୨୩ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ  ତୃତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ଓ ୪୨ ଟି ବିଧାନସଭା ପାଇଁ ହେବ ଭୋଟ  ଲୋକସଭା ପାଇଁ ୬୧ ଓ ବିଧାନସଭା ପାଇଁ ୩୫୬ ଜଣ ପ୍ରାର୍ଥୀ ମଇଦାନରେ   ତୃତୀୟ ପର୍ଯ୍ୟାୟରେ ୬ଜଣ ମନ୍ତ୍ରୀ ଓ ୨ଜଣ ସାଂସଦ ନିର୍ବାଚନ ଲଢୁଛନ୍ତି  

ପ୍ରତିଶ୍ରୁତି ନୁହେଁ ପ୍ରତାରଣା

ଓଡ଼ିଶାବାସୀଙ୍କୁ ପ୍ରଭାବିତ କରିବା ପାଇଁ ଅନେକ ଅପଚେଷ୍ଟା ୨୦୧୪ରୁ ବିଜେପି କରିଥିଲେ ହେଁ ସେହି କ୍ରମରେ ଏବେ ଆଉ ଏକ ମିଥ୍ୟା ପ୍ରଚାର ଓ ପ୍ରହେଳିକା ସୃଷ୍ଟି କରିବାକୁ ଅପଚେଷ୍ଟା କରୁଛି । ଏହି ପ୍ରହେଳିକାର ଶୀର୍ଷକ ହେଉଛି, ପ୍ରତିଶ୍ରୁତି ସମାବେଶ । ବାସ୍ତବରେ ଏହା ପ୍ରତିଶ୍ରୁତି ନୁହେଁ, ପ୍ରତାରଣାର ସମାବେଶ । ଏହି କଥିତ ସମାବେଶରେ ଭାରତୀୟ ଜନତା ପାର୍ଟିର ନେତୃବୃନ୍ଦ ଓଡ଼ିଶାରେ ସରକାରକୁ ଆସିଲେ ଲୋକଙ୍କ ପାଇଁ କ’ଣ କରିବେ, ତାହା ବଖାଣୁଛନ୍ତି ।

ଏହି ସମାବେଶରେ କୁହାଯାଉଛି ଯେ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯିବ, ଗରିବ ଲୋକଙ୍କୁ ଜମି ପଟ୍ଟା ଓ ଘର ଦିଆଯିବ ଏବଂ ପ୍ରତ୍ୟେକଟି ଘରକୁ ଶୌଚାଳୟ ଓ ପାନୀୟ ଜଳ ଯୋଗାଇ ଦିଆଯିବ । ବିଡମ୍ବନାର ବିଷୟ ହେଉଛି ଯେ ଏହି ବିଜେପି ୨୦୧୪ ନିର୍ବାଚନ ପୂର୍ବରୁ ଅନେକ ଏପରି ପ୍ରତିଶ୍ରୁତି ଦେଇଥିଲା, ଯାହା ପ୍ରତାରଣାରେ ପରିଣତ ହୋଇଛି । ଯଦିଓ ଏହି ପ୍ରତିଶ୍ରୁତିଗୁଡିକ ଗୋଟିଏ ଗୋଟିଏ ଜୁମ୍‍ଲା ଏବଂ ପ୍ରତାରଣାରେ ପରିଣତ ହେଲା, ସେଗୁଡିକର ତାଲିକା ଯଥେଷ୍ଟ ଲମ୍ବା ଓ ତନ୍ମଧ୍ୟରୁ କିଛି ମିଥ୍ୟା ପ୍ରତିଶ୍ରୁତିକୁ ଏଠାରେ ଆମେ ନିମ୍ନରେ ଉଲ୍ଲେଖ କରୁଛୁ ।

