ଜମିଜମା କାର୍ଯ୍ୟ କମ୍ପ୍ୟୁଟରରେ ହେବ

ରାଜ୍ୟର ସମସ୍ତ ଜମିଜମା କାର୍ଯ୍ୟ କମ୍ପ୍ୟୁଟର ମାଧ୍ୟମରେ ହେବ । ଆସନ୍ତା ବର୍ଷ ମାର୍ଚ୍ଚ ଶେଷସୁଦ୍ଧା ସମସ୍ତ ରେକର୍ଡସ ଅଫ୍‍ ରାଇଟକୁ ଭୂନକ୍ସା ପୋର୍ଟାଲରେ ଅପ୍‍ଡେଟ୍‍ କରିବା ଲାଗି କୁହାଯାଇଛି । ଏଥିପାଇଁ ପ୍ରତ୍ୟେକ ଜିଲ୍ଲା କାର୍ଯ୍ୟ ଯୋଜନା ପ୍ରସ୍ତୁତ ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ନିକଟରେ ଅନୁଷ୍ଠିତ ଏଡିଏମ୍‍ ସମ୍ମିଳନୀରେ କମ୍ପ୍ୟୁଟରରେ ଜମିଜମା କାର୍ଯ୍ୟ କରିବା ଉପରେ ସରକାର ଗୁରୁତ୍ୱଆରୋପ କରିଛନ୍ତି । ତହସିଲଦାର, ଉପଜିଲ୍ଲାପାଳ ଓ ଏଡିଏମ୍‍ମାନେ ନିଶ୍ଚିତ ଭାବେ ଇ-ଗଭର୍ଣ୍ଣାନ୍ସର ସମସ୍ତ ଆପ୍ଲିକେଶନ ଶିଖିବା ସହିତ ଏହାକୁ ଯେଭଳି ସହଜରେ ଚଳାଇପାରିବେ ତାହା ଉପରେ ଗୁରୁତ୍ୱ ଦିଆଯାଇଛି ।

ଭୂନକ୍ସା ପୋର୍ଟାଲ ଓ ଆରସିସିଏମ୍‍ଏସ୍‍ରେ ଯେଭଳି ବିନା କୌଣସି ବାଧାରେ କାର୍ଯ୍ୟ ହୋଇପାରିବ ସେଥିପାଇଁ ପ୍ରତି ସପ୍ତାହରେ ଉପଜିଲ୍ଲାପାଳ, ଏଡିଏମ୍‍ ଓ ତହସିଲଦାରମାନେ ବୈଠକ ଡାକିବାକୁ କୁହାଯାଇଛି ।

ଦପ୍ତରରେ ଥିବା କମ୍ପ୍ୟୁଟର ଗୁଡିକରେ ଯେଭଳି କୌଣସି ସଫ୍ଟୱେର କିମ୍ବା ହାର୍ଡୱେର ସମସ୍ୟା ନହୁଏ ଏବଂ ଇଣ୍ଟରନେଟ୍‍ ସଂଯୋଗ ବାଧାପ୍ରାପ୍ତ ନହୁଏ ତାହା ଉପରେ ଦୃଷ୍ଟି ଦେବାକୁ କୁହାଯାଇଛି । ଯଦି କୌଣସି ଠାରେ ଇଣ୍ଟରନେଟ୍‍ରେ ସମସ୍ୟା ଥାଏ ତେବେ ସେଠାରେ ଅତିରିକ୍ତ ସଂଯୋଗ ବ୍ୟବସ୍ଥା ଲାଗି ପରାମର୍ଶ ଦିଆଯାଇଛି ।

ରାଜସ୍ୱ ନିରୀକ୍ଷକ, ସହକାରୀ ରାଜସ୍ୱ ନିରୀକ୍ଷକ ଏବଂ ଅମିନ ଓ ଅନ୍ୟ କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କୁ ନିୟମିତ ଭାବେ ତାଲିମ ପ୍ରଦାନ ସହିତ ସେମାନେ ଯେଭଳି କମ୍ପ୍ୟୁଟର ମାଧ୍ୟମରେ ଜମିଜମା କାର୍ଯ୍ୟ କରିପାରିବେ ସେଥିପାଇଁ କୁହାଯାଇଛି । ଜିଲ୍ଲା ସୂଚନା ଅଧିକାରୀ, ଏନ୍‍ଆଇସି ଓ କମ୍ପ୍ୟୁଟର ପ୍ରୋଗ୍ରାମର ଏବଂ ଅନ୍ୟ ବୈଷୟିକ ଅଧିକାରୀମାନଙ୍କୁ ପୂର୍ଣ୍ଣମାତ୍ରାରେ ବ୍ୟବହାର ଲାଗି କୁହାଯାଇଛି ।

ଏଥି ସହିତ ଏଡିଏମ୍‍, ଉପ ଜିଲ୍ଳାପାଳ ଏବଂ ତହସିଲଦାରମାନେ ଡାସ୍‍ବୋର୍ଡ ଉପରେ ନଜର ରଖିବା ସହିତ ବାକି ପଡିଥିବା ମାମଲା ଗୁଡିକ ଯେଭଳି ନଭେମ୍ବର ୯ ତାରିଖ ସୁଦ୍ଧା ୧୦ପ୍ରତିଶତରୁ କମ୍‍ ହୁଏ ସେ ଦିର୍ଗରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଯଦି ଏଡିଏମ୍‍, ଉପଜିଲ୍ଲାପାଳ ମାନେ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ ସେମାନେ ହ୍ୱାଟ୍‍ସଆପ୍‍ କିମ୍ବା ଇ-ମେଲ୍‍ ମାଧ୍ୟମରେ ସମ୍ପୃକ୍ତ ବିଭାଗ ଅଥବା ଏନ୍‍ଆଇସି କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଜଣାଇବାପାଇଁ କୁହାଯାଇଛି । ରାଜ୍ୟ ସରକାର ଇତି ମଧ୍ୟରେ ଜମିଜମା ମାମଲାର ତୁରନ୍ତ ଫଏସଲା ପାଇଁ ରାଜସ୍ୱ ମନ୍ତ୍ରୀ ହେଲ୍ପ ଲାଇନ୍‍ ସେଣ୍ଟର ଆରମ୍ଭ କରିଛନ୍ତି ।

ଉଭୟ ଏସ୍‍ଏମ୍‍ଏସ୍‍, ଇ-ମେଲ୍‍ ଓ ଦେୟମୁକ୍ତ ଟେଲିଫୋନ୍‍ ନମ୍ବର ଜରିଆରେ ଲୋକେ ଅଭିଯୋଗ କରିପାରିବେ । ତେଣୁ ମାମଲାର ତ୍ୱରିତ ଫଏସଲା ଲାଗି ପ୍ରତ୍ୟେକ ଜିଲ୍ଲାପାଳ ଦପ୍ତରରେ ଗୋଟିଏ କରି ପ୍ରକଳ୍ପ ପରିଚାଳନା ୟୁନିଟ୍‍ ଖୋଲିବା ଲାଗି ଆବଶ୍ୟକ ସ୍ଥାନ ଓ ଆସବାବପତ୍ର ଯୋଗାଇଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।