ଶିକ୍ଷକ ନିଯୁକ୍ତିକୁ ସବୁଜ ସଙ୍କେତ ମିଳୁନି

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଓ କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିଭାଗ ସବୁଜ ସଙ୍କେତ ଦେଉନଥିବାରୁ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରାୟ ୧୭୦ଟି ଶିକ୍ଷକ ପଦବୀ ପୂରଣ ହୋଇପାରୁନାହିଁ ।

ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଠାରୁ ଆରମ୍ଭକରି ପ୍ରଫେସର ପର୍ଯ୍ୟନ୍ତ ବିଭିନ୍ନ ପଦବୀ ଯେଉଁ ମାନଦଣ୍ଡରେ ପୂରଣ କରାଯାଉଥିଲା ତାହା ଉପରେ ଆୟୋଗ ରୋକ୍‍ ଲଗାଇଥିବାରୁ ଏଭଳି ସମସ୍ୟା ସୃଷ୍ଟିହୋଇଛି ।

କେବଳ ରେଭେନ୍ସା ନୁହେଁ ଓଡିଶାର ପ୍ରାୟ ସବୁ ବିଶ୍ୱବିଦ୍ୟାଳୟରେ ଏଭଳି ଅବସ୍ଥା ଲାଗିରହିଛି । ରେଭେନ୍ସା ବିଶ୍ୱବିଦ୍ୟାଳୟ ପାଇଁ ୨୯ଟି ମଞ୍ଜୁରୀପ୍ରାପ୍ତ ପ୍ରଫେସର ପଦବୀ ଥିବାବେଳେ ସେଥିରୁ ଗତବର୍ଷ ଶେଷସୁଦ୍ଧା ୨୪ଟି ଖାଲି ପଡିଥିଲା ।

ସେହିପରି ୭୧ଟି ସହଯୋଗୀ ପ୍ରଫେସର ପଦବୀ ମଧ୍ୟରୁ ବି ୪୧ଟି ଖାଲି । ଏହି ବିଶ୍ୱବିଦ୍ୟାଳୟ ଲାଗି ୧୬୭ଟି ସହକାରୀ ପ୍ରଫେସର ପଦବୀ ଥିବାବେଳେ ସେଥିରୁ ମଧ୍ୟରୁ ମଧ୍ୟ ୧୦୩ଟି ଖାଲିପଡିଛି ।

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଶିକ୍ଷକ ମରୁଡି ବର୍ଷ ବର୍ଷ ଧରି ଲାଗିରହିଛି । ପ୍ରାୟ ୫ବର୍ଷ ତଳେ ରାଜ୍ୟ ସରକାରଙ୍କ ଅନୁମୋଦନକ୍ରମେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସହକାରୀ ଅଧ୍ୟାପକ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ କରିଥିଲେ ।

ତଦନୁଯାୟୀ ରାଜ୍ୟ ବାହାରୁ ବିଶେଷଜ୍ଞମାନଙ୍କୁ ଆଣି ଯୋଗ୍ୟ ପ୍ରାର୍ଥୀ ଚୟନ କରିବାପରେ ନିଯୁକ୍ତି ଦିଆଯିବା ବେଳକୁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ଏହି ଗଣ୍ଡଗୋଳିଆ ପରିସ୍ଥିତିରେ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ଦିଆଯିବା ସମ୍ଭବପର ହୋଇନଥିଲା ।

ତେବେ ଇତି ମଧ୍ୟରେ ଏହି ବିବାଦର ପୂର୍ଣ୍ଣଛେଦ ପଡି ନୂଆ ନିଯୁକ୍ତି ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗର ଅନୁମୋଦନ କ୍ରମେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଶିକ୍ଷକ ନିଯୁକ୍ତି ଲାଗି ନୂଆ ମାନଦଣ୍ଡ ଘୋଷଣା କରିବା ସଂଗେ ସଂଗେ ପୁରୁଣା ମାନଦଣ୍ଡ ଆଧାରରେ ନିଯୁକ୍ତି ଦିଆଯାଇ ପାରିବାନାହିଁ ବୋଲି କୁହାଯାଇଛି ।

ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ବୃହତ୍ତର ସ୍ୱାର୍ଥକୁ ଆଖିଆଗରେ ରଖି ଖାଲିପଡିଥିବା ଶିକ୍ଷକ ପଦବୀ ଗୁଡିକ ଅଗ୍ରାଧିକାର ଭିତ୍ତିରେ ପୂରଣ ଲାଗି ବାରମ୍ବାର ୟୁଜିସି ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଉଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଫଳରେ ଅତିଥି ଓ ଠିକା ଅଧ୍ୟାପକମାନଙ୍କୁ ନେଇ ପାଠପଢା କାମଚଳା ଭିତ୍ତିରେ ଚାଲୁଛି ।

ଏବେ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ୧୦ଟି ବିଶ୍ୱବିଦ୍ୟାଳୟରେ ୧୯୭ଟି ମଞ୍ଜୁରୀପ୍ରାପ୍ତ ପ୍ରଫେସର ପଦବୀରୁ ୧୨୭ଟି ଖାଲି ପଡିଥିବା ଗତ ସେପ୍ଟେମ୍ବର ମାସରୁ ହିସାବରୁ ଜଣାପଡିଛି ।

ଏହାଛଡା ଏହି ବିଶ୍ୱବିଦ୍ୟାଳୟ ଗୁଡିକରେ ୩୯୩ଟି ସହଯୋଗୀ ପ୍ରଫେସର ପଦବୀ ମଧ୍ୟରୁ ୨୩୧ଟି ଏବଂ ୭୮୫ଟି ମଞ୍ଜୁରୀପ୍ରାପ୍ତ ସହକାରୀ ପ୍ରଫେସର ପଦବୀ ମଧ୍ୟରୁ ୩୯୦ଟି ଖାଲିପଡିଛି । ମୋଟାମୋଟି ଭାବେ ଏହି ୧୦ଟି ବିଶ୍ୱବିଦ୍ୟାଳୟରେ ଅଧାରୁ ଅଧିକ ଅର୍ଥାତ ୭୫୦ ପର୍ଯ୍ୟନ୍ତ ଶିକ୍ଷକ ପଦବୀ ଖାଲିରହିଛି ।