୨୦୧୪ ନିର୍ବାଚନ ଇସ୍ତାହାରରେ ବିଜେପି ପ୍ରଥମ ପୃଷ୍ଠାର ପ୍ରଥମ ନମ୍ବରରେ ଉଲ୍ଲେଖ କରିଥିଲା ଯେ ଯଦି ସରକାରକୁ ଆସନ୍ତି, ତେବେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବେ । ୫ବର୍ଷ ବିତିଗଲେ ହେଁ ଏବଂ କେନ୍ଦ୍ରରେ ବିଜେପି ସରକାର ଥାଇ ମଧ୍ୟ ଏ ସଂପର୍କରେ ବିଜେପି ନିରବ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ୨୦୧୪ର ପ୍ରତିଶ୍ରୁତି ପାଳନ ନକରି ପୁନର୍ବାର ୨୦୧୯ ନିର୍ବାଚନର ଅବ୍ୟବହିତ ପୂର୍ବରୁ ପୁଣିଥରେ ପ୍ରତିଶ୍ରୁତିର ପ୍ରହେଳିକା ସୃଷ୍ଟି କରିବା ବିଜେପିର ନିମ୍ନମାନର ନୈତିକତାକୁ ଦର୍ଶାଉଛି ।

୨୦୧୪ ନିର୍ବାଚନରେ ବିଜେପି ପ୍ରତିଶ୍ରୁତି ଦେଇଥିଲା ଯେ ସରକାରକୁ ଆସିଲେ ପ୍ରତିବର୍ଷ ୨ କୋଟି ଚାକିରି ଭାରତବର୍ଷରେ ସେମାନେ ପ୍ରଦାନ କରିବେ । ଏହା ଅନୁଯାୟୀ ୫ ବର୍ଷରେ ୧୦ କୋଟି ଚାକିରି ଓ ସମାନ ଅନୁପାତରେ ଓଡ଼ିଶା ପାଇଁ ୩୬ଲକ୍ଷ ଚାକିରି ପ୍ରଦାନ କରିବା ତ ଦୂରର କଥା, ହଜାରେ ଚାକିରି ଦେଇପାରିଲେ ନାହିଁ । ଅପରପକ୍ଷରେ, ଗତବର୍ଷ ମଧ୍ୟରେ ଭାରତବର୍ଷରେ ୧ କୋଟିରୁ ଅଧିକ ଚାକିରି ସୁଯୋଗ ଦେଶ ହରାଇଛି ବୋଲି ସିଏମ୍‍ଆଇଇ ସଂସ୍ଥା ଦ୍ୱାରା ଏକ ରିପୋର୍ଟରେ ଦର୍ଶାଯାଇଛି ।

ବିଜେପି ଦୃଢ଼ୋକ୍ତି ପ୍ରକାଶ କରିଥିଲା ଯେ ସରକାରକୁ ଆସିଲେ ପ୍ରତି ବ୍ୟାଙ୍କ ଆକାଉଣ୍ଟକୁ ୧୫ଲକ୍ଷ ଟଙ୍କା ଦିଆଯିବ । ୧୫ଲକ୍ଷ ଟଙ୍କା ତ ଦୂରର କଥା, ବିମୁଦ୍ରାକରଣ ଯୋଗୁ ଲୋକେ ଯାହା ହଟହଟା ହେଲେ ତାହା କହିଲେ ନସରେ । ବ୍ୟାଙ୍କମାନଙ୍କ ଦ୍ୱାରା ସର୍ବନିମ୍ନ ଆକାଉଣ୍ଟ ବାଲାନ୍ସ ନରଖିପାରୁଥିବା ମଧ୍ୟବର୍ଗ ଓ ନିମ୍ନମଧ୍ୟ ବର୍ଗ ଲୋକଙ୍କ ଠାରୁ ଜରିମାନା ଆକାରରେ କୋଟି କୋଟି ଟଙ୍କା ସରକାର ଶୋଷି ଚାଲିଲେ । ଜନଧନ ଯୋଜନା ନାଁରେ ଅନେକ ବ୍ୟାଙ୍କ ଆକାଉଣ୍ଟ ଖୋଲାଗଲା, କିନ୍ତୁ ସେଥିରେ ୧୫ଲକ୍ଷ ଟଙ୍କା ତ ଅତି ଦୂରର କଥା, କେନ୍ଦ୍ର ସରକାର ଟଙ୍କାଟିଏ ବି ଆଜି ପର୍ଯ୍ୟନ୍ତ ପହଞ୍ଚାଇ ପାରିନାହାନ୍ତି ।

