଦୁର୍ଘଟଣା ଘଟି ୫୩୧୫ ଜଣ ମରିଛନ୍ତି । ଏଥିପାଇଁ ଓଡିଶା ମଦମୁକ୍ତି ଅଭିଯାନ ସିଧାସଳଖ ଭାବେ ସରକାରଙ୍କୁ ଦାୟୀ କରିଛି ।

ଅନେକ ସ୍ଥାନରେ ସଡକ ନିର୍ମାଣରେ ତ୍ରୁଟି, ଦ୍ରୁତ ଓ ବେପରୁଆ ଗାଡିଚାଳନା ତଥା ଠିକଣା ଟ୍ରାଫିକ ପରିଚାଳନାରେ ପୁଲିସ୍‍ ଓ ପରିବହନ ବିଭାଗର ବ୍ୟର୍ଥତା ତଥା ଗାଡିଚାଳକଙ୍କ ହାତ ପାଆନ୍ତାରେ ନିଶା ପହଞ୍ଚାଇବାପାଇଁ ଅବକାରୀ ବିଭାଗର ତତ୍ପରତା ଯୋଗୁଁ ସଡକ ଦୁର୍ଘଟଣା ବୃଦ୍ଧି ପାଇବା ସହିତ ସରକାରୀ ପ୍ରାୟୋଜିତ ନରମେଧ ଯଜ୍ଞ ଘଟୁଛି ବୋଲି ମଦମୁକ୍ତି ଅଭିଯାନର ଆବାହିକା ପ୍ରମିଳା ସ୍ୱାଇଁ କହିଛନ୍ତି ।