ନିଜସ୍ୱ ଖାଦ୍ୟ ସୁରକ୍ଷାରେ ୨୨ଲକ୍ଷ

ଓଡିଶା ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ୨୨ଲକ୍ଷରୁ ଉଦ୍ଧ୍ୱର୍ ହିତାଧିକାରୀଙ୍କୁ ଇତି ମଧ୍ୟରେ ସାମିଲ କରାଯାଇଛି । କେନ୍ଦ୍ରୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ଥିବା ଏହି ହିତାଧିକାରୀମାନେ ମାସିକ ୫କିଲୋ କରି ଟଙ୍କିକିଆ ଚାଉଳ ପାଇପାରୁଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଗତ ଗାନ୍ଧୀଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଏହି ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ କରିଥିଲେ । ସେତେବେଳେ ଯୋଗାଣ ବିଭାଗ ୧୮ଲକ୍ଷ ୩୨ ହଜାର ହିତାଧିକାରୀଙ୍କୁ ଚିହ୍ନଟ କରିଥିଲା ।

ତେବେ ଚଳିତମାସ ୧୦ ତାରିଖ ସୁଦ୍ଧା କରାଯାଇଥିବା ସର୍ବଶେଷ ହିସାବ ଅନୁଯାୟୀ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହିତାଧିକାରୀଙ୍କ ସଂଖ୍ୟା ୨୨,୧୦,୬୮୬ ରେ ପହଞ୍ôଚଛି । ଖୁବ୍‍ଶୀଘ୍ର ଆଉ ୩ଲକ୍ଷ ହିତାଧିକାରୀ ଏଥିରେ ଯୋଗ ହେବେ ବୋଲି ଲକ୍ଷ୍ୟ ରହିଛି ।

ଏଠାରେ ଉଲ୍ଲେଖନୀୟ ଯେ ୬ଲକ୍ଷ ୭୦ହଜାର ପରିବାରର ୨୫ଲକ୍ଷ ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ଏହି ଖାଦ୍ୟସୁରକ୍ଷା ଯୋଜନାରେ ସାମିଲ କରିବାଲାଗି ଲକ୍ଷ୍ୟ ରହିଥିଲା ଏବଂ ଏଯାବତ୍‍ ୮୮ ପ୍ରତିଶତ ପୂରଣ ହୋଇପାରିଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ ବୀର ବିକ୍ରମ ଯାଦବ କହିଛନ୍ତି । ନୂଆ ଖାଦ୍ୟ ସୁରକ୍ଷା କାର୍ଡ ବଣ୍ଟନ ସହିତ ଟଙ୍କିକିଆ ଚାଉଳ ବି ଦିଆଯାଉଥିବାରୁ ହିତାଧିକାରୀମାନେ ସମସ୍ୟାରେ ପଡୁନାହାନ୍ତି ।

ରାଜ୍ୟ ସରକାରଙ୍କ ଏହି ଅଗ୍ରଣୀ ସାମାଜିକ ସୁରକ୍ଷା ଯୋଜନାର ସଫଳ ରୂପାୟନ ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ପ୍ରାୟ ପ୍ରତିମାସରେ ଭିଡିଓ କନ୍‍ଫରେନ୍ସି ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରି କେଉଁ ଜିଲ୍ଲାରେ କେତେ ଅଗ୍ରଗତି ଘଟୁଛି ସେ ସମ୍ପର୍କରେ ଟିକିନିଖି ଖବର ରଖୁଛନ୍ତି ।

ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ସରୋଜ କୁମାର ସାମଲ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହିତ ଏକ ହ୍ୱାଟ୍‍ସଅପ୍‍ ଗ୍ରୁପ୍‍ରେ ସାମିଲ ହୋଇ ପ୍ରତିଦିନ ଏହି ଯୋଜନା ସମ୍ପର୍କରେ ତଥ୍ୟ ରଖୁଛନ୍ତି । ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀମାନେ ବି ବ୍ଲକ ଓ ପଞ୍ଚାୟତ ସ୍ତରରେ ଏହାର ରୂପାୟନ ଉପରେ ଗୁରୁତ୍ୱ ଦେଉଛନ୍ତି ।

ଜାନୁୟାରୀ ଓ ଫେବୃୟାରୀ ମାସପାଇଁ ଇତି ମଧ୍ୟରେ ଆବଶ୍ୟକୀୟ ଚାଉଳ କୋଟା ଯୋଗାଇ ଦିଆଯାଇଛି । ମାସକୁ ଏଥିଲାଗି ୯୮୬୨ ମେଟ୍ରିକ ଟନ୍‍ ଚାଉଳ ଦିଆଯାଉଛି । ରାଜ୍ୟ ସରକାରଙ୍କ ଏହି ଯୋଜନାରେ ସାମିଲ ହିତାଧିକାରୀମାନଙ୍କୁ ଆଧାର ମାଧ୍ୟମରେ ସଂଯୋଗ କରାଯାଉଛି ।

୨୦୦୮ ଅକ୍ଟୋବର ଦୁଇ ଗାନ୍ଧୀଜୟନ୍ତୀରେ ଓଡିଶା ସରକାର ୨ଟଙ୍କିଆ ଚାଉଳ ଯୋଗାଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ତେବେ ୨୦୧୩ରେ ଏଥିରେ ସଂଶୋଧନ ଆଣି ଖାଦ୍ୟ ସୁରକ୍ଷାପାଇଁ ରାଜ୍ୟ ସରକାର ଅଧିକ ରିହାତି ବହନ କରି ହିତାଧିକାରୀଙ୍କୁ କିଲୋପିଛା ଟଙ୍କାଏ ଦରରେ ଚାଉଳ ଯୋଗାଉଛନ୍ତି ।