ନିର୍ବାଚନ ଇସ୍ତାହାରରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଥିଲା ଯେ ଯଦି ସରକାରକୁ ଆସନ୍ତି, ତେବେ ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ ଗୁଣା ବୃଦ୍ଧି କରାଯିବ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୫୫୦ ଟଙ୍କା ପ୍ରତି କୁଇଣ୍ଟାଲ ଥିଲାବେଳେ ଏହାକୁ କେବଳ ୨୦୦ ଟଙ୍କା ବୃଦ୍ଧି କରି ୧୭୫୦ ଟଙ୍କା ପ୍ରତି କ୍ୱିଣ୍ଟାଲରେ କେନ୍ଦ୍ର ସରକାର ପହଞ୍ଚାଇଥିଲେ, ଯାହାକି ସର୍ବନିମ୍ନ ମୂଲ୍ୟର ଦେଢ଼ ଗୁଣ ତ ବହୁତ ଦୂରର କଥା, ତା’ର ୧୫ ପ୍ରତିଶତ ଭାଗ ମଧ୍ୟ ନୁହେଁ ।

ବିଜେପିର ପ୍ରତିଶ୍ରୁତି ସମାବେଶ ପ୍ରତାରଣା ଓ ପ୍ରହେଳିକାର ସମାବେଶ ଭାବରେ ଓଡ଼ିଶାବାସୀ ପରିଲକ୍ଷିତ କରୁଛନ୍ତି । ଅଚ୍ଛେଦିନ୍‍ର ଆହ୍ୱାନ ଦେଇଥିବା ଭାରତୀୟ ଜନତା ପାର୍ଟିର ୪ଟି ଜୁମ୍‍ଲା ଯାହା ଉଲ୍ଲେଖ କରାଗଲା, ତା’ବ୍ୟତୀତ ଦରଦାମ ବୃଦ୍ଧି ନିୟନ୍ତ୍ରଣରେ କେନ୍ଦ୍ର ବିଜେପି ସରକାର ବିଫଳ ହୋଇଥିବା ବେଳେ ପେଟ୍ରୋଲ ଓ ଡିଜେଲ୍‍ ଦରର ନିୟନ୍ତ୍ରଣ କ୍ଷେତ୍ରରେ କେନ୍ଦ୍ରର ବିଜେପି ସରକାର ସଂପୂର୍ଣ୍ଣ ବିଫଳ ହୋଇଛି । ସେହିପରି ଗ୍ୟାସ୍‍ ଦର ମଧ୍ୟ ହୁ ହୁ ହୋଇ ବଢ଼ିଥିବା ଯୋଗୁ ଓଡ଼ିଶାବାସୀଙ୍କ ଉପରେ ବର୍ଦ୍ଧିତ ଦର ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ଉଜ୍ଜ୍ୱଳା ଦୁର୍ନୀତି ଆଜି ସମୟର ସବୁଠାରୁ ବଡ଼ ସ୍କାମ୍‍ ।

ବିଆରଜିଏଫ୍‍, କେବିକେ, ଆଇଏପି ଭଳି ବିଭିନ୍ନ ଯୋଜନାଗୁଡିକ ଯାହା ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳମାନଙ୍କୁ ବିକଶିିତ କରୁଥିଲା, ତାହାକୁ ମଧ୍ୟ ବିଜେପି ସରକାର ବନ୍ଦ କରିଦେଲେ । କୋଇଲା ବ୍ଲକ ନିଲାମ କ୍ଷେତ୍ରରେ ଓଡ଼ିଶା ୭୦ ହଜାର କୋଟି ଟଙ୍କା ପାଇବ ବୋଲି ବିଜେପି ଦୃଢ଼ୋକ୍ତି ପ୍ରକାଶ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ଓଡ଼ିଶା କେବଳ ୩୭୦ କୋଟି ଟଙ୍କା ପାଇଛି । ରେଳବାଇ କ୍ଷେତ୍ରରେ ବାର୍ଷିକ ୨୦ ହଜାର କୋଟି ଟଙ୍କାର ରାଜସ୍ୱ କେନ୍ଦ୍ର ସରକାର ଓଡ଼ିଶା ଠାରୁ ଆଦାୟ କରୁଥିବା ବେଳେ କେବଳ ୨ ହଜାର କୋଟି ଟଙ୍କା ଓଡ଼ିଶାରେ ଖର୍ଚ୍ଚ କରୁଛି ।

