ହାଇାକାର୍ଟ ନାମ ବଦଳିବ କେବେ ?

ଓଡିଶାର ଦୀର୍ଘବର୍ଷର ଦାବିକୁ ମାନିନେଇ ୧୧୩ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଇଂରାଜୀର ଆମ ରାଜ୍ୟର ନାମ ଓରିଶା ରୁ ଓଡିଶା ହେଲା । ଇତି ମଧ୍ୟରେ ପ୍ରାୟ ୭ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାବତ୍‍ କଟକରେ ଥିବା ହାଇକୋର୍ଟର ନାମ ଓଡିଶା ନହୋଇ ଓରିଶା ଭାବେ ରହିଛି ।

କେନ୍ଦ୍ର ସରକାର ଓ ସୁପ୍ରିମ୍‍କୋର୍ଟଙ୍କ ନିଷ୍ପତ୍ତି କ୍ରମେ କୌଣସି ହାଇକୋର୍ଟଙ୍କ ନାମ ପରିବର୍ତ୍ତନ ହୋଇପାରିବ । ତେବେ ଏଥିଲାଗି ରାଜ୍ୟ ସରକାର ଓ ଅନ୍ୟାନ୍ୟ ସଂସ୍ଥା ପ୍ରସ୍ତାବ ଦେବାରେ କିଛି ଅସୁବିଧା ନାହିଁ ।

୧୯୩୬ ମସିହାରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପୂର୍ବରୁ ଆମ ଭୂଖଣ୍ଡର ନାମ ଇଂରାଜୀରେ ଓରିଶା ଥିଲା । ଦେଶ ସ୍ୱାଧୀନ ହେବାପରେ ଆମ ସମ୍ବିଧାନରେ ଆମ ରାଜ୍ୟର ନାମ ଇଂରାଜୀରେ ଓରିଶା ଓ ଭାଷାର ନାମ ଓରିଆ ବୋଲି ଉଲ୍ଲେଖ ରହିଲା ।

ଏହା ପରଠାରୁ ଅନେକ ବାର ବିଭିନ୍ନ ମଞ୍ଚରୁ ରାଜ୍ୟର ନାମ ଓଡିଶା ଓ ଭାଷାର ନାମ ଓଡିଆ ଭାବେ ସଂଶୋଧନ କରିବାଲାଗି ଦାବି ହୋଇ ଆସୁଥିଲା । କେବଳ ଇଂରାଜୀରେ ନୁହେଁ ହିନ୍ଦୀ ଭାଷାରେ ବି ପୂର୍ବରୁ ଆମ ରାଜ୍ୟ ତଥା ଭାଷାର ନାମକୁ ବିକୃତ କରି ଦର୍ଶାଯାଉଥିଲା । ଏହି ତ୍ରୁଟି ସଂଶୋଧନ ପାଇଁ ୨୦୦୮ ଅଗଷ୍ଟ ୨୮ତାରିଖରେ ଓଡିଶା ବିଧାନସଭାରେ ଏକ ପ୍ରସ୍ତାବ ପାରିତ ହୋଇଥିଲା ।

ତେବେ ଓଡିଶା ଓ ଓଡିଆମାନଙ୍କ ଦାବି କ୍ରମେ ରାଜ୍ୟର ନାମ ସଂଶୋଧନ ପାଇଁ ଏକ ସ୍ୱତନ୍ତ୍ର ବିଲ୍‍ ୨୦୧୦ ନଭେମ୍ବର ୯ ତାରିଖରେ ଲୋକସଭାରେ ପାରିତ ହେବାପରେ ଏହା ୨୦୧୧ ମାର୍ଚ୍ଚ ୨୪ତାରିଖରେ ସଂଶୋଧନ ସହ ରାଜ୍ୟସଭାରେ ଗୃହୀତ ହୋଇଥିଲା । ଏହାପରେ ୨୦୧୧ ନଭେମ୍ବର ୪ତାରିଖରେ ରାଷ୍ଟ୍ରପତି ସଂସଦରେ ପାରିତ ଏହି ବିଧେୟକକୁ ବିଧିବଦ୍ଧ ଭାବେ ଗ୍ରହଣ କରିନେବାରେ କେନ୍ଦ୍ର ସରକାର ଏଥିଘେନି ସ୍ୱତନ୍ତ୍ର ଗେଜେଟ୍‍ ବିଜ୍ଞପ୍ତି ପ୍ରକାଶ କରିଥିଲେ ।

ଏହି ଐତିହାସିକ ଘଟଣା ପରଠାରୁ ରାଜ୍ୟ ରାଜଭବନ, ରାଜ୍ୟ ବିଧାନସଭା, ସଚିବାଳୟ ସମେତ ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଦପ୍ତରରେ ଇଂରାଜୀ ଓ ହିନ୍ଦୀରେ ଆମ ରାଜ୍ୟର ପ୍ରକୃତ ନାମ ଓଡିଶା ଓ ଭାଷାର ନାମ ଓଡିଆ ଭାବେ ପ୍ରଚଳନ କରାଯିବା ସହିତ ଓରିଶା ଓ ଓଡିଆ ଶବ୍ଦକୁ ବିସର୍ଜନ ଦିଆଯାଇଛି । ତେବେ କଟକରେ ଥିବା ହାଇକୋର୍ଟ ଅଫ୍‍ ଓରିଶାର ନାମ କିନ୍ତୁ ଏଯାବତ୍‍ ଇଂରାଜୀରେ ଓଡିଶା ହୋଇନାହିଁ ।

ଯେଉଁମାନେ ହାଇକୋର୍ଟରେ ମାମଲା ରୁଜୁ କରୁଛନ୍ତି ନାମ ବଦଳି ନଥିବାରୁ ସେମାନେ ଇଂରାଜୀରେ ହାଇକୋର୍ଟ ଅଫ୍‍ ଓରିଶା ବୋଲି ଉଲ୍ଲେଖ କରିବାକୁ ବାଧ୍ୟ ହେଉଛନ୍ତି ଏବଂ ଏଯାବତ୍‍ ହାଇକୋର୍ଟଙ୍କ ସମସ୍ତ ରାୟ ଓ ଆଦେଶନାମାରେ ବି ଏପରି ଦର୍ଶାଯାଉଛି ।

ରାଜ୍ୟର ଭାଷାପ୍ରେମୀମାନେ ଏ ପ୍ରସଙ୍ଗରେ ବାରମ୍ବାର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଛନ୍ତି । କିନ୍ତୁ ଆମ ରାଜ୍ୟ ଓ ଭାଷାର ନାମ ୧୧୩ତମ ସମ୍ବିଧାନ ସଂଶୋଧନ ଆଇନ୍‍ ଆଧାରରେ ଇଂରାଜୀ ଭାଷାରେ ଠିକଣା ଭାବେ ବଦଳି ସାରିଥିଲେ ମଧ୍ୟ ଏଯାବତ୍‍ ଆମ ହାଇକୋର୍ଟର ନାମ ସଂଶୋଧନ ହୋଇନାହିଁ ।

ଏ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ସୁପ୍ରିମ୍‍କୋର୍ଟ ଓ ହାଇକୋର୍ଟଙ୍କ ସମେତ ଆଇନ୍‍ ବିଶାରଦ ଓ ଚିନ୍ତାଶୀଳ ଭାଷାପ୍ରେମୀମାନେ ସକରାତ୍ମକ ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ବାରମ୍ବାର ନିବେଦନ କରାଯାଉଛି ।