କନ୍ଧମାଳ ଜିଲ୍ଲା ବାଲିଗୁଡ଼ାଠାରେ ଏକ ସଡ଼କ ଦୁର୍ଘଟଣାରେ ୮ ଜଣ ଯାତ୍ରୀ ମୃତ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଭୀର ଦୁଃଖ ପ୍ରକାଶ ଓ ସହାୟତା ଘୋଷଣା  ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା  ଆହତ ବ୍ୟକ୍ତିମାନଙ୍କୁ ମାଗଣାରେ ଚିକିତ୍ସା ସହାୟତା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ  

ସୀମା ସିଲ୍‍ ପାଇଁ ନିର୍ଦ୍ଦେଶ

ଛତିଶଗଡକୁ ଲାଗିଥିବା ସୀମାକୁ ସିଲ୍‍ କରିବାପାଇଁ ନିର୍ବାଚନ କମିଶନ ଓଡିଶା ସରକାରଙ୍କୁ କହିଥିବାବେଳେ ସୁରକ୍ଷାବଳ ଅଭାବରୁ ରାଜ୍ୟ ସରକାରଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି ।

ଛତିଶଗଡରେ ଅନୁଷ୍ଠିତ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସେହି ରାଜ୍ୟକୁ ଲାଗିଥିବା ଅନ୍ୟ ରାଜ୍ୟର ସୀମାକୁ ସିଲ୍‍ ପାଇଁ ଗତକାଲି ଭାରତର ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ।

ଛତିଶଗଡରେ ଚଳିତମାସ ୧୨ ଓ ୨୦ ତାରିଖରେ ବିଧାନସଭା ପାଇଁ ଭୋଟଗ୍ରହଣ ହେବ । ଓଡିଶାର ଅତି କମ୍‍ରେ ୫ଟି ଜିଲ୍ଲା ଯଥା ମାଲକାନଗିରି, ନବରଙ୍ଗପୁର, ବରଗଡ, ଝାରସୁଗୁଡା ଓ ସୁନ୍ଦରଗଡ ଛତିଶଗଡକୁ ଲାଗିଛି ।

ମୁଖ୍ୟ ନିର୍ବାଚନ କମିଶନର ଓମ୍‍ ପ୍ରକାଶ ରାୱତ, ନିର୍ବାଚନ କମିଶନର ସୁନୀଲ ଆରୋରା ଓ ଅଶୋକ ଲାଭାସା ରାଜ୍ୟ ସରକାରଙ୍କ ସହିତ ଭିଡିଓ କନ୍‍ଫରେନ୍ସି ଜରିଆରେ ଆଲୋଚନା କରି ଏହି ଛଅଟି ଜିଲ୍ଲା ସଂକ୍ରାନ୍ତରେ ସୂଚିତ କରିଛନ୍ତି ।

ଓଡିଶା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଚିନ ରାମଚନ୍ଦ୍ର ଯାଦବ, ସହକାରୀ ନିର୍ବାଚନ ଅଧିକାରୀ କାଶୀନାଥ ସାହୁ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଭିଡିଓ କନ୍‍ଫରେନ୍ସିଂରେ ଉପସ୍ଥିତ ଥିଲେ ।

ରାଜ୍ୟ ସରକାରଙ୍କ ପକ୍ଷରୁ ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକରେ ମୁତୟନ ଲାଗି ଆଉ ଦୁଇ ବାଟାଲିୟନ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷାବଳ ଯୋଗାଇ ଦେବାପାଇଁ ବାରମ୍ବାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟକୁ ଅନୁରୋଧ କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହଙ୍କୁ ପତ୍ର ଲେଖିଛନ୍ତି ।

ରାଜ୍ୟ ସରକାର ମଧ୍ୟ ଜାଲ୍‍ ମତଦାନକୁ ରୋକିବାପାଇଁ ସୀମା ଗୁଡିକୁ ସିଲ୍‍ ସହିତ ମଦ ଓ ଅର୍ଥ କାରବାର ଉପରେ ନଜର ରଖିବାକୁ ଜିଲ୍ଲାପାଳ ଓ ଏସ୍‍ପି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ର୍ନିବାଚନ ସମୟରେ ଛତିଶଗଡରେ ମଦ ବନ୍ଦ ହେଉଥିବାରୁ ଓଡିଶାରୁ ବିପୁଳ ପରିମାଣ ମଦ ସେଠାକୁ ଯିବାର ସମ୍ଭାବନା ରହିଛି । ଏଥି ସହିତ ମତଦାନ ସମୟରେ ମାଓବାଦୀମାନେ ମଧ୍ୟ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି ।

ଛତିଶଗଡରେ ନିର୍ବାଚନ ହେଉଥିବାରୁ ସେଠାରେ ମାଓବାଦୀଙ୍କ ବିରୁଦ୍ଧରେ ବ୍ୟାପକ ଅଭିଯାନ ଆରମ୍ଭ ହୋଇଛି । ଛତିଶଗଡରେ ଏବେ ୬୫ ବାଟାଲିୟନ କେନ୍ଦ୍ରୀୟ ବଳ ମୁତୟନ ଥିବାରୁ ଅଭିଯାନ ଜୋରଦାର କରାଯାଉଛି । ଏଭିଳି ସ୍ଥିତିରେ ବାମପନ୍ଥୀ ଉଗ୍ରବାଦୀମାନେ ଓଡିଶା ଭିତରକୁ ପଳାଇ ଆସି ଏଠାରେ ହିଂସାକାଣ୍ଡ ଘଟାଇବାର ସମ୍ଭାବନା ରହିଛି ।

ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ସୀମାନ୍ତବର୍ତ୍ତୀ ଇଲାକାରେ ସୁରକ୍ଷାବଳଙ୍କୁ ହାଇଆଲର୍ଟରେ ରଖିବାପାଇଁ ପୁଲିସ୍‍ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ଏସ୍‍ପିମାନଙ୍କୁ କହିଛନ୍ତି । ନିକଟରେ ଛତିଶଗଡର ବିଜାପୁର ଠାରେ ସୁରକ୍ଷାବଳ ହାତରେ ୪ମହିଳା ମାଓବାଦୀଙ୍କ ସହିତ ୮ଜଣ ମାଓବାଦୀ ପ୍ରାଣ ହରାଇ ଥିବାରୁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।

ଛତିଶଗଡରେ ଚାଲିଥିବା ମାଓ ଦମନ ଅଭିଯାନ ଯୋଗୁଁ ଓଡିଶାର ନୂଆପଡା, ନବରଙ୍ଗପୁର, ମାଲକାନଗିରି, ବରଗଡ ଓ କୋରାପୁଟ ଜିଲ୍ଲା ହାଇଆଲର୍ଟ ରେ ଅଛି । ଛତିଶଗଡକୁ ଲାଗିଥିବା ଏହିସବୁ ଜିଲ୍ଲାର ଏସ୍‍ପିମାନେ ସ୍ଥିତି ଉପରେ ସତର୍କଦୃଷ୍ଟି ରଖିଛନ୍ତି ।