କ୍ଲିନ୍‍ ଏନର୍ଜି ସେସ୍‍ ବାବଦକୁ କେନ୍ଦ୍ର ସରକାର ଏହି ଟିକସ ଓଡ଼ିଶା ରାଜ୍ୟର ଖଣିଜ ପଦାର୍ଥ ଉପରେ ଲଗାଇ ୨୧ହଜାର କୋଟି ଟଙ୍କା ରୋଜଗାର କରିଥିବା ବେଳେ ଏହା ମଧ୍ୟରୁ ଟଙ୍କାଟିଏ ମଧ୍ୟ ରାଜ୍ୟକୁ କେନ୍ଦ୍ର ସରକାର ଫେରାଇ ନାହିଁ । କେନ୍ଦ୍ରୀୟ ପିଏସ୍‍ୟୁ ସଂସ୍ଥାମାନେ ଯଥା ଏମ୍‍ସିଏଲ୍‍ ଓଡ଼ିଶାରେ ୨୦ ହଜାର କୋଟି ଟଙ୍କାର ବ୍ୟବସାୟ କରୁଥିଲା ବେଳେ ଓଡ଼ିଶାବାସୀ ଏ ବାବଦରେ କୌଣସି ଲାଭ ପାଇନାହାନ୍ତି ।

ଏହାବ୍ୟତୀତ ଓଡ଼ିଶାକୁ ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର ଇଣ୍ଡଷ୍ଟ୍ରିଆଲ୍‍ କରିଡରରୁ ବଞ୍ôଚତ କରିବା, ସ୍ୱାମୀନାଥନ୍‍ କମିଶନଙ୍କ ରିପୋର୍ଟକୁ କାର୍ଯ୍ୟକାରୀ ନକରିବା, ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ନକରିବା, ରାଉରକେଲା ଠାରେ ଇସ୍ପାତ ମେଡିକାଲ୍‍କୁ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ଓ ମେଡିକାଲ୍‍ କଲେଜ୍‍ରେ ପରିଣତ ନକରିବା ଓ ଅନୁସୂଚିତ ଜାତିବର୍ଗର ପିଲାଙ୍କ ଛାତ୍ରବୃତ୍ତିର ଅର୍ଥ ପ୍ରଦାନ ନକରିବା କେନ୍ଦ୍ର ସରକାରଙ୍କ ଓଡ଼ିଶା ବିରୋଧୀ ମନୋଭାବକୁ ସ୍ପଷ୍ଟ ପ୍ରମାଣିତ କରୁଛି ।

ଗତ ୫ବର୍ଷ ମଧ୍ୟରେ କେନ୍ଦ୍ରରେ ଥାଇ ବିଜେପି ଓଡ଼ିଶାବାସୀଙ୍କ ବିକାଶରେ ବାଧକ ସାଜିଥିବା ବେଳେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ କ୍ଷୀପ୍ର ଗତିରେ ଆଗେଇ ଚାଲିଛି । ଓଡ଼ିଶାରେ ଗତ ୫ବର୍ଷ ମଧ୍ୟରେ ୨୦ଲକ୍ଷ ଘର ନିର୍ମାଣ କରାଯାଇ ଓଡ଼ିଶାବାସୀଙ୍କୁ ବିଜୁ ଜନତା ଦଳ ସରକାର ସୁରକ୍ଷିତ ଆଶ୍ରୟ ପ୍ରଦାନ କରିବାରେ ସଫଳ ହୋଇଛି । ଗତ ୫ବର୍ଷ ମଧ୍ୟରେ ବସୁନ୍ଧରା ଯୋଜନା ମାଧ୍ୟମରେ ବାସପଯୋଗୀ ଜମି ୧ଲକ୍ଷ ୨୦ ହଜାର ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି ।

