ଆଜି ଓଡିଶା ବନ୍ଦ  ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ  ସଂଗଠନକୁ ବିଜେପି ଓ କଂଗ୍ରେସର ସମର୍ଥନ  ବନ୍ଦକୁ ଦୃଷ୍ଟିରେ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ  ବନ୍ଦରୁ ପରୀକ୍ଷାର୍ଥୀ, ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ବାଦ୍‍ ଦେବାକୁ ଚାଷୀ ସଂଠଗନର ଘୋଷଣା  

ଖାଲି ପଡୁଛି ବିଚାରପତି ପଦବୀ

ଓଡିଶା ହାଇକୋର୍ଟରେ ଏବେ ୧୨ଟି ବିଚାରପତି ପଦବୀ ଖାଲିପଡିଥିବାବେଳେ ରାଜ୍ୟରେ ଜିଲ୍ଲା ଜଜ୍‍ ପାହ୍ୟାର ୮ଟି, ସିନିୟର ସିଭିଲ ଜଜ୍‍ ପାହ୍ୟାର ୭ଟି ଓ ସିଭିଲଜଜ୍‍ ବର୍ଗରେ ୪୧ଟି ବିଚାରପତି ପଦବୀ ଖାଲିପଡିଛି ।

ଗୋଟିଏ ପଟେ ବିଭିନ୍ନ କାରଣରୁ ମାମଲାସଂଖ୍ୟା ବଢି ଚାଲିଥିବାବେଳେ ଅନ୍ୟ ପଟରେ ବିଚାରପତି ଅଭାବ ତଥା ଅନ୍ୟାନ୍ୟ ଭିତ୍ତିଭୂମି ସମସ୍ୟା ଯୋଗୁଁ ପୁରୁଣା ମାମଲା ସଂଖ୍ୟା ଆଶାନୁରୂପ ଭାବେ ହ୍ରାସ ପାଇପାରୁନାହିଁ । ଫଳରେ ଅନେକ ଅଦାଲତରେ ୧୫/୨୦ବର୍ଷ ଓ ତାହାଠାରୁ ଅଧିକ ସମୟର ପୁରୁଣା ମାମଲା ଗଡୁଛି ।

ଏହି ମାମଲାର ତଳକୋର୍ଟରେ ବିଚାର ପରେ ଉପର କୋର୍ଟରେ ଅପିଲ ବ୍ୟବସ୍ଥା ଥିବାରୁ ବସ୍ତୁତଃ ସଂଖ୍ୟାଧିକ ଅପରାଧିକ ମାମଲାର ଅଭିଯୁକ୍ତମାନେ ବେଧଡକ ବୁଲୁଥିବାବେଳେ ସେମାନଙ୍କ ଦ୍ୱାରା ଅତ୍ୟାଚାରର ଶିକାର ହୋଇଥିବା ବ୍ୟକ୍ତି ଓ ପରିବାର କିନ୍ତୁ ଗଭୀର ମାନସିକ ଯନ୍ତ୍ରଣା ତଥା ସାମାଜିକ ତଥା ଆର୍ôଥକ ସଙ୍କଟ ଦେଇ ଗତି କରୁଛନ୍ତି ।

ଓଡିଶା ହାଇକୋର୍ଟ ଲାଗି ୨୭ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ଥିବାବେଳେ ଏବେ ମାତ୍ର ୧୫ଜଣ ବିଚାରପତି ଅଛନ୍ତି । ହାଇକୋର୍ଟରେ ପଡିରହିଥିବା ମାମଲା ସଂଖ୍ୟା ଏକ ଲକ୍ଷ ୭୦ହଜାର ଟପିଗଲାଣି ।

ଏଥି ମଧ୍ୟରୁ ଅନେକ ଫୌଜଦାରୀ ଓ ଦେୱାନୀ ମାମଲା ବେଶ୍‍ ପୁରୁଣା । ପର୍ଯ୍ୟାପ୍ତ ସଂଖ୍ୟକ ବିଚାରପତି ନଥିବାରୁ ହାଇକୋର୍ଟର କମ୍ପାନୀ ଅଦାଲତ ଠିକଣା ସମୟରେ ବସିପାରୁନାହିଁ । ଫଳରେ ଚୌଦ୍ୱାରର ଓଟିଏମ୍‍ ସମେତ ଅନ୍ୟ ବହୁ ଶିଳ୍ପସଂସ୍ଥାର ଭାଗ୍ୟ ଓ ଭବିଷ୍ୟତ ମଉଳି ଯିବାରେ ଲାଗିଛି ।

