ଅବସରପ୍ରାପ୍ତ ଆଇଏଏସ ଅଫିସର ସିଟିଏମ ସୁଗୁଣା ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ଶାଖାର ଅବୈତିନକ ସମ୍ପାଦକ ନିଯୁକ୍ତ  ୨ ବର୍ଷ ପାଇଁ ଶ୍ରୀମତୀ ସୁଗୁଣା ରେଡକ୍ରସ ସମ୍ପାଦକ ରହିବେ  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୁଗୁଣାଙ୍କୁ ଦେଲେ ନୂଆ ନିଯୁକ୍ତି  

ପରୀକ୍ଷାକେନ୍ଦ୍ରରେ ୧୪୪ ଧାରା

ସିବିଏସ୍‍ଇ ବୋର୍ଡର ପରୀକ୍ଷାକେନ୍ଦ୍ର ଆଖପାଖରେ ୧୪୪ ଧାରା ଜାରି ହେବ । ଆସନ୍ତା ୧୫ ତାରିଖରୁ ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସମୟରେ ଏଭଳି ପଦକ୍ଷେପ ନେବାଲାଗି ବୋର୍ଡ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଗତବର୍ଷ ପ୍ରଶ୍ନପତ୍ର ଲିକ୍‍କୁ ଦୃଷ୍ଟିରେ ରଖି ବୋର୍ଡ କର୍ତ୍ତୃପକ୍ଷ ଅଧିକ ନିରାପତ୍ତା ଓ ସୁରକ୍ଷା ଲାଗି ପ୍ରଥମଥର ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ସିବିଏସ୍‍ଇ ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବୃୟାରୀ ୧୫ ରୁ ଏପ୍ରିଲ ୪ ତାରିଖ ମଧ୍ୟରେ ସମଗ୍ର ଦେଶରେ ୨୧ହଜାର ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ ।

ଚଳିତବର୍ଷ ଭାରତ ସମେତ ୧୭ଟି ଅନ୍ୟ ଦେଶର ପ୍ରାୟ ୩୩ଲକ୍ଷ ଛାତ୍ରଛାତ୍ରୀ ସିବିଏସ୍‍ଇ ବୋର୍ଡର ଦଶମ ଓ ଦ୍ୱାଦଶଶ୍ରେଣୀ ପରୀକ୍ଷା ଦେବେ ।

ଓଡିଶାରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା କେନ୍ଦ୍ର ଗୁଡିକରେ ସୁରକ୍ଷା ବ୍ୟବସ୍ଥା ଲାଗି ସିବିଏସ୍‍ଇ ବୋର୍ଡ ଅଧ୍ୟକ୍ଷ ଅନୀତା କରୱାଲ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ରାଜ୍ୟର ୪୫୯ଟି ବିଦ୍ୟାଳୟ ସିବିଏସ୍‍ଇ ବୋର୍ଡ ସହିତ ଅନୁବନ୍ଧିତ ଥିବାବେଳେ ୧୨୪ଟି ବିଦ୍ୟାଳୟରେ ପରୀକ୍ଷାକେନ୍ଦ୍ର ହେବ । ସୁଶ୍ରୀ କରୱାଲ କହିଛନ୍ତି ଯେ ପରୀକ୍ଷା କେନ୍ଦ୍ର ଆଖପାଖରେ ଆବଶ୍ୟକସ୍ଥଳେ ୧୪୪ ଧାରା ଜାରି କରାଯିବ ।

ଜିଲ୍ଲାପାଳ ଓ ଏସ୍‍ପିମାନେ ଜିଲ୍ଲାସ୍ତରରେ ପରୀକ୍ଷା ସମୟରେ ଆଇନ୍‍ଶୃଙ୍ଖଳା ରକ୍ଷାଲାଗି ପଦକ୍ଷେପ ନେବାକୁ ବୋର୍ଡ ମୁଖ୍ୟ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ପରୀକ୍ଷାକେନ୍ଦ୍ର ଗୁଡିକ ନିକଟରେ ଆବଶ୍ୟକ ସଂଖ୍ୟକ ପୁଲିସ୍‍ ବଳ ମୁତୟନ ଲାଗି ସିବିଏସ୍‍ଇ ପକ୍ଷରୁ କୁହାଯାଇଛି ।

ପରୀକ୍ଷା ସମୟ ଦିନ ୧୦.୩୦ ରୁ ୧.୩୦ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିବାବେଳେ ସେହି ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍‍ ଯୋଗାଣ ଲାଗି ବୋର୍ଡ ପକ୍ଷରୁ ଅନୁରୋଧ କରାଯାଇଛି ।

ପରୀକ୍ଷା ସମୟରେ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିବିଶେଷଙ୍କ ଉପରେ ନଜର ରଖିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଭଳି କାର୍ଯ୍ୟ ସଂକ୍ରାନ୍ତରେ ଗୁଇନ୍ଦା ସୂଚନା ସଂଗ୍ରହ ସହିତ ପଦକ୍ଷେପ ନେବାକୁ ସୁଶ୍ରୀ କରୱାଲ ଅନୁରୋଧ କରିଛନ୍ତି ।

ଗତବର୍ଷ ପ୍ରଶ୍ନପତ୍ର ଲିକ୍‍ ଯୋଗୁଁ ସିବିଏସ୍‍ଇ କର୍ତ୍ତୃପକ୍ଷ ସମସ୍ୟାରେ ପଡିଥିବାବେଳେ ଚଳିତବର୍ଷ ପରୀକ୍ଷା ଯେଭଳି ସୁରୁଖୁରୁରେ ଅନୁଷ୍ଠିତ ହେବ ସେଥିପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019