ରାଜ୍ୟ ସରକାର ୧ଲକ୍ଷ ୨୦ ହଜାର ପରିବାରଙ୍କୁ, ଯାହାଙ୍କ ପାଖରେ ବାସପଯୋଗୀ ଜମି ନଥିଲା, ତାଙ୍କୁ ଜମି ପଟ୍ଟା ଦେଇ ସେମାନଙ୍କ ଜୀବନକୁ ଆହୁରି ଉନ୍ନତମାନର କରିବାରେ ସକ୍ଷମ ହୋଇଛନ୍ତି । ସହରାଞ୍ଚଳରେ ଜାଗା ଯୋଜନା ମାଧ୍ୟମରେ ୩୦ ହଜାର ପଟ୍ଟା ବସ୍ତିବାସିନ୍ଦାଙ୍କୁ ରାଜ୍ୟ ସରକାର ଯୋଗାଇଥିବା ବେଳେ ଆହୁରି ୩୦ ହଜାର ଜମି ପଟ୍ଟା ଖୁବ୍‍ଶୀଘ୍ର ଯୋଗାଇ ଦିଆଯିବ । ଜାଗା ଯୋଜନା ଏକ ଅନନ୍ୟ ଯୋଜନା, ଯାହା ଭାରତବର୍ଷ ଓ ବିଦେଶରେ ମଧ୍ୟ ବେଶ୍‍ ଆଦୃତ ହୋଇପାରିଛି ।

ଜଙ୍ଗଲ ଅଧିକାର ଆଇନ୍‍ ଅନୁଯାୟୀ ରାଜ୍ୟ ସରକାର ୪ଲକ୍ଷ ଜଙ୍ଗଲ ଜମି ପଟ୍ଟା ବିଶେଷକରି ଅନୁସୂଚିତ ଜନଜାତି ଭାଇଭଉଣୀମାନଙ୍କୁ ପ୍ରଦାନ କରି ଭାରତବର୍ଷରେ ଓଡ଼ିଶା ଏ କ୍ଷେତ୍ରରେ ସର୍ବୋକ୍ରୃଷ୍ଟ ରାଜ୍ୟ ଭାବରେ ପରିଗଣିତ ହୋଇଛି । ପାନୀୟ ଜଳ କ୍ଷେତ୍ରରେ ୪୭,୪୬୬ ଗ୍ରାମରେ ୪ଲକ୍ଷ ୧୬ ହଜାର ୪୩୩ ନଳକୂପ ରାଜ୍ୟ ସରକାର ଯୋଗାଇ ୨କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ପାନୀୟ ଜଳ ଯୋଗାଉଛନ୍ତି । ଏହାବ୍ୟତୀତ ସହରାଞ୍ଚଳରେ ମଧ୍ୟ ବ୍ୟାପକ ଭାବରେ ରାଜ୍ୟ ସରକାର ପାନୀୟ ଜଳ ଯୋଗାଇବାରେ ସକ୍ଷମ ହୋଇଛନ୍ତି ।

୧୦ବର୍ଷ ମଧ୍ୟରେ ୪୧ ହଜାର ଗାଁ ରାସ୍ତା ନିର୍ମାଣ କରିବା ହେଉ କିମ୍ବା ୯ଲକ୍ଷ ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ କରି ସ୍ୱାବଲମ୍ବୀ କରିବା ହେଉ, ଓଡ଼ିଶାର ୨୫ ପ୍ରତିଶତ ଜନସଂଖ୍ୟାକୁ ଦାରିଦ୍ର୍ୟ ସୀମାରେଖା ତଳୁ ଆଣି ସାମାଜିକ ଓ ଆର୍ôଥକ ଅଭିବୃଦ୍ଧି କରିବା ହେଉ ବା ରାଜ୍ୟର ଚାଷୀମାନଙ୍କର ଆୟ ଦ୍ୱିଗୁଣିତ କରିବା ହେଉ, ପ୍ରତ୍ୟେକଟି କ୍ଷେତ୍ରରେ ବିଜୁ ଜନତା ଦଳ ସରକାର ଅନ୍ୟ ରାଜ୍ୟମାନଙ୍କୁ ପଛରେ ପକାଇ ଏକ ବିକଶିତ ଓଡ଼ିଶା ନିର୍ମାଣ କରିବା କ୍ଷେତ୍ରରେ ସଫଳ ହୋଇଛି ।