୧୫ରେ ୧୫୫୦କୋଟିର ପ୍ରକଳ୍ପ

ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଓଡିଶା ଗସ୍ତ କାଳରେ ପ୍ରାୟ ୧୫୫୦ କୋଟି ଟଙ୍କାର ପ୍ରକଳ୍ପର ଉଦ୍‍ଘାଟନ ଓ ଲୋକାର୍ପଣ କରିବେ । ଏଥି ମଧ୍ୟରେ ରେଳବାଇ, ମାନବ ସମ୍ବଳ, ସଂସ୍କୃତି ଓ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ୧୦ଟି ପ୍ରକଳ୍ପ ରହିଛି ।

ସର୍ବାଧିକ ପ୍ରକଳ୍ପ ରହିଛି ରେଳ ମନ୍ତ୍ରାଳୟର । ପ୍ରଧାମନ୍ତ୍ରୀ ଶ୍ରୀ ମୋଦି ପତାକା ହଲାଇ ବଲାଙ୍ଗିର-ବିଛୁପାଲି ରେଳ ଚଳାଚଳର ଶୁଭାରମ୍ଭ କରିବେ । ୧୫.୭ କିଲୋମିଟର ଦୈର୍ଘ୍ୟ ଏହି ରେଳପଥରେ ପ୍ରଥମଥର ପାଇଁ ରେଳ ଚଳାଚଳ କରିବ ବୋଲି ପୂର୍ବତଟ ରେଳବାଇର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତି ପ୍ରକାଶ ମିଶ୍ର ସୂଚନା ଦେଇଛନ୍ତି ।

ଶ୍ରୀ ମିଶ୍ର କହିଛନ୍ତି ଯେ ପ୍ରତିଦିନ ଏହି ପଥରେ ଦୁଇଯୋଡା ରେଳଗାଡି ଚଳାଚଳ କରିବ । ଫଳରେ ଯାତ୍ରୀମାନେ ଝାରସୁଗୁଡା ଓ ବିଜୟନଗରମକୁ ଯିବାଆସିବାରେ ସୁବିଧା ହେବ । ଖୋରଧାରୋଡ-ବଲାଙ୍ଗିର ରେଳ ପ୍ରକଳ୍ପର ଏହା ଏକ ଅଂଶ ।

ଏଥି ସହିତ ୧୦୦ କୋଟି ଟଙ୍କା ବ୍ୟୟରେ ଝାରସୁଗୁଡା ଠାରେ ପ୍ରତିଷ୍ଠା ହୋଇଥିବା ଲଜିଷ୍ଟିକ ପାର୍କକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ । ଏହି ଲଜିଷ୍ଟିକ ପାର୍କରେ କଷ୍ଟମ ଅଫିସ ସୁବିଧା ଥିବାରୁ ଏଠାରୁ ସିଧାସଳଖ ସାମଗ୍ରୀ ରପ୍ତାନି ହୋଇ ପାରିବ । ସେହିଭଳି ଗତ ବନ୍ୟାରେ ନଷ୍ଟ ହୋଇଯାଇଥିବା ୫୮୮ ନମ୍ବର ପୋଲକୁ ୨୭.୪ କୋଟି ଟଙ୍କା ବ୍ୟୟରେ ପୁନଃନିର୍ମାଣ କରାଯାଇଛି । ଏହାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ ।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଦ୍ୱାରା ସୋନପୁର ଠାରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ଶ୍ରୀ ମୋଦି ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ୧୫କୋଟି ୮୧ଲକ୍ଷ ଟଙ୍କା ବ୍ୟୟରେ ୧୦ଏକର ଜମି ଉପରେ ପ୍ରତିଷ୍ଠା ହେବାକୁ ଥିବା ଏହି ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଆସନ୍ତା ୨୦୨୦ ସୁଦ୍ଧା ସାରିବାର ଲକ୍ଷ୍ୟ ରହିଛି । ଏହି ବିଦ୍ୟାଳୟରେ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିବ ବୋଲି କେନ୍ଦ୍ର ବିଦ୍ୟାଳୟର ଆଞ୍ଚଳିକ ନିର୍ଦ୍ଦେଶକ କେ.ଜଗନ୍ନାଥରାଓ ସୂଚନା ଦେଇଛନ୍ତି । ଏହି କେନ୍ଦ୍ରୀୟ ବିଦ୍ୟାଳୟଟି ୨୦୧୦ ମସିହାରୁ ଅସ୍ଥାୟୀ ଘରେ କାର୍ଯ୍ୟ କରୁଛି ।

ସେହିଭଳି ପ୍ରଧାନମନ୍ତ୍ରୀ ଆସନ୍ତା ୧୫ ତାରିଖରେ ରାଜ୍ୟର ୬ଟି ସ୍ଥାନ ଯଥା ବରଗଡ, ପୁରୀ, କେନ୍ଦ୍ରାପଡା, ଜଗତ୍‍ସିଂହପୁର, ଫୁଲବାଣୀ ଓ ବଲାଙ୍ଗୀର ଠାରେ ପୋଷ୍ଟ ଅଫିସ୍‍ ପାସ୍‍ପୋର୍ଟ ସେବାକୁ ଉଦ୍‍ଘାଟନ କରିବେ । ଏହି କେନ୍ଦ୍ର ଗୁଡିକରେ କେବଳ ୱେବସାଇଟ୍‍ ଜରିଆରେ ଆବେଦନ କରିହେବ ବୋଲି ଆଞ୍ଚଳିକ ପାସ୍‍ପୋର୍ଟ ଅଧିକାରୀ ଶୁଧାଂଶୁ ଶେଖର ମିଶ୍ର କହିଛନ୍ତି ।

ଏଥି ସହିତ ପ୍ରଧାନମନ୍ତ୍ରୀ ତାଙ୍କର ଦିନିକିଆ ଗସ୍ତ କାଳରେ ବୌଦ ଓ ବଲାଙ୍ଗିର ଠାରେ ଥିବା ବିଭିନ୍ନ ପ୍ରାଚୀନ କର୍ତ୍ତୀରାଜିର ପୁନରୁଦ୍ଧାର କାର୍ଯ୍ୟର ଶୁଭାରମ୍ଭ କରିବେ । ଏଥି ମଧ୍ୟରେ କଳାହାଣ୍ଡି ଜିଲ୍ଲାର ଅସୁରଗଡ ଦୁର୍ଗ, ବୌଦ ଜିଲ୍ଲାର ନୀଳ-ମାଧବ ଏବଂ ସିଦେ୍ଧଶ୍ୱର ମନ୍ଦିର, ପଶ୍ଚିମ ସୋମନାଥ, ଭୁବନେଶ୍ୱର ଏବଂ କପିଳେଶ୍ୱର ଭଳି ପ୍ରାଚୀନ କିର୍ତ୍ତୀରାଜି ରହିଛି ।