ଶିଳ୍ପ ପାଇଁ ଅନ୍‍ଲାଇନ୍‍ ଆବେଦନ

ଓଡିଶାରେ ଶିଳ୍ପ ପ୍ରତିଷ୍ଠା ଲାଗି ମେକ୍‍ ଇନ୍‍ ଓଡିଶା କନ୍‍କ୍ଲେଭରେ ଯେଉଁ ଶିଳ୍ପସଂସ୍ଥା ଆଗ୍ରହ ପ୍ରକାଶ କରିବେ ସେମାନଙ୍କୁ ୩୦ଦିନ ମଧ୍ୟରେ ଅନ୍‍ଲାଇନ୍‍ ଯୋଗେ ଆବେଦନ କରିବାକୁ ପଡିବ । ଏହି କନ୍‍କ୍ଲେଭରେ କୌଣସି ଶିଳ୍ପସଂସ୍ଥା ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହେବନାହିଁ ।

ଆସନ୍ତା ୧୧ ତାରିଖରୁ ଆରମ୍ଭ ହେଉଥିବା ମେକ୍‍ ଇନ୍‍ ଓଡିଶା କନ୍‍କ୍ଲେଭ ସଂକ୍ରାନ୍ତରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନାଦେଇ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ ଏହା କହିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଏହା ହେଉଛି ଦ୍ୱିତୀୟ ଶିଳ୍ପ କନ୍‍କ୍ଲେଭ । ୨୦୧୬ ମସିହାରେ ପ୍ରଥମଟି ଆୟୋଜିତ ହୋଇଥିଲା ।

ମନ୍ତ୍ରୀ ଶ୍ରୀ ଦାସ କହଛନ୍ତି ଯେ ମେକ୍‍ ଇନ୍‍ ଓଡିଶା କନ୍‍କ୍ଲେଭ ଲାଗି ତାଙ୍କ ନେତୃତ୍ୱରେ ଗୋଟିଏ ଟିମ୍‍ ୬ଦେଶ ଗସ୍ତକରି ସେଠାକାର ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କରିଛନ୍ତି । ଏଥିରେ ଜାପାନ, ଫ୍ରାନ୍ସ, ଋଷିଆ, ଜର୍ମାନ, ସାଉଦିଆରବ ଓ ୟୁଏଇ ଯୋଗଦେବାଲାଗି ସମ୍ମତି ଜଣାଇଥିବାବେଳେ ଜାପାନ ଏହି କନ୍‍କ୍ଲେଭର ସହଯୋଗୀ ରହିଛି ।

ଦେଶ ବିଦେଶରୁ ଆସୁଥିବା ଶିଳ୍ପପତିମାନଙ୍କ ସମ୍ମୁଖରେ ରାଜ୍ୟର ଶିଳ୍ପ ବାତାବରଣ ଓ ଶିଳ୍ପ ଅଭିବୃଦ୍ଧିର ଚିତ୍ର ଉପସ୍ଥାପନ କରାଯିବ । ସାଢେ ଚାରିଦିନ ଧରି ଚାଲିବାକୁଥିବା ଏହି କନ୍‍କ୍ଲେଭରେ ୧୫ଟି ବିଭାଗ ଉପରେ ବିସ୍ତୃତ ଆଲୋଚନା କରାଯିବ । ଏଥିରେ ଶିଳ୍ପ ସମେତ ଉଚ୍ଚଶିକ୍ଷା, ପର୍ଯ୍ୟଟନ୍ତ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି, ହସ୍ତତଦନ୍ତ, ବୟନ ଓ ହସ୍ତଶିଳ୍ପ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ମହିଳା ଓ ଶିଶୁ ବିକାଶ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଆଦି ବିଭାଗ ରହିଛି ।

ପ୍ରତିଦିନ ବିଭିନ୍ନ ବିଭାଗ ଉପରେ ଆଲୋଚନା ପରେ ସମ୍ପୃକ୍ତ ବିଭାଗର ମନ୍ତ୍ରୀ ଓ ଅଧିକାରୀମାନେ ଗଣମାଧ୍ୟମକୁ ଏ ସଂକ୍ରାନ୍ତରେ ବିସ୍ତୃତ ସୂଚନା ପ୍ରଦାନ କରିବେ । ୧୩ ତାରିଖ ଦିନ ଅନୁଷ୍ଠିତ ହେଉଥିବା ଆଗୁଆ ସମାବର୍ତ୍ତନ ଉତ୍ସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ଉଦ୍‍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି ।

ଶିଳ୍ପ ସଚିବ ସଞ୍ଜିବ ଚୋପ୍ରା କହିଥିଲେ ଯେ ଏହି କନ୍‍କ୍ଲେଭ ମାଧ୍ୟମରେ ଦେଶ ତଥା ବିଦେଶର ଶିଳ୍ପପତିମାନଙ୍କ ସମ୍ମୁଖରେ ଓଡିଶାର ଶିଳ୍ପ ପ୍ରଗତି ଓ ସୁଯୋଗକୁ ଉପସ୍ଥାପନ କରାଯିବ । ୨୦୧୬ ରେ ଅନୁଷ୍ଠିତ ପ୍ରଥମ କନ୍‍କ୍ଲେଭରେ ଏଠାରେ ଶିଳ୍ପ ପ୍ରତିଷ୍ଠା ଲାଗି ୨୧୪ଟି ଶିଳ୍ପ ସଂସ୍ଥା ଆବେଦନ କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ୬୫ଟି ସଂସ୍ଥାର ଭୂମିପୂଜନ ହୋଇଛି ଓ ୩ଟିରୁ ଉତ୍ପାଦନ ଚାଲିଛି ।

ଇଡ୍‍କୋର ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ସିଂହ ଆୟୋଜିତ କନ୍‍କ୍ଲେଭ ସଂକ୍ରାନ୍ତରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ଦେଶ ବିଦେଶରୁ ଆସୁଥିବା ଶିଳ୍ପ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ଓ ଅତିଥି ମାନଙ୍କ ପାଇଁ ହୋଇଥିବା ବ୍ୟବସ୍ଥା ସଂକ୍ରାନ୍ତରେ ସୂଚନା ଦେବା ସହିତ ରାଜ୍ୟର ସଂସ୍କୃତି ଓ ଐତିହ୍ୟ ସଂକ୍ରାନ୍ତରେ ଦର୍ଶକକୁ ଜଣାଇବାପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ବୋଲି କହିଥିଲେ ।

ଏହି କନ୍‍କ୍ଲେଭ ଅବସରରେ ପ୍ରଥମଥର ପାଇଁ ଓଡିଶା ସିଏସ୍‍ଆର ପୁରସ୍କାର ସମେତ ଓଡିଶା ଗୌରବ ସମ୍ମାନ ପ୍ରଦାନ କରାଯିବ । ଏହି ଅବସରରେ ଜାପାନ ସେମିନାର, ୩୬ଘଣ୍ଟିଆ ହାକାଥନ୍‍ ବି ଆୟୋଜିତ ହେବ ।