କନ୍ଧମାଳ ଜିଲ୍ଲା ବାଲିଗୁଡ଼ାଠାରେ ଏକ ସଡ଼କ ଦୁର୍ଘଟଣାରେ ୮ ଜଣ ଯାତ୍ରୀ ମୃତ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଭୀର ଦୁଃଖ ପ୍ରକାଶ ଓ ସହାୟତା ଘୋଷଣା  ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା  ଆହତ ବ୍ୟକ୍ତିମାନଙ୍କୁ ମାଗଣାରେ ଚିକିତ୍ସା ସହାୟତା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ  

ଆରମ୍ଭ ହେଲା ଆମ ଘରେ ଏଲ୍‍ଇଡି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ଆମ ଘରେ ଏଲ୍‍ଇଡି’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ରାଜ୍ୟର ପ୍ରାୟ ୯୫ଲକ୍ଷ ପରିବାରଙ୍କୁ ମାଗଣାରେ ଏଲଇଡି ବଲ୍‍ବ ମିଳିବ । ଏଥିରେ ୩କୋଟି ୮୦ଲକ୍ଷ ବଲ୍‍ବ ବଣ୍ଟନ କରାଯିବ ।

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଥିବା ୮୭ଲକ୍ଷ ପରିବାର ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଥିବା ୮ଲକ୍ଷ ପରିବାର ଏହିଭଳି ମୋଟ୍‍ ୯୫ଲକ୍ଷ ପରିବାର ଏହାଦ୍ୱାରା ଉପକୃତ ହେବେ ।

ଆସନ୍ତା ୧୫ରୁ ୨୦ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ପଞ୍ଚାୟତରେ ଅନୁଷ୍ଠିତ ହେବାକୁ ଥିବା ପିଠା ଶିବିରରେ ଏହି ଏଲ୍‍ଇଡି ବଲ୍‍ବ ବଣ୍ଟନ ହେବ । ଏହାପରେ ଫେବୃୟାରୀ ମାସରେ ହେବାକୁ ପିଠା ଶିବିରରେ ଅଧିକ ସଂଖ୍ୟାରେ ବଲ୍‍ବ ବଣ୍ଟା ହେବାକୁ ଥିବାବେଳେ ଯଦି କିଛି ହିତାଧିକାରୀ ବଞ୍ଚିତ ରହିଯିବେ ପରବର୍ତ୍ତୀ କାଳରେ ସେମାନଙ୍କୁ କଣ୍ଟ୍ରୋଲ ସାମଗ୍ରୀ ଦୋକାନ ଜରିଆରେ ଏହା ମିଳିବ ।

ବର୍ତ୍ତମାନ ଉନ୍ନତମାନର ଏଲ୍‍ଇଡି ବଲ୍‍ବର ମୂଲ୍ୟ ବଜାରରେ ଅଧିକ ହୋଇଥିବାରୁ ରାଜ୍ୟ ସରକାର ବିନା ମୂଲ୍ୟରେ ୯ ୱାଟ କ୍ଷମତା ଥିବା ୪ଟି କରି ବଲ୍‍ବ ବିତରଣ ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଏହାଦ୍ୱାରା ଖାଉଟି ମାନଙ୍କର ବିଜୁଳି ବିଲ୍‍ ହ୍ରାସ ସହିତ ଛାତ୍ରଛାତ୍ରୀମାନଙ୍କର ପାଠ ପଢିବାରେ ଏହା ବେଶ୍‍ ସହାୟକ ହେବବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଆଜିର ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂହ, ଉନ୍ନୟନ କମିଶନର ଅସିତ ତ୍ରିପାଠୀ ଶକ୍ତି ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।