ଓଡିଶା ହାଇକୋର୍ଟରେ ଯେତେ ମାମଲା ପଡିରହିଛି ଏବଂ ଯେଉଁ ହାରରେ ଏଠାରେ ନୂଆ ମାମଲାମାନ ରୁଜୁ ହେଉଛି ତାକୁ ହିସାବକୁ ନେଲେ ଅନ୍ୟୁନ ୪୨ଜଣ ବିଚାରପତି ଆବଶ୍ୟକ ବୋଲି ବରିଷ୍ଠ ଆଇନ୍‍ଜୀବୀ ଓ ଅବସରପ୍ରାପ୍ତ ବିଚାରପତିମାନେ କହୁଛନ୍ତି ।

କିନ୍ତୁ ନୂଆ ବିଚାରପତି ପଦବୀ ଓଡିଶା ହାଇକୋର୍ଟ ପାଇଁ ସୃଷ୍ଟି କରିବା ତ ଦୂରରକଥା ବର୍ଷ ବର୍ଷ ଧରି ୧୨ଟି ପଦବୀ ଖାଲିପଡିଥିବାବେଳେ ତାହା ପୂରଣ ହୋଇପାରୁନାହିଁ । ଓଡିଶା ହାଇକୋର୍ଟର ଏଭଳି ସ୍ଥିତି ଥିବାବେଳେ ବାସ୍ତବତାକୁ ଅନୁଭବ ନକରି ରାଜ୍ୟ ସରକାର ସ୍ୟାଟ୍‍ ଉଚ୍ଛେଦ ସହିତ ଏଠାରେ ଥିବା ୭୦ହଜାରରୁ ଅଧିକ ମାମଲା ହାଇକୋର୍ଟକୁ ସ୍ଥାନାନ୍ତର କରିବାପାଇଁ ଅଡି ବସିଛନ୍ତି ।

କିନ୍ତୁ ସ୍ୟାଟ୍‍ ମାମଲାର ବୋଝ ମୁଣ୍ଡାଇବାଲାଗି ଏଯାବତ୍‍ ହାଇକୋର୍ଟ ସମ୍ମତି ପ୍ରଦାନ କରିନଥିବାରୁ ସ୍ୟାଟ୍‍ ଉଚ୍ଛେଦ ତ୍ରିଶଙ୍କୁ ଅବସ୍ଥାରେ ଥିବାବେଳେ ଏହି ସଂସ୍ଥାରେ ବି ଆସନ୍ତା ମାର୍ଚ୍ଚ ପହିଲା ବେଳକୁ ୮ଜଣ ବିଚାରପତିଙ୍କ ସ୍ଥାନରେ ମାତ୍ର ଜଣେ ବିଚାରପତି ଥିବେ ।

ରାଜ୍ୟରେ ଥିବା ନିମ୍ନ ଅଦାଲତ ଗୁଡିକରେ ଗତ ଡିସେମ୍ବର ଶେଷସୁଦ୍ଧା ୧୩,୧୭,୧୧୭ ମାମଲା ପଡିରହିଛି । ଏଥି ମଧ୍ୟରୁ ୩,୦୫,୬୫୨ଟି ଦେୱାନି ମାମଲା ହୋଇଥିବାବେଳେ ଫୌଜଦାରୀ ମାମଲା ସଂଖ୍ୟା ୧୦,୧୧,୪୬୫ ଥିଲା ।

ପର୍ଯ୍ୟାପ୍ତ ସଂଖ୍ୟକ ବିଚାରପତି ନଥିବା, ଭିତ୍ତିଭୂମିର ଅଭାବ, ସୀମିତ ସମୟ ମଧ୍ୟରେ ମାମଲାର ଫଏସଲା ହେଉନଥିବା ପୁଲିସ୍‍ ତଦନ୍ତ ତଥା ଅଭିଯୋଗଫର୍ଦ୍ଦ ଦାଖଲରେ ତ୍ରୁଟି, ତଦନ୍ତକାରୀ ଅଧିକାରୀ ତଥା ଅନ୍ୟ ସାକ୍ଷୀମାନେ ଠିକଣା ସମୟରେ ସାକ୍ଷ୍ୟପ୍ରମାଣ ଦେବାକୁ ନଆସିବା ଆଦି କାରଣରୁ ଓଡିଶାରେ ଆଇପିସି ସଂକ୍ରାନ୍ତୀୟ ମାମଲାରେ ଦଣ୍ଡବିଧାନ ହାର ୧୧ ପ୍ରତିଶତରୁ କମ୍‍ ଥିବାବେଳେ ମହିଳାଙ୍କ ପ୍ରତି ଘଟୁଥିବା ଅପରାଧରେ ଦଣ୍ଡବିଧାନ ହାର ୭ ପ୍ରତିଶତରୁ କମ୍‍ ରହୁଛି ।